ଗର୍ଜିଲେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗର ଲୋକେ, ସ୍ଥାୟୀ ଠିକଣା ଦାବି କରି…

ଦାରିଙ୍ଗବାଡ଼ି,୩୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ଶନିବାର ସର୍ବଭାରତୀୟ ମୂଳ ନିବାସୀ ସଂଘର ବିଭିନ୍ନ ଦାବିରେ ସଭା, ଶୋଭାଯାତ୍ରା ଓ ବିକ୍ଷୋଭ କରାଯାଇଛି। ସଂଘର ବ୍ଲକସ୍ତରୀୟ ଆବାହକ ପ୍ରଶାନ୍ତ କୁମାର ପ୍ରଧାନଙ୍କ ଆହ୍ବାନ କ୍ରମେ ସଂଘର କର୍ମକର୍ତ୍ତାଙ୍କ ସମେତ ଅନୁସୂଚିତ ଜନଜାତି, ଜାତି ଓ ପଛୁଆବର୍ଗର ଲୋକମାନେ ସାରିଙ୍ଗିଇର୍ପି ସଭା ପଡ଼ିଆରେ ଏକାଠି ହୋଇଥିଲେ। ସେଠାରେ ବ୍ଲକ ଆବାହକଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟସ୍ତରୀୟ ନେତୃତ୍ୱ ଯୋଗଦେଇଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ସଂଘର ରାଜ୍ୟ ସଭାପତି ବିଜୟ କୁମାର ସେଠୀ ଯୋଗଦେଇଥିବା ବେଳେ ଅନ୍ୟ ଅତିଥିଙ୍କ ମଧ୍ୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସଂଘର କର୍ମକର୍ତ୍ତା ଯୋଗଦେଇଥିଲେ।

ବିଶେଷ କରି ଅନୁଗୋଳ, ଖୋର୍ଦ୍ଧା, ନୟାଗଡ଼, ଗଜପତି, ଜଗତସିଂହପୁର, ପୁରୀ, ଗଞ୍ଜାମ ଜିଲାର ନେତୃତ୍ୱ ବୃନ୍ଦ ଯୋଗଦେଇଥିଲେ। ଦାରିଙ୍ଗବାଡ଼ିର ସଂଘର ଆବାହକ ତଥା ସଭାପତି ପ୍ରଶାନ୍ତ କୁମାର ପ୍ରଧାନଙ୍କ ସମେତ ସମ୍ପାଦକ ନିରୋଜ ପ୍ରଧାନ ଆଦିବାସୀ ଦଳିତ ମହାସଂଘ ସଭାପତି ତ୍ରିନାଥ ପ୍ରଧାନ, ସମ୍ପାଦକ ସନ୍ତୋଷ କୁମାର ପ୍ରଧାନ, ନାରୀନେତ୍ରୀ ବିଳାସିନି ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଜନଜାତି ଓ ଦଳିତ ଲୋକଙ୍କୁ ନିର୍ଯାତନା ଅତ୍ୟାଚାର କରିବା ବନ୍ଦ କର ବୋଲି ଚେତାବନୀ ଦେଇଥିଲେ। ପରେ ହାତରେ ବ୍ୟାନର, ପ୍ଲା କାର୍ଡ ଧରି ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସେମାନଙ୍କ ଦାବି ଯେ, ଦାରିଙ୍ଗବାଡ଼ି ସହର ଅଞ୍ଚଳରେ ବସବାସ କରୁଥିବା ସମସ୍ତ ବାସିନ୍ଦାଙ୍କ ପୂର୍ବଜମାନଙ୍କ ସ୍ଥାୟୀ ଠିକଣାକୁ ଯାଞ୍ଚ କରିବା ସହ ତାର ସଠିକ ତଦନ୍ତ କରାଯାଉ। ସେହିପରି ଉକ୍ତ ବ୍ଲକରେ ଧର୍ମ ନାମରେ ମୂଳନିବାସୀଙ୍କୁ ଅତ୍ୟାଚାର କରାଯାଉଥିବା ଅଭିଯୋଗ କରାଯାଇଛି ଏଥିସହ ମୂଳନିବାସୀଙ୍କୁ ରାଜନୈତିକ ଅଧିକାର, ମୌଳିକ ଅଧିକାର ଓ ସାମାଜିକ ଅଧିକାରରୁ ବଞ୍ଚିତ କରାଯାଉଥିବା ସଂଘ ଅଭିଯୋଗ କରିବା ସହ ଏହା ବନ୍ଦ କରିବାକୁ ଦାବି ଉଠାଇଛି। ସେହିପରି ମୂଳନିବାସୀଙ୍କ ଜଙ୍ଗଲ ଜମିଙ୍କୁ ସୁରକ୍ଷା ଦେବା ସହ ଭୂମିହୀନଙ୍କୁ ଭୂମି ଏବଂ ଭୂମି ପଟ୍ଟା ଯୋଗାଇଦେବା ଦାବି, ରାଶନ ସାମଗ୍ରୀ ଉଚ୍ଚ ଦରରେ ବିକ୍ରି ଅଭିଯୋଗ ତାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଆଦି ଦାବି ରଖାଯାଇଛି। ସଂଘ ପକ୍ଷରୁ ଶୋଭାଯାତ୍ରାରେ ବାହାରି ସହର ବୁଲିବା ପରେ ଏକ ଦାବିପତ୍ର ବାଲିଗୁଡ଼ା ଉପଜିଲାପାଳଙ୍କ ଜରିଆରେ ରାଜ୍ୟର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାର ଧୀରଜ ପାତ୍ରଙ୍କୁ ଦାବିପତ୍ର ଦେଇଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରେ ରଖି ଆଇଆଇଆସି ସଂଗ୍ରାମ କେଶରୀ ଜେନା ସଦଳବଳ ଉପସ୍ଥିତ ରହି ତଦାରଖ କରିଥିଲେ।

Dharitri – Odisha’s No.1 Odia Daily

Share