ବରଗଡ଼,୩୧।୧୦(ପ୍ରେମାନନ୍ଦ ଖମାରୀ)- ଜାତିପ୍ରଥା ଭଳି କୁସଂସ୍କାର ଏବେ ବି ରହିଛି। ଶୁକ୍ରବାର ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ କୁମେଲସିଂହା ନିକଟ ବଗର୍ତ୍ତୀଟିକ୍ରା ଗ୍ରାମରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଗ୍ରାମର ଜଣେ ବିବାହିତା ମହିଳା ପିଙ୍କି ବଗର୍ତ୍ତି ଗତ ୨୭ତାରିଖରୁ ଶବରପଡାର ହିମାଂଶୁ ଭୁଏ ନାମକ ଅନ୍ୟ ଜଣେ ବିବାହିତ ପୁରୁଷଙ୍କ ସହିତ ଅନ୍ୟତ୍ର ପଳାଇ ଯାଇଥିଲେ । ଶୁକ୍ରବାର ଶବରପଡାର ଏକ ଆମ୍ବଗଛରୁ ଉଭୟଙ୍କ ଶବ ଉଦ୍ଧାର କରାଯାଇଥିଲା। ବ୍ୟବଚ୍ଛେଦ ପରେ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ମାତ୍ର ଜାତିପ୍ରଥା କଥା ଉଠାଇ ପିଙ୍କିଙ୍କ ଶବକୁ ପରିବାର ଲୋକେ ଗ୍ରହଣ କରି ନଥିଲେ। ପରେ ଅତାବିରା ଥାନା ପୋଲିସଠାରୁ ସୂଚନା ପାଇ ବରଗଡ଼ର ସ୍ବେଚ୍ଛାସେବୀ ଅନୁଷ୍ଠାନ ସଂକଳ୍ପ ପରିବାରର ସ୍ବେଚ୍ଛାସେବୀମାନେ ତାଙ୍କ ଶବ ସତ୍କାର କରିଥିଲେ । ସଂକଳ୍ପ ପରିବାରର ସଭାପତି ବିକାଶ ଅଗ୍ରୱାଲ, ସମ୍ପାଦକ ଜି ରମେଶ, ନୀଲେଶ ପଧାନ, ଶେଷଦେବ ପଧାନ ରଞ୍ଜିତ ସାହୁ ପ୍ରମୁଖ ଗୋଡ଼ଭୋଗା ଫାଣ୍ଡି କନେଷ୍ଟବଳ ଅନିତା ଲାକ୍ରାଙ୍କ ଉପସ୍ଥିତିରେ ଶବ ସତ୍କାର କରିଥିଲେ ।