ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ । କିନ୍ତୁ ବାସ୍ତବରେ ପାରଳାଖେମୁଣ୍ଡି ଭଳି ଛୋଟିଆ ସହରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଜଣେ ଭିକ୍ଷୁକ କ୍ୟୁଆର କୋଡ୍ ଜରିଆରେ ଭିକ୍ଷା ମାଗୁଛନ୍ତି । ପାରଳାଖେମୁଣ୍ଡି ସହରର ଦୋଳ ବନ୍ଧ ନିକଟସ୍ଥ ଶିବ ମନ୍ଦିର ବାହାରେ ଜଣେ ଭିକ୍ଷା ବୃତ୍ତି କରୁଥିବା ମହିଳା ନିଜ ପାଖରେ କ୍ୟୁଆର୍ କୋଡ୍ ଫଳକଟି ପାଖରେ ରଖି ଭିକ୍ଷା ବୃତ୍ତି କରୁଥିବା ଦେଖିବାକୁ ମିଳିଛି ।
ଏ କଥା ଆମେ କହୁନୁ ଭିକ୍ଷା ବୃତ୍ତି କରୁଥିବା ମହିଳାଙ୍କ ଢାଞ୍ଚାକୁ ଦେଖିଲେ ଏକ ପ୍ରକାର ସ୍ପଷ୍ଟ ହୋଇଯାଉଛି । ଡିଜିଟାଲ ଯୁଗରେ ବ୍ୟବସାୟ, ଶିକ୍ଷା ଓ ବିଭିନ୍ନ କାରବାରରେ ଡିଜିଟାଲ ମନିର ବ୍ୟବହାର ବିଶ୍ୱ ସ୍ତରରେ ଭାରତ ଆଗେଇ ଥିବା ବେଳେ ଭିକ ମଗା ବୃତ୍ତିରେ ମଧ୍ୟ ଏଭଳି କ୍ୟୁଆର୍ କୋଡର ବ୍ୟବହାର ସମସ୍ତଙ୍କୁ ଯେତିକି କୌତୁକ ସୃଷ୍ଟି କରିଛି ସେତିକି ଚକିତ କରିଛି । ଆଜି ପବିତ୍ର ଶିବରାତ୍ରିରେ ସବୁ ଶିବ ମନ୍ଦିର ଗୁଡିକରେ ଚଳ ଚଞ୍ଚଳ ଲାଗି ରହିଥିବା ବେଳେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ପାରଳାଖେମୁଣ୍ଡିରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ବର୍ତ୍ତମାନ ଏହି ଘଟଣା ବିଭିନ୍ନ ସୋସିଆଲ ପ୍ଲାଟଫର୍ମରେ ମୋବାଇଲ ଠୁ ମୋବାଇଲ ଘୁରି ବୁଲୁଛି । ତେବେ ଭିକ୍ଷା ବୃତ୍ତି କରୁଥିବା ଲୋକେ ସ୍ମାର୍ଟ ଫୋନର ବ୍ୟବହାର କରିବା ସହ ବ୍ୟାଙ୍କ ଆକାଉଣ୍ଟ ଓ ଡିଜିଟାଲ ଆକାଉଣ୍ଟର ବ୍ୟବହାର ମଧ୍ୟ ଜାଣିଲେଣି ଯାହା ଏହି ଘଟଣାରୁ ସ୍ପଷ୍ଟ ବାରି ହେଉଛି । ଭିକ୍ଷାବୃତ୍ତି କରୁଥିବା ମହିଳା ଜଣକ କହୁଛନ୍ତି ଯେ, ପାଖରେ ଯାହାଙ୍କ ପାଖରେ ଖୁଚୁରା ବା ଟଙ୍କା ନାହିଁ ଫୋନ୍ ପେ ବା ଏହି କ୍ୟୁଆର୍ କୋଡକୁ ସ୍କାନ କରି ଟଙ୍କା ବା ଖୁଚୁରା ପଇସା ଦାନ ଦିଅନ୍ତୁ । ତେବେ ଏଭଳି ଘଟଣା ଆଜି ସକାଳେ ପାରଳାଖେମୁଣ୍ଡି ସହରର ଜଣେ ଜଣାଶୁଣା ବ୍ୟବସାୟୀ ଏନି ଗୋପି ମହାଦେବଙ୍କୁ ଦର୍ଶନ କରି ମନ୍ଦିରରୁ ଫେରିବା ସମୟରେ ଏହି ମହିଳା ଜଣକ ଭିକ୍ଷା ମାଗିବା ସହ କ୍ୟୁ ଆର କୋଡ ଦେଖାଇଥିଲେ । ଯାହା ସମ୍ପୃକ ବ୍ୟବସାୟୀଙ୍କୁ ପ୍ରଥମେ ଆଶ୍ଚର୍ଯ୍ୟ କରିଥିଲା ଯାହାକୁ ନେଇ ସେ ଏକ ଫୋଟୋ ଉତ୍ତୋଳନ କରି ନିଜ ସୋସିଏଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ।
ଏହି ଡିଜିଟାଲ ବା କ୍ୟାସଲେସ ଭିକାରୀଙ୍କୁ କେହି କେହି ପ୍ରଦାନ କରିଥିବା ବେଳେ ଅନେକ ତାତ୍ସଲ୍ୟ କରୁଥିବା ଦେଖାଯାଇଛି । ପ୍ରକୃତରେ କ୍ୟାସଲେସ ଯୁଗ ତୃଣମୂଳସ୍ତରରେ ପହଞ୍ଚିଥିବାକୁ ନେଇ ଅନେକ ଆଲୋଚନା କରୁଛନ୍ତି ।