ବୈଶିଙ୍ଗା,୨୦ା୭(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ୧୮ ନଂ ଜାତୀୟ ରାଜପଥର ପଦ୍ମନାଭପୁର ଟୋଲ୍ପ୍ଲାଜା ନିକଟରେ ରବିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ବାରିପଦା ପିଆର୍ଏମ୍ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ମୁତାବକ ବାଲେଶ୍ୱରରୁ ବାରିପଦା ଅଭିମୁଖେ ଅତ୍ୟନ୍ତ ଦ୍ରୁତଗତିରେ ଯାଉଥିବା ଏକ କାର୍ ନଂ ଓଡି ୧୧ ଏମ୍ ୬୭୧୬ରେ ବାରିପଦା ୱାଲିଗଞ୍ଜ ଅଞ୍ଚଳର ସନତ ପଟ୍ଟନାୟକଙ୍କ ପୁଅ ରାଜୀବ ଓ ତାଙ୍କ ସାଙ୍ଗ ଅଜୟ ନାୟକ ଯାଉଥିବା ବେଳେ ଭାରସାମ୍ୟ ହରାଇ ଟୋଲ୍ପ୍ଲାଜା ୩ ନଂ ବୁଥ୍ ଉପରକୁ ଚଢ଼ିଯାଇଥିଲେ। ଫଳରେ ଅଜୟ ଓ ରାଜୀବଙ୍କୁ ପୋଲିସ ଉଦ୍ଧାର କରି ବାରିପଦା ପିଆର୍ଏମ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବାବେଳେ ସେଠାରେ ରାଜୀବଙ୍କ ମୃତ୍ୟୁ ହୋଇଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ବାମପଟେ ବସିଥିବା ଅଜୟଙ୍କୁ ଗାଡ଼ିରେ ଥିବା ବେଲୁନ ସୁରକ୍ଷା ଯୋଗାଇ ଦେଇଥିବା ବେଳେ ଚାଳକ ରାଜୀବଙ୍କ ସାମନା ବେଲୁନ ଅଧା ଖୋଲିଥିବାରୁ ତାଙ୍କୁ ଗୁରୁତର ଆଘାତ ଲାଗିଥିବା ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ।
ତେବେ ପୋଲିସ ପକ୍ଷରୁ କ୍ରେନ୍ ଯୋଗେ କାର୍ଟିକୁ ଦୁର୍ଘଟଣାସ୍ଥଳରୁ ବହାର କରାଯିବା ସହିତ ଏହାକୁ ଜବତ କରି ଥାନାକୁ ଅଣାଯାଇଛି।