ସ୍ବାସ୍ଥ୍ୟ ପରୀକ୍ଷା କରି ଡାକ୍ତରଖାନାରୁ ଫେରୁଥିଲେ, ଅଟୋ ଉପରେ ମାଡ଼ିଗଲା କାର୍‌, ସ୍ତ୍ରୀ-ସ୍ବାମୀଙ୍କ ସହ ଚାଳକ ମୃତ..

ଅନୁଗୋଳ,୬ା୯(ମାନସ ବିଶ୍ୱାଳ): ଅନୁଗୋଳ ସଦର ଥାନା ଅନ୍ତର୍ଗତ ଖଣ୍ଡହତା ବ୍ରିଜ ନିକଟରେ ଅଟୋ ଉପରେ କାର୍‌ ମାଡ଼ିଯିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକମାନେ ହେଲେ ବଂଶୀଧର ସେଠୀ, କମଳା ସେଠୀ ଏବଂ ଅଟୋ ଚାଳକ ମଣ୍ଟୁ ମୁଦୁଲି (୩୦) ଓ ଗୁରୁତରମାନେ ହେଲେ ସୁନୀତା ସେଠୀ (୩୦), ପୁଅ ଶ୍ରୀ ସାଇ (୧୨), ବିଶ୍ୱଜିତ୍‌।

ସୂଚନା ଯେ, ବାଲିମି ଥାନା ଅନ୍ତର୍ଗତ କାରନ୍ଦା ଅଞ୍ଚଳର ବଂଶୀଧର ସେଠୀଙ୍କ ଦେହ ଖରାପ ହେବାରୁ ଅନୁଗୋଳ ଚିକିତ୍ସାଳୟକୁ ଦେହ ଦେଖାଇବା ପାଇଁ ଏକ ଅଟୋ ଯୋଗେ ବଂଶୀଧରଙ୍କ ସ୍ତ୍ରୀ କମଳା, ବୋହୂ ସୁନୀତା ଏବଂ ନାତି ଶ୍ରୀସାଇଙ୍କୁ ନେଇ ଆସିଥିଲେ। ଦେହ ଦେଖାଇବା ପରେ ବଂଶୀଧରଙ୍କ ସମୁଦି ଘର ତୁରଙ୍ଗ ଗ୍ରାମକୁ ଯାଇଥିଲେ। ସେଠାରେ ଖାଇ ସାରି ଅଟୋ ଯୋଗେ କାରନ୍ଦା ଗ୍ରାମକୁ ଫେରୁଥିବା ବେଳେ ନରସିଂହପୁର ଅଞ୍ଚଳରୁ ଆସୁଥିବା ଏକ କାର ସହ ଧକ୍କା ହୋଇଥିଲା। ଅଟୋ କାର୍‌ ଧକ୍କା ହୋଇ ରାସ୍ତାକଡ଼ରେ ଥିବା ବିଲ ଭିତରକୁ ପଶିଯାଇଥିଲା। ଏହି ଦୁର୍ଘଟଣାରେ ଅଟୋରେ ଯାଉଥିବା ବଂଶୀଧର ସ୍ତ୍ରୀ କମଳା ଏବଂ ଅଟୋ ଚାଳକ ମଣ୍ଟୁ ମୁଦୁଲିଙ୍କର ଘଟଣାସ୍ଥଳରେ ମୃତୁ ଘଟିଥିବାବେଳେ ବୋହୂ ସୁନୀତା ଏବଂ ପୁଅ ଶ୍ରୀସାଇ ଗୁରୁତର ହୋଇଥିଲେ। ଏ ପଟେ କାର ମାଲିକ ଗୁରୁତର ଥିବା ବେଳେ କାର୍‌ ଚାଳକଙ୍କର କୌଣସି ଖବର ମିଳିନାହିଁ। ଖବର ପାଇ ଅନୁଗୋଳ ଅଗ୍ନିଶମ ବିଭାଗ ପହଞ୍ଚି ସମସ୍ତ ମୃତ ଏବଂ ଗୁରୁତରଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଖବର ପାଇ ସଦର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।