ଭୁବନେଶ୍ୱର,୧୯।୧: ରାଜଧାନୀର ବ୍ୟସ୍ତବହୁଳ ପଲାସୁଣୀ ଛକରେ ସୋମବାର ଏକ ଅଭାବନୀୟ ସଡ଼କ ଦୁର୍ଘଟଣା ଘଟିଛି। କଟକ ପଟୁ ଅତି ଦ୍ରୁତ ଗତିରେ ଆସୁଥିବା ଏକ କାର୍, ପଲାସୁଣୀ ଛକ ନିକଟରେ ଯାଉଥିବା ଅନ୍ୟ ଏକ କାରକୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ପଛ କାରଟି ସମ୍ମୁଖରେ ଥିବା କାର୍ ଉପରକୁ ଚଢ଼ି ଯାଇଥିଲା।
ଦୁର୍ଘଟଣାରେ ଜଣେ କାର୍ ଚାଳକ ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଥିଲା। ପ୍ରାୟ ୩୦ ମିନିଟ୍ ଧରି ଟ୍ରାଫିକ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ କ୍ରେନ୍ ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ରାସ୍ତାରୁ ହଟାଇବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା। ପ୍ରାଥମିକ ତଦନ୍ତରୁ “ଅତ୍ୟଧିକ ବେଗ” ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।