ଲଣ୍ଡନ,୩୧ା୭: ଭାରତୀୟ ଦଳର ଟେଷ୍ଟ ଅଧିନାୟକ ଶୁବମନ ଗିଲ୍ ଗୁରୁବାର ଦି ଓଭାଲଠାରେ ଆଣ୍ଡରସନ-ତେନ୍ଦୁଲକର ଟ୍ରଫିର ପଞ୍ଚମ ଟେଷ୍ଟରେ ଟସ୍ ହାରିଛନ୍ତି। ଚଳିତ ଟେଷ୍ଟ ସିରିଜ୍ରେ ସେ ପଞ୍ଚମ ଥର ପାଇଁ ଟସ୍ ହାରିଛନ୍ତି। ଏଥିସହିତ ସେ ଭାରତୀୟ କ୍ରିକେଟ୍ ଇତିହାସରେ ଏକ ବିରଳ ଓ ଅଲୋଡ଼ା କ୍ଲବରେ ସାମିଲ ହୋଇଛନ୍ତି।
କୌଣସି ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ସମସ୍ତ ଟସ୍ ହାରିବାରେ ସେ ଚତୁର୍ଥ ଭାରତୀୟ ଅଧିନାୟକ। ଅନ୍ତର୍ଜାତୀୟ କ୍ରିକେଟରେ ଭାରତ ଲଗାତର ୧୫ତମ ମ୍ୟାଚ୍ରେ ଟସ୍ ହାରିଛି। ଏହି ଧାରା ଖେଳାଳି ଓ ପ୍ରଶଂସକଙ୍କୁ ବିଚଳିତ କରିଛି। ଲଗାତର ୫ ଟେଷ୍ଟରେ ଟସ୍ ହାରିଥିବା ଭାରତୀୟ ଅଧିନାୟକଙ୍କ ମଧ୍ୟରେ ଲାଲା ଅମରନାଥ (ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୧୯୪୮-୪୯ ସିରିଜ୍), କପିଳ ଦେବ (ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୧୯୮୨-୮୩ ସିରିଜ୍) ଓ ବିରାଟ କୋହଲି (ଇଂଲଣ୍ଡ ବିପକ୍ଷ ୨୦୧୮ ସିରିଜ୍) ରହିଛନ୍ତି।


