ଝାଡ଼ଖଣ୍ଡକୁ ହେଉଥିଲା ଗଞ୍ଜେଇ ଚାଲାଣ, କାର୍‌ ଜବତ କରି ୨ ଜଣଙ୍କୁ ବାନ୍ଧିଲା ପୋଲିସ

ବରଗଡ଼,୧ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହେବା ନେଇ ବିଭିନ୍ନ ମହଲରେ ଅଭିଯୋଗ ହେବା ପରେ ପୋଲିସ ଏବେ ଆକ୍ସନ ମୋଡ଼ରେ ରହିଛି। ଜିଲାରେ ପୋଲିସ ପାଟ୍ରୋଲିଂକୁ ପୂର୍ବାପେକ୍ଷା ଅଧିକ କଡ଼ାକଡ଼ି କରିଥିବାବେଳେ ସାଇବର ଠକ, ହତ୍ୟା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହିତ ନିଶା କାରବାର ରୋକିବା ଦିଗରେ ତପତ୍ର ହୋଇ ପଡ଼ିଛି। ଶୁକ୍ରବାର ରାତିରେ ସ୍ଥାନୀୟ ଗ୍ରାମାଞ୍ଚଳ ଥାନା ପୋଲିସ ପାଟ୍ରୋଲିଂ କରି ଗାଡ଼ିମୋଟର ଯାଞ୍ଚ କରୁଥିବାବେଳେ ପୋଲିସ ହାତରେ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ଧରାପଡ଼ିଛି। ଏଥିରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ଝାରଖଣ୍ଟ ରାଜ୍ୟ ହଜାରୀବାଗ ଜିଲା ବର୍ହିଥାନା ସାଧନାପୁରୀ ଗ୍ରାମର ଉଭୟଜିତ୍‌ କୁମାର ବର୍ନଓ୍ବାଲ(୩୨) ଏବଂ ଧାନବାଦ ଜିଲା କଟ୍ରାସ୍‌ ଜିଲା ଭଗତ ସିଂ ଛକର ରଶ୍ମିକାନ୍ତ ସହାୟ(୩୧)। ଗିରଫ ୨ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବା ପରେ ସେମାନଙ୍କୁ ବରଗଡ଼ ଜିଲା କାରାଗାର ହାଜତକୁ ପଠାଇ ଦିଆଯାଇଛି। ସେମାନଙ୍କ ପାଖରୁ ୧ କୁଇଣ୍ଟାଲ ୭୬ କି.ଗ୍ରା ଗଞ୍ଜେଇ, ୨ ବ୍ୟବହୃତ କାର୍‌(ନଂ-ଜେଏଚ୍‌ ୦୨ ବିଜି ୬୦୯୩, ଜେଏଚ୍‌ ୧୦ ସିଓ୍ବାଇ ୬୬୪୯), ୪ ମୋବାଇଲ୍‌, ଆଧାର କାର୍ଡ଼, ମନିପର୍ସ, ଏଟିଏମ୍‌, ପାନକାର୍ଡ଼, ଡ୍ରାଇଭିଂ ଲାଇସେନ୍ସ ଆଦି ଜବତ କରିଛି। ଏ ନେଇ ବରଗଡ଼ ଗ୍ରାମାଞ୍ଚଳ ଥାନାରେ ୪୩/୩୬ରେ ଏକ ମାମଲା ରୁଜୁ ହୋଇଛି।

ଶନିବାର ବରଗଡ଼ ଗ୍ରାମାଞ୍ଚଳ ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ଶିବ ପ୍ରସାଦ ବିଶ୍ୱାଳ କହିଥିଲେ, ବରଗଡ଼ ଏସ୍‌ପି ପ୍ରହଲ୍ଲାଦ ସହାୟ ମୀନାଙ୍କ ନିର୍ଦ୍ଦେଶକ୍ରମେ ଜିଲାରେ ନିଶା କାରବାର ଧରପଗଡ଼କୁ ଜୋର୍‌ଦାର କରାଯାଇଛି। ତେବେ ଶନିବାର ରାତିରେ ବଲାଙ୍ଗୀର ପଟୁ ଝାଡ଼ଖଣ୍ଡ ଅଭିମୁଖେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ସୂଚନାକ୍ରମେ ଏସ୍‌ପି ମୀନାଙ୍କ ନିର୍ଦ୍ଦେଶରେ ପୋଲିସ ରାସ୍ତାରେ ଗାଡ଼ିମୋଟର ଯାଞ୍ଚ କରିଥିଲା। ଗ୍ରାମାଞ୍ଚଳ ଥାନା ଅଧୀନ କୁର୍ଲା ଛକରେ ଯାଞ୍ଚବେଳେ ଗଞ୍ଜେଇ ଚାଲାଣ କରୁଥିବା ଉପରୋକ୍ତ ୨ କାର୍‌ ସହିତ ଅଭିଯୁକ୍ତମାନେ ପୋଲିସ ହାତରେ ଧରାପଡ଼ିଥିବା ଆଗକୁ ମଧ୍ୟ ନିଶା କାରବାର ରୋକିବାକୁ ଏଭଳି ଅଭିଯାନ ଜାରି ରହିବ ବୋଲି ଅତିରିକ୍ତ ଏସ୍‌ପି ବିଶ୍ୱାଳ କହିଥିଲେ। ଖବରଦାତା ସମ୍ମିଳନୀରେ ଗ୍ରାମାଞ୍ଚଳ ଥାନା ଅଧିକାରୀ ସୁଶାନ୍ତ ଦାଶ ମଧ୍ୟ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily