‘ମନବଳ ଦୃଢ଼ ହେଲେ ହାରିବ କ୍ୟାନସର’

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ବିଶ୍ୱ କର୍କଟ ଦିବସ ଅବସରରେ ବୁଧବାର ବରଗଡ଼ ଫାଇଟର୍ସ ଗ୍ରୁପ୍‌ ପକ୍ଷରୁ ଏକ କର୍କଟ ସଚେତନତା ପଦଯାତ୍ରା ଓ ସଭା ଆୟୋଜିତ ହୋଇଯାଇଛି। ଏହି ସଚେତନତା ପଦଯାତ୍ରା ସ୍ଥାନୀୟ ଗଙ୍ଗାଧର ନଗରସ୍ଥିତ ଏଇଏମ୍‌ ଇଂଲିଶ ମିଡିୟମ ବିଦ୍ୟାଳୟ ସମ୍ମୁଖରୁ ଆରମ୍ଭ ହୋଇ ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟ ସମ୍ମୁଖ ପର୍ଯ୍ୟନ୍ତ ଯାଇଥିଲା। ପଦଯାତ୍ରାକୁ ବରଗଡ଼ ଉପଜିଲାପାଳ ପ୍ରସନ୍ନ ପାଣ୍ଡେ ଶୁଭାରମ୍ଭ କରିଥିଲେ। ପଦଯାତ୍ରା ପରେ ଆୟୋଜିତ ସଚେତନତା ସଭାରେ ଫାଇଟର୍ସ ଗ୍ରୁପ୍‌ର ବରିଷ୍ଠ ସହଯୋଗୀ ସଦସ୍ୟା ପ୍ରତିଭା ବାରିକ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଭାରେ ଫାଇଟର୍ସ ଗ୍ରୁପ୍‌ର ବରିଷ୍ଠ ସଦସ୍ୟା ପୁଷ୍ପାଞ୍ଜଳି ବେହେରା ସଭାପତିତ୍ୱ କରି କହିଥିଲେ, କ୍ୟାନସର କେବଳ ଏକ ରୋଗ ନୁହେଁ, ଏହା ଏକ ପରିବାର ଓ ସମାଜର ସମସ୍ୟା। ସଚେତନତା, ସମୟରେ ପରୀକ୍ଷା ଓ ସହଯୋଗ ଥିଲେ କ୍ୟାନସର ସହ ଯୁଦ୍ଧ ଜିତା ଯାଇପାରେ। ମନବଳ ଦୃଢ଼ ହେଲେ କ୍ୟାନସର ନିଶ୍ଚିତ ହାରି ବୋଲି ସେ ମତପ୍ରକାଶ କରିଥିଲେ।

ମୁଖ୍ୟ ଅତିଥି ଉପ ଜିଲାପାଳ ପାଣ୍ଡେ ଫାଇଟର୍ସ ଗ୍ରୁପ୍‌ର ଏଭଳି ସଚେତନତାମୂଳକ ପ୍ରୟାସକୁ ପ୍ରଶଂସା କରିବା ସହ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହାକୁ ଆହୁରି ବ୍ୟାପକ କରିବା ପାଇଁ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଆଶ୍ୱାସନା ଦେଇଥିଲେ।
ବୁର୍ଲା ଭୀମସାର ମେଡିକାଲ କଲେଜର ଚର୍ମ ବିଭାଗର ଆସିଷ୍ଟାଣ୍ଟ ପ୍ରୋଫେସର ଡା. ପ୍ରତୀକ ମହାରଣା କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ, ଓଡ଼ିଶାରେ ମୁଖ ଗହ୍ବର କର୍କଟ ରୋଗର ପ୍ରଭାବ ସର୍ବାଧିକ ଦେଖାଯାଉଛି। ଯାହାର ପ୍ରମୁଖ କାରଣ ହେଉଛି ନିଜ ସ୍ବାସ୍ଥ୍ୟ ପ୍ରତି ଅବହେଳା। ପ୍ରତିଦିନ ମୁଖ ସ୍ବଚ୍ଛତା ରକ୍ଷା କଲେ ଏହି ରୋଗକୁ ରୋକା ଯାଇପାରିବ ବୋଲି ସେ ପରାମର୍ଶ ଦେଇଥିଲେ। ଏଇଏମ୍‌ ଇଂଲିଶ ମିଡିୟମ ବିଦ୍ୟାଳୟର ଚେୟାରମ୍ୟାନ ଯଶବୀର ସିଂହ ଅତିଥିମାନଙ୍କୁ ସ୍ବାଗତ କରି ବିଶ୍ୱ କର୍କଟ ଦିବସ ପାଳନର ଗୁରୁତ୍ୱ ସମ୍ପର୍କରେ କହିଥିଲେ। ଆଜିର ଛାତ୍ରୀଛାତ୍ର ଓ ଯୁବପିଢ଼ି ସଚେତନ ହେଲେ ଆଗାମୀ ଦିନରେ କର୍କଟ ମୁକ୍ତ ସମାଜ ଗଢ଼ିବା ସମ୍ଭବ ହେବ।
କାର୍ଯ୍ୟକ୍ରମରେ ଏଇଏମ୍‌ ଇଂଲିଶ ମିଡିୟମ ବିଦ୍ୟାଳୟର ଛାତ୍ରୀଛାତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିବା ବେଳେ ବିକାଶ ନର୍ସିଂ କଲେଜର ଛାତ୍ରୀଛାତ୍ରଙ୍କ ଦ୍ୱାରା କ୍ୟାନସର ସଚେତନତା ଉପରେ ଏକ ସ୍ବଳ୍ପ ସାମୟିକ ନାଟକ ମଞ୍ଚସ୍ଥ ହୋଇଥିଲା। ଏହା ସମସ୍ତଙ୍କ ମନକୁ ଛୁଇଁଥିଲା । ସଚେତନତା କାର୍ଯ୍ୟକ୍ରମର ପରିଚାଳନା ସତ୍ୟଜିତ ଦାଶ, ପୁରୁଷୋତ୍ତମ ବିଶି ଓ ଅର୍ଜୁନ ସେଠ କରିଥିବା ବେଳେ ଫାଇଟର୍ସ ଗ୍ରୁପ୍‌ର କୋଷାଧ୍ୟକ୍ଷ ପ୍ରତାପ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Dharitri –Odisha’s No.1 Trusted Odia Daily

Share