ନୂଆଦିଲ୍ଲୀ,୩୦ା୯:ଭାରତ ସମେତ ବିଦେଶରେ ହତ୍ୟା, ବଟି ଆଦାୟ, ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗ୍କୁ କାନାଡା ସରକାର ଆତଙ୍କବାଦୀ ସଂଗଠନ ଘୋଷଣା କରିଛନ୍ତି। କାନାଡାର ଜନସୁରକ୍ଷା ମନ୍ତ୍ରୀ ଗାରି ଆନନ୍ଦସଙ୍ଗାରି ସୋମବାର ଏହି ସୂଚନା ଦେଇଛନ୍ତି। ଫଳରେ କାନାଡାରେ ଥିବା ବିଷ୍ଣୋଇ ଗ୍ୟାଙ୍ଗର ନଗଦ ଅର୍ଥ, ଗାଡ଼ି, ସମ୍ପତ୍ତି ଆଦିକୁ ଜବତ କିମ୍ବା ବାଜ୍ୟାପ୍ତ କରାଯିବ। ଏଥିସହ ଆତଙ୍କବାଦୀ କାର୍ଯ୍ୟ ନିମନ୍ତେ ପାଣ୍ଠି ଯୋଗାଣ ସମେତ ବିଭିନ୍ନ ଅପରାଧ ପାଇଁ ଗ୍ୟାଙ୍ଗ୍ ସଦସ୍ୟଙ୍କ ବିରୋଧରେ ସେଠାର ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାକୁ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଧିକ କ୍ଷମତା ମିଳିବ। ସନ୍ଦିଗ୍ଧ ଗ୍ୟାଙ୍ଗ୍ ସଦସ୍ୟଙ୍କୁ କାନାଡାରେ ପ୍ରବେଶ କରିବା ପାଇଁ ଆପ୍ରବାସନ ଅଧିକାରୀମାନେ ଅନୁମତି ଦେଇ ନପାରନ୍ତି। କାନାଡାର ଜଷ୍ଟିନ୍ ଟ୍ରୁଡୋ ସରକାର ବେଳେ ଭାରତ ସହ କୂଟନୈତିକ ସମ୍ପର୍କ ଖରାପ ହୋଇଥିବାବେଳେ ନୂଆ ସରକାର ଆସିବା ପରେ ଏଥିରେ ସୁଧାର ଆସିଛି। ବିଷ୍ଣୋଇ ଗ୍ୟାଙ୍ଗ୍କୁ ଆତଙ୍କବାଦୀ ସଂଗଠନ ଘୋଷଣା ଭାରତ-କାନାଡା ସମ୍ପର୍କକୁ ଆଗେଇନେବା ଦିଗରେ ଆଉ ଏକ ପଦକ୍ଷେପ ବୋଲି ବିଜ୍ଞପ୍ତିରେ କୁହାଯାଇଛି।


