ରାଷ୍ଟ୍ର ହିତରେ ନା କ୍ୟାଡର: ଏମାନଙ୍କ ସମ୍ଭାବନାକୁ ଏଡ଼ାଯାଇ ନ ପାରେ

ଭୁବନେଶ୍ୱର, ୨୫।୨(ସୁନିତ୍‌ ମିଶ୍ର):ଦେଶର ୧୦ ରାଜ୍ୟର ମୋଟ୍‌ ୩୭ଟି ରାଜ୍ୟ ସଭା ଆସନ ଲାଗି ଆସନ୍ତା ମାର୍ଚ୍ଚ ୧୬ରେ ନିର୍ବାଚନ ହେବ। ଏନେଇ ଗତ ସପ୍ତାହରେ ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ଓଡ଼ିଶାରୁ ରାଜ୍ୟ ସଭା ଯାଇଥିବା ମମତା ମହାନ୍ତ, ସୁଜିତ୍‌ କୁମାର, ମୁଜିବୁଲ୍ଲା ଖାନ୍‌ ଏବଂ ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୨ରେ ଶେଷ ହେବ। ଏହି ୪ ଜଣଙ୍କ ସ୍ଥାନରେ ନିର୍ବାଚନ ହେବାକୁ ଯାଉଛି। ବିଜ୍ଞପ୍ତି ପ୍ରକାଶ ପାଇବାର ବହୁ ପୂର୍ବରୁ ରାଜ୍ୟ ସଭା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇ ଉଠିଛି। ଯଦି ଓଡ଼ିଶା ବିଧାନସଭା ଉପରେ ନଜର ପକାଇବା ତେବେ ସଂଖ୍ୟା ଦୃଷ୍ଟିରୁ ଭାଜପାକୁ ୨ଟି ଏବଂ ବିଜେଡିକୁ ଗୋଟିଏ ଆସନ ସହଜରେ ମିଳିଯିବ। ମୁଖ୍ୟତଃ ୪ର୍ଥ ଆସନ ପାଇଁ ରାଜନୀତି ଚାଲିଛି। ମାତ୍ର କିଛିଦିନ ତଳୁ ୩ଟି ରାଜ୍ୟ ସଭା ଆସନ ଭାଜପା ଦଖଲ କରିବ ବୋଲି ଶାସକ ଦଳର ବରିଷ୍ଠ ନେତା ତଥା ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଦମ୍ଭୋକ୍ତି ଦେଖାଇ ସାରିଛନ୍ତି। ସମାନଭାବେ କିଛିଦିନ ତଳେ ଭାଜପା ପ୍ରଭାରୀ ବିଜୟପାଲ ସିଂ ତୋମାର ମଧ୍ୟ ତାଙ୍କ ଦଳକୁ ୩ଟି ଆସନ ମିଳିବ ବୋଲି ଦୋହରାଇଥିଲେ। ବିଜେଡିର ରାଜନୈତିକ ଆଭିମୁଖ୍ୟ ଯେମିତି ରହୁଛି, ଭାଜପା ୩ ଆସନ ନେବା କିଛି ଅସମ୍ଭବ କଥା ନୁହେଁ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଅନ୍ୟପଟେ ବିଜେଡିର ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ସାଧାରଣରେ ମତ ପ୍ରକାଶ କରିଛନ୍ତି ଭାଜପାକୁ ୩ଟି ଆସନ ମିଳିବା ଉଚିତ ନୁହେଁ ଏବଂ ସମ୍ଭବତଃ ତାହା ହେବନାହିଁ। ମାତ୍ର ଶାସକ ଦଳର ୩ ପ୍ରାର୍ଥୀ କେଉଁମାନେ ହେବେ ତାହା ଏବେ ସବୁଠାରୁ ଆଲୋଚନାର ବିଷୟ ପାଲଟିଛି। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ଗତ ୨୨ ତାରିଖରେ ଦଳର ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିବା କୋର୍‌ କମିଟି ବୈଠକରେ ଏ ବାବଦରେ ଆଲୋଚନା ହୋଇଥିବା କୁହାଯାଉଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ଥିଲେ। ତେଣୁ କେଉଁମାନଙ୍କ ନାଁ ଶାସକ ଦଳର କୋର୍‌ କମିଟି ବୈଠକରେ ସ୍ଥିର ହେଲା ସେକଥା ଏଯାଏଁ କୌଣସି ବାଟରେ ବାହାରକୁ ଆସିନାହିଁ, ଯାହାକିଛି କେବଳ ଅନୁମାନ ଲଗାଇ କେତେକ ନାଁକୁ ନେଇ ଚର୍ଚ୍ଚା ଚାଲିଛି।
୨୦୨୪ ସାଧାରଣ ନିର୍ବାଚନରେ ସଫଳତା ପାଇବା ପରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଭାଜପା ଏକାକୀ ସରକାର ଗଠନ କରିଛି। ଏହାର ଶ୍ରେୟ ଅନେକ ସମୟରେ ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଦିଆଯାଉଛି। ୨୦୨୪ ନିର୍ବାଚନରେ ବିଜେଡି ସହ ମେଣ୍ଟ କରିବା ପାଇଁ ମନମୋହନ ହିଁ ପ୍ରଥମେ ବିରୋଧ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ତାଙ୍କ ଦଳ ସରକାର ଆସିବା ଯୋଗୁ ସବୁ ଶ୍ରେୟ ତାଙ୍କ ଖାତାରେ ପଡୁଛି। ତାଙ୍କ ସଭାପତିତ୍ୱ ସମୟରେ ଅର୍ଥାତ୍‌ ନିକଟରେ ହୋଇଥିବା ନୂଆପଡ଼ା ଉପନିର୍ବାଚନରେ ମଧ୍ୟ ଭାଜପା ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହେବାର ଶ୍ରେୟ ଏକ ପ୍ରକାର ମନମୋହନଙ୍କ ପାଇଁ ବୋନସ୍‌ ଆଣିଥିଲା। ଯେହେତୁ ୨୦୨୪ ନିର୍ବାଚନରେ ସେ ନିଜେ ଚାନ୍ଦବାଲି ବିଧାନସଭା କ୍ଷେତ୍ରରୁ ପରାଜିତ ହୋଇଥିଲେ, ତେଣୁ ସେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରିନାହାନ୍ତି। ଏହିସବୁ ଦୃଷ୍ଟିରୁ ଦେଖିଲେ, ଯାହା ବହୁ ଆଗରୁ ଆଲୋଚନା ହୋଇଆସୁଛି, ରାଜ୍ୟ ସଭା ପାଇଁ ଗୋଟିଏ ଆସନରେ ମନମୋହନ ପ୍ରାର୍ଥୀ ହେବା ସମ୍ଭାବନା ଉଜ୍ଜ୍ୱଳ ଅଛି। ସେହିପରି ନୂଆପଡ଼ା ଉପନିର୍ବାଚନ ସମୟରେ ଏହି ଆସନରୁ ୨୦୨୪ରେ ଭାଜପାରୁ ପ୍ରାର୍ଥୀ ହୋଇ ହାରିଯାଇଥିବା ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡାଙ୍କୁ ନେଇ ରାଜନୀତି ଜୋର୍‌ ଧରିଥିଲା। ଉପନିର୍ବାଚନରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେଡି ଛାଡ଼ି ଭାଜପାରେ ଯୋଗଦେଇ ଦଳୀୟ ଟିକେଟ ନେଇଥିଲେ। ଫଳରେ ଅଭିନନ୍ଦନ ଉପନିର୍ବାଚନରେ ଦଳ କଥା ମାନି ଜୟଙ୍କ ପାଇଁ ପ୍ରଚାର କାମରେ ଲାଗିଲେ। ଅଭିନନ୍ଦନଙ୍କୁ ପୁରସ୍କାର ସ୍ବରୂପ ରାଜ୍ୟ ସଭାର ସଦସ୍ୟ ହେବା ପାଇଁ ସୁଯୋଗ ଦିଆଯିବ ବୋଲି ଦଳ ପକ୍ଷରୁ ପ୍ରତିଶ୍ରୁତି ଦିଆଯିବାରୁ ସେ ପ୍ରତିବାଦ ନ କରି ଦଳ ପାଇଁ କାମ କରିଥିଲେ ବୋଲି ସେହି ସମୟରେ ଚର୍ଚ୍ଚା ହେଲା। ବସନ୍ତ ପଣ୍ଡା ପଶ୍ଚିମ ଓଡ଼ିଶାର ଭାଜପାର ଜଣେ ପୁରୁଣା କ୍ୟାଡର। ଦଳ ନୂଆପଡ଼ା ଉପନିର୍ବାଚନ ସମୟରେ ଅଭିନନ୍ଦନଙ୍କୁ ରାଜ୍ୟ ସଭା ପଠାଯିବ ବୋଲି ଯଦି ପ୍ରତିଶ୍ରୁତି ଦେଇଥିବା ବିଷୟ ସତ୍ୟ ହୋଇଥାଏ, ତେବେ ଦଳ ଏହା ପାଳନ କରିବାର ସମ୍ଭାବନାକୁ ଏଡ଼ାଇଦିଆଯାଇ ନ ପାରେ। ସେହିପରି ସମୀର ମହାନ୍ତି, ଗୋଲକ ମହାପାତ୍ର, ଜତିନ ମହାନ୍ତି, ସାରଦା ଶତପଥୀଙ୍କ ଭଳି ନେତା ଗତ ନିର୍ବାଚନରେ ଦଳ ପାଇଁ ନିଷ୍ଠାପର ଭାବେ କାମ କରିଥିଲେ ହେଲେ ଟିକେଟ ନେଇ ନ ଥିଲେ। ତେଣୁ ଏମାନଙ୍କ ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଯଦି ଲକ୍ଷ୍ୟ କରାଯାଏ, ତେବେ ଭାଜପାର ବହୁ ନେତା ଅନେକ ସମୟରେ ତାଙ୍କ ଦଳର ଅନୁଶାସନ ବିଷୟରେ ଏକ ବାର୍ତ୍ତା ଦେବାକୁ ଯାଇ କହିଥାଆନ୍ତି, ଦଳରେ ଯେଉଁମାନେ କାମ କରନ୍ତି ସେମାନେ ସବୁବେଳେ ସେବାକୁ ମୂଳମନ୍ତ୍ର କରି ଆଗକୁ ଚାଲିଥାଆନ୍ତି। ରାଷ୍ଟ୍ର ହିତରେ କାମ କରିବା ଲାଗି ତାଙ୍କ ଦଳର କ୍ୟାଡରମାନଙ୍କ ପାଇଁ ପଦପଦବୀ କେବେ ଗୁରୁତ୍ୱ ରଖେ ନାହିଁ ବୋଲି ସେମାନେ ବହୁ ସମୟରେ କୁହନ୍ତି। ଏହାର ଉଦାହରଣ ମଧ୍ୟ ବିଗତ ଦିନରେ ଦେଖିବାକୁ ମିଳିଛି। ଯେତେବେଳେ ବିଜେଡି ସମର୍ଥନରେ ଭାଜପା ଗୋଟିଏ ରାଜ୍ୟ ସଭା ଆସନ ନେଇଥିଲା ସେତେବେଳେ ଦଳ କୌଣସି କ୍ୟାଡରଙ୍କୁ ନ ବାଛି ପୂର୍ବତନ ଆଇଏଏସ୍‌ ଅଫିସର ଅଶ୍ୱିନୀ ବୈଷ୍ଣବଙ୍କୁ ଏହି ସୁଯୋଗ ଦେଇଥିଲା। ବୈଷ୍ଣବ ଏବେ କେନ୍ଦ୍ରର ବହୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଦାୟିତ୍ୱରେ ରହି ଭଲ କାମ ମଧ୍ୟ କରୁଛନ୍ତି। ସେହି କ୍ରମରେ ଯଦି ଦେଖାଯାଏ, ବିଜେଡିରୁ ମମତା ମହାନ୍ତ ଏବଂ ସୁଜିତ୍‌ କୁମାର ରାଜ୍ୟ ସଭା ଯାଇଥିଲେ। ହେଲେ ବିଜେଡି ସରକାର ଯିବାର କିଛି ମାସ ଭିତରେ ମମତା ଏବଂ ସୁଜିତ୍‌ ବିଜେଡିରୁ ଇସ୍ତଫା ଦେବା ସହିତ ରାଜ୍ୟ ସଭା ପଦ ମଧ୍ୟ ଛାଡ଼ି ଦେଇଥିଲେ। ଏହି ଦୁଇ ଆସନରେ ଆଉ ଥରେ ଉପନିର୍ବାଚନ ହୋଇଥିଲା। ଭାଜପା ମମତା ଏବଂ ସୁଜିତ୍‌ଙ୍କୁ ପୁଣିଥରେ ପ୍ରାର୍ଥୀ କରି ରାଜ୍ୟ ସଭା ପଠାଇଥିଲା। ସେହିପରି ଅମର ପଟ୍ଟନାୟକ ନିକଟରେ ବିଜେଡି ଛାଡ଼ି ଭାଜପାରେ ଯୋଗଦେଇଛନ୍ତି। ଅମର ମଧ୍ୟ ପୂର୍ବରୁ ବିଜେଡିରୁ ରାଜ୍ୟ ସଭା ଯାଇଥିଲେ। ୨୦୨୪ ନିର୍ବାଚନରେ ବିଜେଡି ପରାଜିତ ହେବାପରେ ଭାଜପା ଭୋଟ ଚୋରକରି ବିଜୟୀ ହୋଇଛି ବୋଲି ବହୁ ତଥ୍ୟ ଅମର ସଂଗ୍ରହ କରିଥିଲେ। ହେଲେ କିଛିଦିନ ପର୍ଯ୍ୟନ୍ତ ସେହି ତଥ୍ୟ ଧରି ଭାଜପା ବିରୋଧରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିବା ଅମର ବିଚକ୍ଷଣ ଭାବେ ବୁଲିପଡ଼ିଲେ। ବିଜେଡିରୁ ଯାଇଥିବା ମମତା, ସୁଜିତ ଏବଂ ଅମରଙ୍କର ରାଜ୍ୟ ସଭା ବାବଦରେ ଅନେକ ଅଭିଜ୍ଞତା ରହିଛି। ତେଣୁ ରାଷ୍ଟ୍ରୀୟ ଭାବନାକୁ ମର୍ଯ୍ୟାଦା ଦେଇ ଅଭିଜ୍ଞତାକୁ କାର୍ଯ୍ୟରେ ଲଗାଇବା ପାଇଁ ମମତା, ସୁଜିତ ଏବଂ ଅମରଙ୍କୁ ଯେ ରାଜ୍ୟ ସଭା ପାଇଁ ସୁଯୋଗ ନ ମିଳିବ, ସେକଥାକୁ ନେଇ ଶାସକ ଦଳ ଯେପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ନଁା ଘୋଷଣା କରିନାହିଁ, ସେପର୍ଯ୍ୟନ୍ତ ଦ୍ୱନ୍ଦ୍ୱ ବଜାୟ ରହିବ। ଏହି ୩ ଜଣଙ୍କ ମଧ୍ୟରୁ କାହାରିକୁ ପ୍ରାର୍ଥୀ କରାଇ ଭାଜପାରେ ମିଶୁଥିବା ବ୍ୟକ୍ତିମାନଙ୍କୁ ପ୍ରୋତ୍ସାହିତ କରେ ବୋଲି ଦଳ ବାର୍ତ୍ତା ମଧ୍ୟ ଦେବାକୁ ଚାହିଁପାରେ। ଅନ୍ୟପଟେ ରାଷ୍ଟ୍ରୀୟ ଦଳ ଭାବେ ଭାଜପା ଅନ୍ୟ ରାଜ୍ୟରୁ ମଧ୍ୟ କାହାକୁ ରାଜ୍ୟ ସଭା ପାଇଁ ପଠାଇପାରେ। ଯେମିତି କି ସୁନୀଲ ବଂଶଲ ଏବେ ଯିଏ ଭାଜପାର ଓଡ଼ିଶା କ୍ଷେତ୍ରୀୟ ପ୍ରଭାରୀ ଅଛନ୍ତି ରାଜ୍ୟରେ ସରକାର ଆସିବାରେ କୁଆଡେ ତାଙ୍କର ବହୁ ବଡ଼ ଭୂମିକା ଥିବା କଥା କୁହାଯାଏ। ସେହିପରି ଏବେ ଯିଏ ପ୍ରଭାରୀ ଅଛନ୍ତି ବିଜୟ ପାଲ ସିଂ ତୋମାର ସେ ମଧ୍ୟ ଭାଜପା ସରକାରକୁ ଆସିବା ପୂର୍ବରୁ ହିଁ ରାଜ୍ୟରେ ଦଳର ସଙ୍ଗଠନ ମଜଭୁତ କରିବାକୁ ଏଯାଏଁ ପଡି ରହିଛନ୍ତି। ତେଣୁ ରାଜ୍ୟ ସଭା ପାଇଁ ସୁନୀଲ ଏବଂ ବିଜୟଙ୍କ ସମ୍ଭାବନା ଥିବା କଥା ମଧ୍ୟ ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ, ଓଡ଼ିଶା ବିଧାନସଭାରେ ଭାଜପାର ୭୯ ଜଣ ବିଧାୟକ ଥିବାବେଳେ ୩ ଜଣ ସ୍ବାଧୀନ ବିଧାୟକଙ୍କ ସମର୍ଥନ ରହିଛି। ଏହିପରି ଭାଜପା ପାଖରେ ୮୨ ବିଧାୟକଙ୍କ ସମର୍ଥନ ରହିଛି। ବିଜେଡି ପାଖରେ ୪୮, କଂଗ୍ରେସର ୧୪, ସିପିଆଇ(ଏମ୍‌)ର ୧ ଏବଂ ୨ ଜଣ ସ୍ବାଧୀନ ବିଧାୟକ ଅଛନ୍ତି। ଗୋଟିଏ ରାଜ୍ୟ ସଭା ଆସନ ଲାଗି ୩୦ ଖଣ୍ଡ ଭୋଟ୍‌ର ଆବଶ୍ୟକତା ରହିଛି।

 

Dharitri – Odisha’s No.1 Odia Daily

 

Share