ଭୁବନେଶ୍ୱର,୧୦।୧୦: ରାଜ୍ୟ କ୍ୟାବିନେଟ୍ ବୈଠକରେ ଖାଦ୍ୟ ଓ ଧାନ ସଂଗ୍ରହ ନୀତି ୨୦୨୫-୨୬କୁ ଅନୁମୋଦନ ଦିଆଯାଇଛି। ଏହି ନୀତି ଅନୁଯାୟୀ, ଖରିଫ ଋତୁରେ ୬୩ ଲକ୍ଷ ମେଟ୍ରିକ ଟନ୍ (ପ୍ରାୟ ୯୩ ଲକ୍ଷ ମେଟ୍ରିକ ଟନ୍ ଧାନ) ଚାଉଳ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି।
ଧାନ ସଂଗ୍ରହ ୧ ଅକ୍ଟୋବର ୨୦୨୫ରୁ ଆରମ୍ଭ ହୋଇ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଚାଲିବ। ଖରିଫ ଧାନ ନଭେମ୍ବର ୨୦୨୫ରୁ ମାର୍ଚ୍ଚ ୨୦୨୬ ଓ ରବି ଧାନ ମେ ୨୦୨୬ରୁ ଜୁନ ୨୦୨୬ ମଧ୍ୟରେ ସଂଗ୍ରହ ହେବ। କେବଳ ପଞ୍ଜିକୃତ ଚାଷୀଙ୍କଠାରୁ ଆଧାର ଆଧାରିତ ବାୟୋମେଟ୍ରିକ୍ ଚିହ୍ନଟୀକରଣ ମାଧ୍ୟମରେ ଧାନ କ୍ରୟ କରାଯିବ। ସାଧାରଣ ଧାନ ଓ ଗ୍ରେଡ-ଏ ଧାନ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଯଥାକ୍ରମେ ୨,୩୬୯ ଓ ୨,୩୦୯ ଟଙ୍କା ପ୍ରତି କ୍ୱିଣ୍ଟାଲ ରହିଛି।
ସଂଗ୍ରହୀତ ଚାଉଳ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଓ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନା ପାଇଁ ବ୍ୟବହୃତ ହେବ। ବଳକା ଚାଉଳ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ମାଧ୍ୟମରେ କେନ୍ଦ୍ରୀୟ ଭଣ୍ଡାରକୁ ପଠାଯିବ। କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଗ୍ରାଧିକାର ଦିଆଯିବ ଏବଂ ଧାନ ସଂଗ୍ରହ ପ୍ରକ୍ରିୟା P-PAS ସଫ୍ଟଓୟାର ମାଧ୍ୟମରେ ସ୍ୱଚ୍ଛ ଓ ସରଳ ହେବ।