ଭୁବନେଶ୍ୱର,୧୦।୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ୨୮ତମ ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୦ଟି ବିଭାଗର ୧୫ଟି ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏହି ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
କ୍ୟାବିନେଟ୍ରେ ୨୦୨୫-୨୬ ଖାଦ୍ୟ ଓ ଧାନ ସଂଗ୍ରହଣ ନୀତିକୁ ଅନୁମୋଦନ ଦିଆଯାଇଛି, ଯେଉଁଥିରେ ଖରିଫ ଋତୁରେ ୬୩ ଲକ୍ଷ ମେଟ୍ରିକ ଟନ୍ ଚାଉଳ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନାକୁ ୨୦୨୫-୩୦ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇ ୧,୪୩୭ କୋଟି ଟଙ୍କା ବ୍ୟୟବରାଦ ମଞ୍ଜୁର ହୋଇଛି, ଯାହାଦ୍ୱାରା ୧,୨୩,୪୮୮ ହେକ୍ଟର ଚାଷ ଜମିକୁ ଜଳସେଚନ ଯୋଗାଇ ଦିଆଯିବ।
ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ପାଇଁ ୧୯,୯୪୧ କୋଟି ଏବଂ ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ଯୋଜନା ପାଇଁ ୧,୭୯୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଓଡ଼ିଶା ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ନିୟମ ୨୦୨୫ ଏବଂ ସ୍ୱଚ୍ଛ ଓଡ଼ିଶା ଯୋଜନା ପାଇଁ ୧,୬୦୦ କୋଟି ଟଙ୍କା ଅନୁମୋଦିତ ହୋଇଛି।
ଏହାସହ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ। ଓଡ଼ିଶା ଜନବିଶ୍ୱାସ ଅଧ୍ୟାଦେଶ ୨୦୨୫କୁ ମଞ୍ଜୁରୀ ମିଳିଥିବା ବେଳେ ଛୋଟ ଅପରାଧୀଙ୍କ ପାଇଁ ଦଣ୍ଡ ବଦଳରେ ଜରିମାନା ବ୍ୟବସ୍ଥା କରାଯାଇଛି। ଏହାସହ ୧୭ତମ ବିଧାନସଭାର ୪ର୍ଥ ଅଧିବେଶନର ସତ୍ରାବସାନକୁ ମଞ୍ଜୁରୀ ଦିଆଯାଇଛି।