କୋରାପୁଟ,୨୭।୧(ଅମିତାଭ ବେହେରା): ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର କୋରାପୁଟରୁ ଅଯୋଧ୍ୟା ଏବଂ ପ୍ରୟାଗରାଜ ଅଭିମୁଖେ ଏକ ଭଲବୋ ବସ୍ ଯାତ୍ରା ଆରମ୍ଭ କରିଛି। ଅତିଥି ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ, ଜିଲାପାଳ ଭି କୀର୍ତ୍ତି ଭାସନ, ଆର୍ଟିଓ ରାଜେଶ ମାରାଣ୍ଡି ପ୍ରମୁଖ ଯୋଗଦେଇ ପୂଜାର୍ଚ୍ଚାନା ପରେ ପତକା ଦେଖାଇ ବସ୍ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ରାଜ୍ୟ ସରକାରଙ୍କ ଓଏସଆରଟିସି ପକ୍ଷରୁ ଏହି ବସ୍ସେବା ଆରମ୍ଭ କରାଯାଇଥିବା ବେଳେ କୋରାପୁଟରୁ ଏହି ବସ ବାହାରି ଭାୟା ରାୟପୁର ହୋଇ ଅଯୋଧ୍ୟା, ବାରାଣସୀ, ପ୍ରୟାଗରାଜର କୁମ୍ଭମେଳା ହୋଇ ପୁଣି କୋରାପୁଟରେ ପହଞ୍ଚିବ ବୋଲି ଡିଟିଏମ୍ ଶ୍ରୀନିବାସ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ପୁରୁଷଙ୍କ ପାଇଁ ଟିକେଟ ଦର ୬୯୦୦ ଟଙ୍କା ରଖାଯାଇଥିବା ବେଳେ ମହିଳାମାନଙ୍କ ପାଇଁ ୪୨୦୦ ଟଙ୍କା ରଖାଯାଇଥିବା ଡିଟିଏମ୍ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏହି ଟିକେଟରେ ବସ୍ ଯାତ୍ରା, ରହିବା, ଖାଇବା ବ୍ୟବସ୍ଥା ରଖିଥିବା ଜିଲାପାଳ ପ୍ରକାଶ କରିଛନ୍ତି। ଆସନ୍ତା ମାସ ୨୪ ତାରିଖ ପର୍ଯ୍ୟନ୍ତ ୫ ଥର ଏହି ବସ୍ ଯାତ୍ରା କାର୍ଯ୍ୟ ସୂଚୀ ରହିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। କାର୍ଯ୍ୟକ୍ରମରେ କୋରାପୁଟ ଜିଲାପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା, କୋରାପୁଟ ପୌରାଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ସିଡିଓ ବେଣୁଧର ଶବର, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ବରାଜ ଶିଶାଙ୍କ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ।