ବସ୍‌-ବାଇକ୍‌ ଧକ୍କା, ଚାଲିଗଲା ଚାଳକଙ୍କ ଜୀବନ, ରାସ୍ତା ଉପରେ ମୃତଦେହ ରଖି…

ଗୁଣୁପୁର,୧୨ା୧(ସଙ୍କେତ ପାତ୍ର): ଗୁଣୁପୁର ବଂଶଧାରା ବ୍ରିଜ ନିକଟ ମୁଖ୍ୟ ରାସ୍ତା ଉପରେ ମୃତଦେହ ରଖି କ୍ଷତିପୂରଣ ଦାବିରେ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ଗୁଣୁପୁର ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଛି।

ସୂଚନା ଥାଉକି, ରବିବାର ଏକ ଘରୋଇ ବସ୍‌ ସହ ବାଇକ୍‌ ମଧ୍ୟରେ ଧକ୍କା ହୋଇଥିଲା। ବାଇକ ଆରୋହୀ ଗୁରୁତର ଅବସ୍ଥାରେ ଗୁଣୁପୁର ମେଡିକାଲ ଭର୍ତ୍ତି ହୋଇଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଆଜି ମୃତଦେହକୁ ଦୁର୍ଘଟଣା ଘଟିଥିବା ସ୍ଥାନରେ ରଖି ରାସ୍ତା ଅବରୋଧ କରିଛନ୍ତି। ମୃତ ଯୁବକ ହେଲେ ପୁଟାସିଂ ଥାନା ଅନ୍ତର୍ଗତ ମାନେଙ୍ଗୁଲ ଗ୍ରାମର ଅନିଲ ଶବର(୩୫)। ରାସ୍ତାର ଉଭୟ ପଟେ ଗାଡ଼ିଗୁଡିକ ଛିଡ଼ା ହୋଇ ରହିଥିବାବେଳେ ଯାତାୟାତ ବନ୍ଦ ହୋଇଯାଇଛି।

ବର୍ତ୍ତମାନ ପୁଟାସିଂ ପଞ୍ଚାୟତ ସରପଞ୍ଚଙ୍କ ଉପସ୍ଥିତିରେ ଗୁଣପୁର ଥାନା ଆଇଆଇସି  କମଳ କହଁର ଓ ମୃତକଙ୍କ ପରିବାର ମଧ୍ୟରେ ବୁଝାମଣା ହୋଇ ରାସ୍ତା ଛାଡିଛନ୍ତି। ଦୁର୍ଘଟଣା ଘଟଇଥିବା ବସକୁ ଜବତ କରାଯିବ କହିଛନ୍ତି ଆଇଆଇସି ।

Dharitri – Odisha’s No.1 Trusted Odia Daily