
ଭୋଗରାଇ,୧୩ା୨(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଚନ୍ଦନେଶ୍ୱରରୁ ପ୍ରୟାଗରାଜ ମହାକୁମ୍ଭକୁ ବୁଡ଼ ଦେବାଲାଗି ଯାଉଥିବା ଶ୍ରୀରାମଜୀ ବସ୍ ବିହାର ୟୁପି ସୀମାନ୍ତ ମଥାନୀଠାରେ ଗତ ବୁଧବାର ରାତି ୧୨ଟା ୫୦ମିନିଟ୍ ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବାର ସୂଚନା ମିଳିଛି। ବସ୍ର ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ସେଠାରେ ଅଟକିଥିବା ଏକ ବାଲିବୋଝେଇ ଡମ୍ପରକୁ ପଛପଟରୁ ଧକ୍କାଦେବାରୁ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବାର ଗାଡ଼ିରେ ଥିବା ଜଗନ୍ନାଥପୁର ପଞ୍ଚାୟତର ଓ୍ବାର୍ଡମେମ୍ବର କାର୍ତ୍ତିକ ସାହୁ ଜଣାଇଛନ୍ତି l ଏହି ବସ୍ରେ ଥିବା ୭୦ଜଣ ମହିଳା, ପୁରୁଷ ସହ ୧୦ ଜଣ ଯାତ୍ରୀ ଉଣାଅଧିକେ ଆହତ ହୋଇ ସେଠାରେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ୩ ଜଣ ଯୁବକ ଗୁରୁତର ହୋଇ ଡାକ୍ତରଖାନା ଆଇସିୟୁରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ସେମାନେ ହେଲେ ଭୋଗରାଇ ବ୍ଲକ କୁମାର ସରିସା ଗ୍ରାମର ସୁବାସ ବେହେରା( ୪୨), ଫୁଲବଣୀ ଗ୍ରାମର ବାପି ସାସମଲ (୩୫)ଓ ନଗୁଆଁ ଗ୍ରାମର ରାଜକିଶୋର ସାହୁ( ୫୦) । ଦୁର୍ଘଟଣା ଘଟାଇଥିବା ବସ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଥିବାବେଳେ ଗୁରୁବାର ଖବର ଲେଖା ହେଲାବେଳକୁ ସେଠାରେ ୧୦ଜଣ କିଶୋରୀ ଓ କିଶୋର ପରିବାର ସହିତ ବିଚ୍ଛିନ୍ନ ହୋଇଥିବାର ଦୁଃଖଦ ଖବର ମିଳିଛି। ଏହି ଘଟଣାରେ ଯୁଦ୍ଧକାଳୀନ ଭିତ୍ତିରେ ରାଜ୍ୟସରକାର ସମସ୍ତ ତୀର୍ଥ ଯାତ୍ରୀଙ୍କ ଉଦ୍ଧାର ଓ ଉଚ୍ଚମାନର ଡାକ୍ତରୀ ଚିକତ୍ସା ଓ ସେଠାରୁ ସମସ୍ତଙ୍କୁ ଘରକୁ ଫେରାଇ ଆଣିବାକୁ ଭୋଗରାଇବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ, ପରିବହନ ମନ୍ତ୍ରୀ ଓ ବାଲେଶ୍ୱର ଜିଲାପାଳଙ୍କୁ ନିବେଦନ କରାଯାଇଛି l ଅପରପକ୍ଷରେ ଗୁରୁତର ଓ ଆହତ ହୋଇଥିବା ଯାତ୍ରୀଙ୍କ ପରିବାର ପକ୍ଷରୁ ସମସ୍ତେ ବିଚଳିତ, ଚିନ୍ତାଗ୍ରସ୍ତ ଓ କାନ୍ଦବୋବାଳିରେ ସମଗ୍ର ଅଞ୍ଚଳ ଦୁଃଖରେ ଭାଙ୍ଗିପଡ଼ିଛି।