୩୫ ଭରଣ ଜମିର ଧାନ ଜଳିଯିବା ଘଟଣା: ପହଞ୍ଚିଲେ ବିଧାୟକ, ତହସିଲଦାର 

ଗଞ୍ଜାମ,୧୩।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ ବରୋଦା ଗ୍ରାମର ଖଳାରେ ମଙ୍ଗଳବାର ଅପରାହ୍ନରେ ହଟାତ ନିଆଁ ଲାଗିଯାଇଥିଲା । ଖଳାରେ ଅମଳ ହେବାକୁ ଥିବା ୩୫ ଭରଣ ଜମିର ଧାନ ସମ୍ପୂର୍ଣ ଜଳି ପୋଡି ନଷ୍ଟ ହୋଇ ଯାଇଛି । ନିଆଁ ଲାଗିବା ଖବର ପାଇ ଛତ୍ରପୁର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ସବୁ ଧାନ ପୋଡି ଯାଇଥିଲା ।
ସରପଞ୍ଚ ମମତା ବେହେରାଙ୍କ ଠାରୁ ଖବରପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର। ଜମିଲା ରାଉତ, ମହେଶ୍ୱର ସ୍ବାଇଁ, ନରସିଂହ ସ୍ବାଇଁ, ନନ୍ଦିନୀ ରାଉତ, ଗଙ୍ଗା ପରିଡା, ଆଦିତ୍ୟ ରାଉତ, ଲୋକନାଥ ରେଡି, ଜମ୍ଭୁ ମାହାନ୍ତିଙ୍କର ଧାନ ସବୁ ପୋଡି ପାଉଁଶ ହୋଇ ଯାଇଥିବା ବୁଲି ଦେଖିବା ସହ କେଉଁ କାରଣରୁ ନିଆଁ ଲାଗିଥିଲା ତାହାର ତଦନ୍ତ ଆରମ୍ଭ କରିଛନ୍ତି ତହସିଲଦାର ।  ଯାହାର ଯାହାର ଧାନ ପୋଡି ନଷ୍ଟ ହୋଇଛି ତଦନ୍ତ ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ତହସିଲଦାର ମିଶ୍ର ପ୍ରତିଶୃତି ଦେଇଛନ୍ତି ।
ଅନ୍ୟପଟେ ଖବର ପାଇ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ସରପଞ୍ଚ ମମତା ବେହେରା, ସରପଞ୍ଚ ପ୍ରତିନିଧି ସୁଦାମ ବେହେରା ପ୍ରମୁଖ ବରୋଦା ଗ୍ରାମ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ପୋଡ଼ିଯାଇଥିବା ସମସ୍ତ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀ ଏବଂ ପ୍ରକୃତ ଚାଷୀ ।ତେଣୁ ସେମାନଙ୍କୁ ପ୍ରଶାସନ ଓ ସରକାରଙ୍କ ପକ୍ଷରୁ କ୍ଷତି ପୂରଣ ଯୋଗାଇ ଦେବାକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ସମେତ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା ଦାବି କରିଛନ୍ତି ।
Dharitri – Odisha’s No.1 Odia Daily