ଓଡଗାଁ,୩୦।୯(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଅଧୀନ ୨୧ ନମ୍ବର ରାଜ୍ୟ ରାଜପଥ ଗୋଡିପଲି ପେଟ୍ରୋଲ ପମ୍ପ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବୁଲେଟ୍-ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୩ଜଣ ଯୁବକଙ୍କ ମୃତ୍ୟୁ ହୋଇଛି।
ମିଳିଥିବା ସୂଚନା ମୁତାବକ, ବାଣ୍ଠପୁର ପଞ୍ଚାୟତ ଚେମେଡି ଗ୍ରାମର ମୋହନ ବାରିକ ବୁଲେଟ୍ (ନଂ.ଓଡି୨୫କ୍ୟୁ-୯୨୮୫)ରେ ଗାଁରୁ ବାହାରି କୋମଣ୍ଡ-ବାଘୁଆ ଛକ ହୋଇ ଆସୁଥିଲେ। ସେତିକିବଳେ କେନ୍ଦ୍ରାପଡ଼ାର ସନ୍ତୋଷ କୁମାର ରାଉତରାୟ(୩୫) ଏବଂ ସମ୍ପର୍କୀୟ ଭାଇ ଗଞ୍ଜାମ ଜିଲା କରସିଂ ଗ୍ରାମର ସିଲୁ ନାୟକ(୨୪) ବାଇକ୍(ନଂ.ଓଡି୨୯ଡି-୨୪୪୮)ରେ ଗାଁକୁ ଯାଉଥିଲେ। ହେଲେ ଗୋଡିପଲି ପେଟ୍ରୋଲ ପମ୍ପ ନିକଟରେ ବୁଲେଟ୍-ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।
ଦେଖଣାହାରୀଙ୍କ କହିବା ଅନୁସାରେ, ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଉଭୟ ଗାଡି ସହିତ ୩ଜଣ ବାଇକ୍ ଆରୋହୀ ପ୍ରାୟ ୧୦ଫୁଟ ଉପରକୁ ଉଠି ରାସ୍ତା ଉପରେ କଚାଡି ହୋଇ ପଡ଼ିଥିଲେ। ଫଳରେ ସେମାନେ ଗୁରୁତର ହୋଇଥିଲେ। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଦାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ୩ଜଣଙ୍କୁ ମୃତ ଘୋଷଣା କରିଥିଲେ।
ପୋଲିସ ୨ଟି ଗାଡି ସହ ୩ଟି ମୋବାଇଲ ଫୋନ ସହିତ ମୃତଦେହ ଜବତ କରି ମାମଲାର ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ସମ୍ପର୍କୀୟ ହସ୍ପିଟାଲ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।
ଅନ୍ୟପକ୍ଷେ ମୃତ ମୋହନ ମିସ୍ତ୍ରୀ ଭାବେ କାମ କରୁଥିବା ବେଳେ ସେ ନୂଆଁ ବୁଲେଟ୍ କିଣିଥିଲେ। ୨ ବାଇକ୍ ଆରୋହୀ ସମ୍ପର୍କୀୟ ଭାଇ ହୋଇଥିବା ବେଳେ ସନ୍ତୋଷ ନିଜ ମାମୁଁ ପୁଅ ଭାଇ ସିଲୁଙ୍କ ସହିତ ସଉଦା କରିବାକୁ ଓ ଆସି କରସିଂ ଫେରୁଥିବା ଜଣାପଡି।