ଦାରିଙ୍ଗବାଡି,୪।୨(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ପୁଣି ବୁଧବାର ବୁଲଡୋଜର ବୁଲିଛ। ସରକାରୀ ଜମିକୁ ଜବରଦଖଲ କରି ରଖିଥିବା ଦୋକାନ ଗୃହ ସମେତ ବାସ ଗୃହକୁ ବୁଧବାର ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି।
ପ୍ରକାଶ ଯେ, ଦାରିଙ୍ଗବାଡିର ୪ ଛକ ନିକଟ ୫୯ ନଂ ଜାତୀୟ ରାଜପଥ କଡ଼ରୁ ପାଟ୍ଟଖଣ୍ଡା ମନ୍ଦିର ରୋଡ଼ରେ ଏକାଧିକ ଲୋକ ସରକାରୀ ଜମିକୁ ଜବରଦଖଲ କରି ଦୀର୍ଘବର୍ଷ ହେଲା ରହି ଆସୁଥିଲେ। ସେମାନଙ୍କୁ ପୂର୍ବରୁ ନୋଟିସ କରାଯାଇଥିଲା। ମାତ୍ର ଜବରଦଖଲ କାରୀମାନେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ପରେ ଏହାର ଶୁଣାଣି ପାଇଁ ଉପଜିଲାପାଳଙ୍କୁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେବା ପରେ ଉପଜିଲାପାଳ ଏହାର ଉଚ୍ଛେଦ ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ବୋଲି ତହସିଲଦାର ଧୀରଜ ପାତ୍ର କହିଛନ୍ତ।
ସେପଟେ ସେଠାରେ ଦୀର୍ଘବର୍ଷ ଧରି ରହି ଆସୁଥିବା ପରିବାର ପ୍ରଶାସନକୁ ଦାୟୀ କରିବା ସହ ତାଙ୍କୁ ଥଇଥାନ ନ କରି ଘର ଭାଙ୍ଗିବା ଘଟଣାକୁ ନିନ୍ଦା କରିଛନ୍ତି। ଏହାସହ ରାଜରାସ୍ତାକୁ ସେମାନେ ବାସସ୍ଥାନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଆଇଆଇସି ସଂଗ୍ରାମ କେଶରୀ ଜେନାଙ୍କ ନେତୃତ୍ୱରେ ସବନ୍ସପେକ୍ଟର ବାସନ୍ତି ବେହେରା, ଏସ.କେ ଇମଦାଦ, ଏଏସଆଇ ଶ୍ରୀନିବାସ ରାଓ, ଅର୍ଜୁନ ଶବର ସଦଳବଳ ଉପସ୍ଥିତିିଥିଲେ।
Dharitri – Odisha’s No.1 Odia Daily