ବରଗଡ଼,୧୧।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପ୍ରଶାସନ ସହର ରାସ୍ତାପାର୍ଶ୍ୱରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାକୁ ଜୋରଦାର୍ କରିଛି। ସ୍ଥାନୀୟ ଲମ୍ବା ବିଲଡ଼ିଂରୁ ଭଟଲି ଛକ ରାସ୍ତାପାର୍ଶ୍ୱରେ ଉଚ୍ଛେଦ ପ୍ରକ୍ରିୟା ସରିବା ପରେ ଗାନ୍ଧିଛକରୁ କେନାଲ ଛକ ରାସ୍ତାପାର୍ଶ୍ୱରୁ ଜବରଦଖଲ ହଟାଯିବା ରବିବାରରୁ ଆରମ୍ଭ ହୋଇଛି। ଅନ୍ୟପଟେ ସହରବାସୀଙ୍କ ଦୀର୍ଘବର୍ଷର ଦାବି ହୋଇ ରହି ଆସିଥିବା ସ୍ଥାନୀୟ ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜୀରାବ୍ରିଜ ରାସ୍ତା ପାର୍ଶ୍ୱ ଜବରଦଖଲ ଉଚ୍ଛେଦ ମାପଚୁପ ପରେ ନ୍ୟାୟାଳୟର ବିଚାର ପ୍ରକ୍ରିୟାରେ ଅଟକି ରହିଛି। ଏଭଳି ସ୍ଥିତିରେ ସହରର ଯେଉଁଠି ମଧ୍ୟ ଉଚ୍ଛେଦ ପ୍ରକ୍ରିୟା ଚାଲିଲେ ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜୀରାବ୍ରିଜ ରାସ୍ତା ପାର୍ଶ୍ୱ ଜବରଦଖଲ ଉଚ୍ଛେଦ କେବେ ହେବ ବୋଲି ସହରବାସୀଙ୍କ ମନରେ ଆପେ ପ୍ରଶ୍ନ ଉଠୁଛି। ତେବେ ଲମ୍ବା ବିଲଡ଼ିଂ ଛକରୁ ଭଟଲି ଛକ ହେଉ କିମ୍ବା ଗାନ୍ଧିଛକରୁ କେନାଲ ଛକ ଜବରଦଖଲ ଉଚ୍ଛେଦରେ ପ୍ରଶାସନିକ ତପତ୍ରତା ଏବଂ ଉଚ୍ଛେଦରେ ପ୍ରଭାବିତ ଲୋକଙ୍କ ସହଯୋଗ ଯେଭଳି ପରିଲକ୍ଷିତ ହେଉଛି, ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜୀରାବ୍ରିଜ ରାସ୍ତା ପାର୍ଶ୍ୱ ଜବରଦଖଲ ଉଚ୍ଛେଦ କଥା ଉଠିଲେ, ତାହା କାହିଁକି ପରିଲକ୍ଷିତ ହେଉ ନାହିଁ ବୋଲି ଏବେ ସହରର ଚା ଖଟିଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଲୋକେ ଆଲୋଚନା କରୁଛନ୍ତି।