କାଠ ମାଫିଆଙ୍କଠାରୁ ଟଙ୍କା ନେଉଥିଲେ, ଭିଡିଓ ଭାଇରାଲ ପରେ ବୁଗୁଡ଼ା ବନାଞ୍ଚଳ ଅଧିକାରୀ ସସ୍‌ପେଣ୍ଡ

ବୁଗୁଡା,୨୦।୮(କାଳିଚରଣ ଦାଶ): ଗତ ୧୭ ତାରିଖ ଦିନ ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର ଜଣେ କାଠ ମାଫିଆଙ୍କଠାରୁ ଟଙ୍କା ଗ୍ରହଣ କରୁଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ପରେ ଏନେଇ ବିଭିନ୍ନ ବୈଦୁୁତିକ ଓ ଛାପା ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଅଧିକାରୀଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଯାଇଥିଲା। ତେବେ ଉପରିସ୍ଥ ବିଭାଗୀୟ ଅଧିକାରୀଙ୍କ ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ବ୍ରହ୍ମପୁରସ୍ଥ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ବିଶ୍ବନାଥ ନୀଳାନ୍ନଭର ସମ୍ପୃକ୍ତ ବନାଞ୍ଚଳ ଅଧିକାରୀଙ୍କୁ ସସ୍‌ପେଣ୍ଡ(ନିଲମ୍ବନ) କରିଥିଲେ। ନିଲମ୍ବିତ ବନାଞ୍ଚଳ ଅଧିକାରୀଙ୍କୁ ଭଞ୍ଜନଗର ହେଡ କ୍ବାଟରରେ ଅବସ୍ଥାପିତ କରାଯାଇଥିବା ବେଳେ ଆସିକା ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ପଣ୍ଡା ଆଜିଠାରୁ ବୁଗୁଡା ବନାଞ୍ଚଳ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱରେ ରହିଥିବା ଜଣାଯାଇଛି।
ପ୍ରକାଶ ଯୋଗ୍ୟ ଯେ, ପୂର୍ବରୁ ସକ୍ରିୟ କାଠ ମାଫିଆ ଓ ଅସାଧୁ ବନ କର୍ମଚାରୀଙ୍କ ମଧୁଚନ୍ଦ୍ରିକା ବୁଗୁଡା ବନାଞ୍ଚଳର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଥିବା ନେଇ ବିଭିନ୍ନ ଖବର କାଗଜରେ ପ୍ରକାଶିତ ହୋଇଥିଲା ବେଳେ ଏବେକାର ଟଙ୍କା ଦିଆନିଆ ଘଟଣାଟିର ପ୍ରଚ୍ଛଦପଟରେ ସ୍ଥାନୀୟ ବନ ବିଭାଗର ଜନୈକ ଅସ୍ଥାୟୀ ତଳିଆ କର୍ମଚାରୀଙ୍କ ସନ୍ଦିଗ୍ଧ ଭୂମିକା ରହିଥିବା ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି। ଏଥିପ୍ରତି ଉପରିସ୍ଥ ଅଧିକାରୀ ଦୃଷ୍ଟି ଦେବାକୁ ଦୃଢ ଦାବିହେଉଛି।

Share