ବଢ଼ିଛି ବଜେଟ ଖର୍ଚ୍ଚ, କମିଛି ଆୟ: ୫ବର୍ଷରେ ଦୁଇଗୁଣ ବଢ଼ିଛି ଏସ୍‌ଜିଏସ୍‌ଟି

ଭୁବନେଶ୍ୱର,୨ା୯(ରବିନାରାୟଣ ଜେନା):ରାଜ୍ୟରେ ଭାଜପା ସରକାର ୨୦୨୪ ଜୁନ୍‌ରେ କ୍ଷମତାକୁ ଆସିବା ପରେ ବିଭିନ୍ନ ସରକାରୀ ଯୋଜନା କାର୍ଯ୍ୟକାରୀ କରିବା ଓ ଭିତ୍ତିଭୂମି ସୁଦୃଢ଼ କ୍ଷେତ୍ରରେ ଟଙ୍କା ଖର୍ଚ୍ଚ ହୋଇପାରୁ ନାହିଁ ବୋଲି ଯେଉଁ କୁହାଯାଉଥିଲା ତାହା ବାସ୍ତବରେ ସତ୍ୟ ନୁହେଁ। ପୂର୍ବର ବିଜେଡି ସରକାରଙ୍କ ତୁଳନାରେ ରାଜ୍ୟ ସରକାରଙ୍କ ଗତ ଆର୍ଥିକବର୍ଷରେ ଖର୍ଚ୍ଚ ବଢ଼ିଛି। ୨୦୨୩-୨୪ ଆର୍ଥିକବର୍ଷ ତୁଳନାରେ ୨୦୨୪-୨୫ରେ ୩ ପ୍ରତିଶତ ଖର୍ଚ୍ଚ ଅଧିକ ହୋଇଛି। ହେଲେ ଏହି ଅବଧି ମଧ୍ୟରେ ରାଜ୍ୟ ରାଜକୋଷକୁ ଯେତିକି ପରିମାଣର ରାଜସ୍ବ ମିଳିବା କଥା ତାହା ମିଳିନାହିଁ। ୭ ପ୍ରତିଶତ ରାଜସ୍ବ କମ୍‌ ମିଳିଛି ବୋଲି ନିକଟରେ ପ୍ରମୁଖ ମହାଲେଖାକାର ସୁବା. ଆର୍‌.ଙ୍କ ଏକ୍‌ଜିଟ୍‌ କନ୍‌ଫରେନ୍ସରୁ ଜଣାଯାଇଛି।
ତଥ୍ୟ ଅନୁଯାୟୀ, ୨୦୨୩-୨୪ ଆର୍ଥିକବର୍ଷରେ ରାଜ୍ୟ ସରକାରଙ୍କ ବଜେଟ ଆକଳନ ୧ଲକ୍ଷ ୫୭ହଜାର ୭୬୨କୋଟି ଟଙ୍କା ରହିଥିବାବେଳେ ସେଥିରୁ ୧ଲକ୍ଷ ୪୮ହଜାର ୮୩୨କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା; ଯାହାକି ପୂର୍ବ ସରକାରଙ୍କ ଖର୍ଚ୍ଚ ହାର ୯୪% ରହିଥିଲା। ମାତ୍ର ୨୦୨୪-୨୫ ଆର୍ଥକବର୍ଷରେ ରାଜ୍ୟ ସରକାର ୧ଲକ୍ଷ ୬୬ହଜାର ୯୨୩କୋଟି ଟଙ୍କାର ବଜେଟ ଆକଳନ କରିଥିବାବେଳେ ସେଥିରୁ ୧ଲକ୍ଷ ୬୧ହଜାର ୩୧୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି, ଯାହା କି ୯୭%।
ଅନ୍ୟପକ୍ଷରେ ୨୦୨୩-୨୪ ଆର୍ଥିକବର୍ଷରେ ୧ଲକ୍ଷ ୮୪ହଜାର ୫୦୦କୋଟି ଟଙ୍କାର ବଜେଟ ଆକଳନ କରାଯାଇଥିଲା। ଉକ୍ତ ବର୍ଷ ୧ଲକ୍ଷ ୭୯ହଜାର ୫୯୩ କୋଟି ଟଙ୍କାର ରାଜସ୍ବ ସରକାର ପାଇଥିଲେ, ଯାହାକି ସମୁଦାୟ ୯୭% ରାଜସ୍ବ ସରକାରଙ୍କୁ ମିଳିଥିଲା। ହେଲେ ୨୦୨୪-୨୫ ଆର୍ଥିକବର୍ଷରେ ରାଜ୍ୟ ସରକାର ଯେଉଁ ବଜେଟ ଆକଳନ କରିଥିଲେ ସମାନ ପରିମାଣର ରାଜସ୍ବ ସରକାରଙ୍କୁ ମିଳିପାରିନାହିଁ। ଉକ୍ତ ଆର୍ଥିକବର୍ଷ ରାଜ୍ୟ ସରକାରଙ୍କ ବଜେଟ ଆକଳନ ୨ଲକ୍ଷ ୪ହଜାର ୫୦୦ କୋଟି ଟଙ୍କା ରହିଥିବାବେଳେ ୧ଲକ୍ଷ ୮୩ହଜାର ୯୬୩ କୋଟି ଟଙ୍କାର ରାଜସ୍ବ ମିଳିଥିଲା, ଯାହାକି ୯୦%। ପୂର୍ବ ବର୍ଷ ତୁଳନାରେ ଗତବର୍ଷ ସରକାର ୭ ପ୍ରତିଶତ କମ୍‌ ରାଜସ୍ବ ପାଇଥିବା ସମ୍ମିଳନୀରୁ ଜଣାଯାଇଛି।
ତଥ୍ୟ ଅନୁଯାୟୀ, ୨୦୨୦-୨୧ରେ ରାଜ୍ୟ ସରକାର ନିଜସ୍ବ କ୍ଷେତ୍ର ରାଜ୍ୟ ସାମଗ୍ରୀ ଓ ସେବାକର(ଏସ୍‌ଜିଏସ୍‌ଟି)ରୁ ଯେତିକି ରାଜସ୍ବ ପାଇଥିଲେ ତାହା ୨୦୨୪-୨୫ ଆର୍ଥିକବର୍ଷ ବେଳକୁ ପ୍ରାୟ ଦୁଇଗୁଣ ବଢ଼ିଛି। ହେଲେ ଜମି ପଞ୍ଜୀକରଣ କ୍ଷେତ୍ରରୁ ରାଜ୍ୟ ସରକାର ଉକ୍ତ ଅବଧି ମଧ୍ୟରେ ଯେତିକି ରାଜସ୍ବ ପାଉଥିଲେ ତାହା ଅପେକ୍ଷାକୃତ ହ୍ରାସ୍‌ ପାଇଛି। ୨୦୨୦-୨୧ରେ ରାଜ୍ୟ ସରକାର ଏସ୍‌ଜିଏସ୍‌ଟିରୁ ୧୩ ହଜାର ୪୩କୋଟି ଟଙ୍କା ପାଇଥିବାବେଳେ ୨୦୨୧-୨୨ରେ ୧୬ହଜାର ୩୯୨କୋଟି, ୨୦୨୨-୨୩ରେ ୧୮ହଜାର ୬୦୧ କୋଟି, ୨୦୨୩-୨୪ରେ ୨୩ହଜାର ୮୯୬କୋଟି ଏବଂ ୨୦୨୪-୨୫ରେ ଏହା ବଢ଼ି ୨୫ହଜାର ୬୧କୋଟିରେ ପହଞ୍ଚିଛି। ସେହି ତୁଳନାରେ ରାଜ୍ୟ ସରକାର ଜମିଜମା ପଞ୍ଜୀକରଣରୁ ଯେତିକି ରାଜସ୍ବ ପାଇବା କଥା ତାହା ପାଇ ନାହାନ୍ତି। ୨୦୨୦-୨୧ରେ ରାଜ୍ୟ ସରକାର ୨,୯୪୨ କୋଟି ଟଙ୍କାର ରାଜସ୍ବ ପଞ୍ଜୀକରଣରୁ ପାଇଥିବାବେଳେ ଏହା ୨୦୨୧-୨୨ରେ ୨,୪୧୯ କୋଟିକୁ ହ୍ରାସ୍‌ ପାଇଥିଲା। ସେହିପରି ୨୦୨୨-୨୩ରେ ଏହା ହ୍ରାସ୍‌ ପାଇ ୧,୯୯୭ କୋଟିରେ ପହଞ୍ଚିଥିବାବେଳେ ୨୦୨୩-୨୪ରେ ଟିକିଏ ବଢ଼ି ୨ହଜାର ୧୨୭ କୋଟିରେ ପହଞ୍ଚିଥିଲା। ମାତ୍ର ୨୦୨୪-୨୫ ଆର୍ଥିକବର୍ଷ ଏହା ପୁଣି ୧,୯୮୭ କୋଟି ଟଙ୍କାକୁ ହ୍ରାସ୍‌ ପାଇଥିବା ତଥ୍ୟରୁ ଜଣାଯାଇଛି।