ବଜେଟ ୨୦୨୧-୨୨

ମୁଖ୍ୟାଂଶ

ସ୍ବାସ୍ଥ୍ୟ ବଜେଟ ୯୪,୦୦୦ କୋଟିରୁ ୨.୩୮ ଲକ୍ଷ କୋଟିକୁ ବୃଦ୍ଧି
ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ବସ୍ଥ ଭାରତ ଯୋଜନା
କୋଭିଡ୍‌ ଟିକା ପାଇଁ ୩୫,୦୦୦ କୋଟି
ବୀମା କ୍ଷେତ୍ରରେ ବିଦେଶୀ ପୁଞ୍ଜି ବିନିଯୋଗ ୪୯%ରୁ ୭୪%କୁ ବଢ଼ିଲା
ରେଲଓ୍ବେକୁ ପୁଞ୍ଜି ବ୍ୟୟ ପାଇଁ ୧.୧ ଲକ୍ଷ କୋଟି
ରେଲଓ୍ବେ ପ୍ରସ୍ତୁତ କରିଛି ଜାତୀୟ ରେଳ ଯୋଜନା
୨୦୨୩ ସୁଦ୍ଧା ବ୍ରଡ୍‌ଗେଜ୍‌ ହେବ ସମ୍ପୂର୍ଣ୍ଣ ବିଦ୍ୟୁତ୍‌କରଣ
ନିର୍ମାଣ ହେବ ପୂର୍ବ-ପଶ୍ଚିମ ରେଳ କରିଡର
ଗ୍ରାମୀଣ ଭିତ୍ତିଭୂମି ପାଇଁ ୪୦,୦୦୦ କୋଟି
କୃଷିଋଣ ଲକ୍ଷ୍ୟ ୧୬.୫ ଲକ୍ଷ କୋଟି
ଧାନଚାଷୀଙ୍କ ପାଇଁ ୧.୭୨ ଲକ୍ଷ କୋଟି ଟଙ୍କା
ସଡ଼କ ପରିବହନ ମନ୍ତ୍ରଣାଳୟ ପାଇଁ ୧.୧୮ ଲକ୍ଷ କୋଟି
ସଡ଼କ ଭିତ୍ତିଭୂମିର ବିକାଶ ପାଇଁ ନୂତନ ଅର୍ଥନୈତିକ କରିଡର
ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଜୁରି ନୀତି
ଅଟୋମୋବାଇଲ ପାଇଁ ସ୍ବେଚ୍ଛାକୃତ ସ୍କ୍ରାପେଜ୍‌ ନୀତି
୭୫ ବର୍ଷୀୟଙ୍କୁ ଆୟକର ରିଟର୍ନ ଦାଖଲ କରିବାକୁ ପଡ଼ିବ ନାହିଁ
କ୍ଷୁଦ୍ର ଟିକସଦାତାଙ୍କ ବିବାଦର ସମାଧାନ ପାଇଁ କମିଟି
ଏନ୍‌ଆରଆଇ ଟିକସ ବିବାଦ ଅନ୍‌ଲାଇନ୍‌ରେ ସମାଧାନ ହେବ
୧୦୦ ନୂତନ ସୈନିକ ସ୍କୁଲ ଖୋଲିବ
ପ୍ରତିଷ୍ଠା ହେବ ୭୫୦ ନୂତନ ଏକଲବ୍ୟ ମଡେଲ ସ୍କୁଲ
ଲଦାଖର ଲେହରେ ନିର୍ମାଣ ହେବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ
ଜାତୀୟ ଶିକ୍ଷାନୀତି ଅଧୀନରେ ୧୫,୦୦୦ ସ୍କୁଲକୁ ମଜଭୁତ କରାଯିବ
ଜମ୍ମୁକଶ୍ମୀରରେ ଗ୍ୟାସ୍‌ ପାଇପ୍‌ଲାଇନ୍‌ ପ୍ରକଳ୍ପ
ସିଟି ଗ୍ୟାସ୍‌ ନେଟ୍‌ୱର୍କରେ ୧୦୦ ଜିଲା
ଆରମ୍ଭ ହେବ ଜଳ ଜୀବନ ମିଶନ (ସହରାଞ୍ଚଳ)
୧ କୋଟିରୁ ଅଧିକ ଲୋକଙ୍କ ପାଇଁ ଉଜ୍ଜ୍ୱାଳା ଯୋଜନା
ଡିଜିଟାଲ ଦେୟକୁ ପ୍ରୋତ୍ସାହନ ଯୋଜନା
ଅସଂଗଠିତ କ୍ଷେତ୍ର ପାଇଁ ନୂତନ ପୋର୍ଟାଲ
୩ ବର୍ଷରେ ନିର୍ମାଣ ହେବ ୭ ଟେକ୍ସଟାଇଲ ପାର୍କ
ଆରମ୍ଭ ହେବ ଜାତୀୟ ଅନୁବାଦ ଯୋଜନା
ବାୟୁ ପ୍ରଦୂଷଣକୁ ଏଡାଇବା ପାଇଁ ୨,୨୧୭ କୋଟି
ଷ୍ଟାର୍ଟ-ଅପ୍‌ ପାଇଁ ଟ୍ୟାକ୍ସ ରିହାତି ଏକ ବର୍ଷ ବଢ଼ିଲା
ତାମିଲନାଡୁରେ ପ୍ରତିଷ୍ଠିତ ହେବ ବହୁମୁଖୀ ସାମୁଦ୍ରିକ ପାର୍କ
ଗ୍ରାମୀଣ ଇନ୍‌ଫ୍ରା ପାଣ୍ଠି ୪୦,୦୦୦ କୋଟିକୁ ବୃଦ୍ଧି ପାଇଲା
ଜନଗଣନା ହେବ ଡିଜିଟାଲ: ଖର୍ଚ୍ଚ ହେବ ୩,୭୬୮ କୋଟି
ସୁଲଭ ଘର ପାଇଁ ଋଣ ଉପରେ ୧.୫ ଲକ୍ଷ ଅତିରିକ୍ତ ରିହାତି
କଟନ ଉପରେ ୧୦% କଷ୍ଟମ୍‌ ଡ୍ୟୁଟି

ସ୍ବାସ୍ଥ୍ୟକୁ ଗୁରୁତ୍ୱ
କରୋନା ମହାମାରୀ ଦ୍ୱାରା ଗୁରୁତର ପ୍ରଭାବିତ ହୋଇଥିବା ଅର୍ଥନୀତିକୁ ସଜାଡ଼ିବା ଲକ୍ଷ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ୨୦୨୧-୨୨ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି। ଅର୍ଥନୀତିକୁ ସୁଦୃଢ଼ କରିବା ଲାଗି ବଜେଟରେ ୬ଟି ସ୍ତମ୍ଭ ଉପରେ ଫୋକସ୍‌ କରାଯାଇଛି। ସେଗୁଡ଼ିକ ହେଲା ସ୍ବାସ୍ଥ୍ୟସେବା ଓ ଚିକିତ୍ସା, ଭୌତିକ ଓ ଆର୍ଥତ୍କ ପୁଞ୍ଜି ଏବଂ ଭିତ୍ତିଭୂମି, ମହତ୍ତ୍ୱାକାଂକ୍ଷୀ ଭାରତର ସାମଗ୍ରିକ ବିକାଶ, ମାନବ ପୁଞ୍ଜିକୁ ସୁଦୃଢ଼ କରିବା, ଇନୋଭେଶନ, ଗବେଷଣା ଓ ବିକାଶ ଏବଂ ସର୍ବନିମ୍ନ ସରକାର ଓ ସର୍ବାଧିକ ଶାସନ। ସ୍ବାସ୍ଥ୍ୟସେବା କ୍ଷେତ୍ରକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଛି। ଏଥର ବଜେଟରେ ଏହି ବିଭାଗ ପାଇଁ ୨,୨୩,୮୪୬ କୋଟି ଟଙ୍କା ବ୍ୟୟ ଲାଗି ପ୍ରସ୍ତାବ ରଖିଛନ୍ତି ସୀତାରାମନ୍‌। ଚଳିତ ଆର୍ଥିକ ବର୍ଷରେ ସ୍ବାସ୍ଥ୍ୟ ବିଭାଗ ଲାଗି ୯୪,୪୫୨ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ଏଥର ଏହି ଖର୍ଚ୍ଚକୁ ୧୩୭ ପ୍ରତିଶତ ବୃଦ୍ଧି କରାଯାଇଛି। ଆଗାମୀ ଆର୍ଥତ୍କ ବର୍ଷରେ କୋଭିଡ୍‌ ଟିକାକରଣ ଲାଗି ଅର୍ଥମନ୍ତ୍ରୀ ୩୫,୦୦୦ କୋଟି ଟଙ୍କା ପ୍ରସ୍ତାବ ରଖିଛନ୍ତି। ଦେଶରେ ନିମୋକୋକାଲ ଟିକାକରଣ ଅଭିଯାନ କରାଯିବ ଓ ଏହା ବର୍ଷକୁ ୫୦,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ରକ୍ଷା କରିବାରେ ସହାୟକ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ବଜେଟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟକୁ ୭୧,୨୬୮.୭୭ କୋଟି ଟଙ୍କା ବ୍ୟୟବରାଦ ହୋଇଛି, ଯାହା ୨୦୨୦-୨୧ ବଜେଟରେ ୬୫,୦୧୧.୮ କୋଟି ଥିଲା। ପରେ କରୋନା ମହାମାରୀ ଯୋଗୁ ସେଥିରେ ସଂଶୋଧନ କରାଯାଇ ୭୮,୮୬୬ କୋଟିକୁ ବୃଦ୍ଧି କରାଯାଇଥିଲା। ୨୦୨୧-୨୨ ବଜେଟରେ ସ୍ବାସ୍ଥ୍ୟ ଗବେଷଣା ବିଭାଗକୁ ୨,୬୬୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ଆୟୁଷ ମନ୍ତ୍ରଣାଳୟକୁ ୨,୯୭୦.୩୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି, ଯାହା କି ପୂର୍ବ ବଜେଟରେ ୨,୧୨୨.୦୮ କୋଟି ଟଙ୍କା ଥିଲା।

କୋଭିଡ୍‌ ଟିକା ୨୦୨୧-୨୨ ଆର୍ଥତ୍କ ବର୍ଷରେ କୋଭିଡ୍‌-୧୯ ଟିକାକରଣ ଅଭିଯାନ ଲାଗି ଅର୍ଥମନ୍ତ୍ରୀ ବଜେଟରେ ୩୫,୦୦୦ କୋଟି ବ୍ୟୟବରାଦ କରିଛନ୍ତି। ଆବଶ୍ୟକ ପଡ଼ିଲେ ଅଧିକ ଅର୍ଥ ଯୋଗାଇ ଦିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସରକାର ଜାନୁୟାରୀ ଆରମ୍ଭରେ ଦୁଇଟି କୋଭିଡ୍‌ ଟିକାକୁ ବ୍ୟବହାର ଲାଗି ମଞ୍ଜୁରୀ ପ୍ରଦାନ କରିଥିଲେ। ସିରମ୍‌ ଇନ୍‌ଷ୍ଟିଚ୍ୟୁଟ ପ୍ରସ୍ତୁତ ଅକ୍ସଫୋର୍ଡ କୋଭିଶିଲ୍ଡ ଏବଂ ଭାରତ ବାୟୋଟେକ୍‌ର କୋଭାକ୍ସିନ ଟିକାକୁ ନେଇ ଜାନୁୟାରୀ ୧୬ରୁ ଦେଶରେ କୋଭିଡ୍‌ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କର୍ମଚାରୀମାନଙ୍କୁ ଟିକା ଦିଆଯାଉଛି। ପରେ ୫୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ଏବଂ ଅନ୍ୟାନ୍ୟ ରୋଗ ଥିବା ଲୋକଙ୍କୁ ଏହି ଟିକା ପ୍ରଦାନ କରିବା ଲାଗି ଯୋଜନା ରହିଛି।

ପିଏମ୍‌ ଆତ୍ମନିର୍ଭର ସ୍ବସ୍ଥ ଭାରତ ଯୋଜନା

ଦେଶର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ବଜେଟରେ ଏକ ନୂଆ ଯୋଜନା ଘୋଷଣା କରିଛନ୍ତି। ୬୪,୧୮୦ କୋଟି ଟଙ୍କା କେନ୍ଦ୍ରୀୟ ବ୍ୟୟରେ ଆଗାମୀ ୬ ବର୍ଷ ଲାଗି ‘ପିଏମ୍‌ ଆତ୍ମନିର୍ଭର ସ୍ବସ୍ଥ ଭାରତ ଯୋଜନା’ କାର୍ଯ୍ୟକାରୀ ହେବ। ଏହି ଯୋଜନା ମୁଖ୍ୟତଃ ସ୍ବାସ୍ଥ୍ୟସେବା ବ୍ୟବସ୍ଥାର ସାମର୍ଥ୍ୟ ବୃଦ୍ଧି, ନୂଆ ରୋଗ ଚିହ୍ନଟ ଓ ଚିକିତ୍ସା ଅନୁଷ୍ଠାନଗୁଡ଼ିକର ବିକାଶ ଉପରେ ଫୋକସ୍‌ କରିବ। ଯୋଜନାରେ ଗ୍ରାମାଞ୍ଚଳର ୧୭,୭୮୮ ଏବଂ ସହରାଞ୍ଚଳର ୧୧,୦୨୪ ଚିକିତ୍ସାକେନ୍ଦ୍ରକୁ ସହାୟତା ଯୋଗାଇ ଦିଆଯିବ। ଜାତୀୟ ସ୍ବାସ୍ଥ୍ୟ ମିଶନ ବାହାରେ ଏହି ଅର୍ଥ ବ୍ୟୟ ହେବ ବୋଲି ସୀତାରାମନ୍‌ କହିଥିଲେ। ସମସ୍ତ ଜିଲାରେ ଉନ୍ନୀତ ସରକାରୀ ସ୍ବାସ୍ଥ୍ୟ ଲାବ୍‌ ସ୍ଥାପନ ହେବ। ୧୧ ରାଜ୍ୟରେ ୩,୩୮୨ ବ୍ଲକ୍‌ ପବ୍ଲିକ୍‌ ହେଲ୍‌ଥ ୟୁନିଟ ପ୍ରତିଷ୍ଠା ହେବ। ୬୦୨ଟି ଜିଲାରେ କ୍ରିଟିକାଲ କେୟାର ହସ୍ପିଟାଲ ବ୍ଲକ୍‌ ସହ ୧୨ଟି କେନ୍ଦ୍ରୀୟ ଅନୁଷ୍ଠାନ ନିର୍ମାଣ କରାଯିବ। ସେହିପରି ଜାତୀୟ ରୋଗ ନିରାକରଣ କେନ୍ଦ୍ର (ଏନ୍‌ସିଡିସି) ଓ ଏହାର ୫ଟି ଆଞ୍ଚଳିକ ଶାଖା ଏବଂ ୨୦ଟି ମେଟ୍ରୋପଲିଟାନ ସ୍ବାସ୍ଥ୍ୟ ସର୍ଭିଲାନ୍ସ ୟୁନିଟକୁ ସୁଦୃଢ଼ କରାଯିବ ବୋଲି ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ ବେଳେ କହିଛନ୍ତି। ସମସ୍ତ ଜନସ୍ବାସ୍ଥ୍ୟ ଲାବ୍‌କୁ ସଂଯୋଗ କରି ସବୁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ ସୂଚନା ଯୋଗାଇଦେବା ଲାଗି ସମନ୍ବିତ ସ୍ବାସ୍ଥ୍ୟ ସୂଚନା ପୋର୍ଟାଲକୁ ସମ୍ପ୍ରସାରିତ କରାଯିବ। ୧୭ ନୂଆ ଜନସ୍ବାସ୍ଥ୍ୟ ୟୁନିଟ୍‌ କାର୍ଯ୍ୟକାରୀ କରାଯିବା ସହ ୩୨ ବିମାନବନ୍ଦର, ୧୧ ବନ୍ଦର ଓ ୭ ଲ୍ୟାଣ୍ଡ କ୍ରସିଂ ପ୍ରବେଶ ପଥରେ ଥିବା ୩୩ ଜନସ୍ବାସ୍ଥ୍ୟ ୟୁନିଟକୁ ସୁଦୃଢ଼ କରାଯିବ। ସେହିପରି ୧୫ଟି ହେଲ୍‌ଥ ଇମର୍ଜେନ୍ସି ଅପରେଶନ ସେଣ୍ଟର ଏବଂ ୨ଟି ମୋବାଇଲ୍‌ ହସ୍ପିଟାଲ ସ୍ଥାପନ ହେବ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଦକ୍ଷିଣପୂର୍ବ ଏସିଆ ଅଞ୍ଚଳ ପାଇଁ ଏକ ଆଞ୍ଚଳିକ ଗବେଷଣା ପ୍ଲାଟଫର୍ମ ସହିତ ୯ଟି ଜୈବ ନିରାପତ୍ତା ସ୍ତର ୩ ଲାବ୍‌ ଓ ୪ଟି ଆଞ୍ଚଳିକ ଜାତୀୟ ଭାଇରୋଲୋଜି ଇନ୍‌ଷ୍ଟିଚ୍ୟୁଟ୍‌ ସ୍ଥାପନ ହେବ।

‘ମେଟ୍ରୋ ଲାଇଟ’ ଏବଂ ‘ମେଟ୍ରୋ ନିଓ’

ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଇଁ ଚଳିତ ବଜେଟରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ସହରାଞ୍ଚଳରେ ସାଧାରଣ ପରିବହନକୁ ବୃଦ୍ଧି କରିବା ପାଇଁ ମେଟ୍ରୋ ରେଳ ବ୍ୟବସ୍ଥାକୁ ସମ୍ପ୍ରସାରଣ କରାଯିବ। ଏଥିସହିତ ସହରରେ ବସ୍‌ ସେବାକୁ ମଧ୍ୟ ଅଧିକ କ୍ରିୟାଶୀଳ କରିବା ଉପରେ ବଜେଟରେ ଗୁରୁତ୍ୱ ଦିଆଯାଇଛି। ସାଧାରଣ ବସ୍‌ ପରିବହନ ପାଇଁ ୧୮ହଜାର କୋଟିର ନୂଆ ଯୋଜନା ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ୨୦ହଜାର ବସ୍‌ ଅଧିକ ଚାଲିବ। ଏହାକୁ ପିପିପି ମୋଡ୍‌ରେ କରାଯିବ, ଯାହାଫଳରେ ଅଟୋମୋବାଇଲ ସେକ୍ଟର, ଅର୍ଥନୈତିକ ଅଭିବୃଦ୍ଧି ଏବଂ ଯୁବଗୋଷ୍ଠୀପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଏବେ ୭୦୨କିଲୋମିଟର ମେଟ୍ରୋ କାର୍ଯ୍ୟକାରୀ ହେଉଛି। ଆଉ ୧,୦୧୬କିଲୋମିଟର ମେଟ୍ରୋ ଏବଂ ଆର୍‌ଆର୍‌ଟିଏସ୍‌ ୨୭ଟି ସହରରେ ନିର୍ମାଣାଧୀନ ରହିଛି। ମେଟ୍ରୋ ରେଳ ବ୍ୟବସ୍ଥାରେ କମ୍‌ ଖର୍ଚ୍ଚରେ ‘ମେଟ୍ରୋ ଲାଇଟ’ ଏବଂ ‘ମେଟ୍ରୋ ନିଓ’ ଟେକ୍ନୋଲୋଜି ବ୍ୟବହାର କରାଯିବ। ୧୧.୫ କିଲୋମିଟର କୋଚି ମେଟ୍ରୋ ରେଲ୍‌ଓ୍ବେ ଫେଜ୍‌-୨ ପାଇଁ ୧୯୫୭.୦୫କୋଟି, ଚେନ୍ନାଇ ମେଟ୍ରୋ ରେଲ୍‌ଓ୍ବେ ଫେଜ୍‌-୨ର ୧୧୮.୯କିଲୋମିଟର ପାଇଁ ୬୩,୨୪୬ କୋଟି ଏବଂ ବେଙ୍ଗାଲୁର ମେଟ୍ରୋ ରେଲ୍‌ଓ୍ବେ ପ୍ରୋଜେକ୍ଟ ଫେଜ୍‌-୨ଏ ଏବଂ ୨-ବିର ୫୮.୧୯ କିଲୋମିଟର ପାଇଁ ୧୪,୭୮୮ କୋଟିର ବ୍ୟୟ ବରାଦ କରାଯାଇଛି।

ରାସ୍ତାରୁ ହଟିିବ ୧୫ରୁ ୨୦ ବର୍ଷର ଗାଡ଼ି

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସୋମବାର ବଜେଟ ଉପସ୍ଥାପନ ସମୟରେ କହିଥିଲେ, ଦେଶର ପରିବେଶ ସୁରକ୍ଷା ଓ ଇନ୍ଧନ ଶକ୍ତିର ବ୍ୟବହାରକୁ ହ୍ରାସ କରାଇବା ଉଦ୍ଦେଶ୍ୟରେ ସ୍ବେଚ୍ଛାକୃତ ଯାନବାହନ ବଦଳ ନୀତି ପରିବର୍ତ୍ତନ ହେବା ଜରୁରୀ ଅଟେ। ସେହିଭଳି ଏହି ନୂଆ ନୀତି ଖୁବ୍‌ଶୀଘ୍ର ଆସିବ। ଏହି ନୂତନ ନିୟାମବଳୀ ଅନୁସାରେ ୧୫ ବର୍ଷରୁ ଅଧିକ ସମୟ ବ୍ୟବହୃତ ପୁରୁଣା ବ୍ୟବସାୟିକ ଯାନ ଏବଂ ୨୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଗତ ପୁରୁଣା ଯାନକୁ ରାସ୍ତାରୁ ହଟାଇବା ପାଇଁ ଏହି ଆଇନରେ ବ୍ୟବସ୍ଥା କରାଯାଇଛି। ଏହା ଫଳରେ ପରିବେଶ ପ୍ରଦୂଷଣ ହ୍ରାସ ପାଇବା ସହ ଦେଶର ତୈଳ ଆମଦାନୀରେ ମଧ୍ୟ ସଞ୍ଜୟ ବୃଦ୍ଧି ହେବ ବୋଲି ଅର୍ଥମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି। ପରବର୍ତ୍ତୀ ସମୟରେ ଏହି ଯାନବାହନ ବଦଳ ନୀତି ସମ୍ପର୍କରେ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ଭାବରେ ଘୋଷଣା କରାଯିବ ବୋଲି ସେ ସୂଚନା ଦେଇଥିଲେ। ୨୫ ଡିିସେମ୍ବରରେ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ସରକାରୀ ଯାନବାହନ ବଦଳ ନୀତିକୁ ମଞ୍ଜୁର ଦିଆଯାଇଥିଲା। ଆସନ୍ତା ବର୍ଷ ଏପ୍ରିଲ ପହିଲାରୁ ଏହି ନୂଆ ନୀତି କେବଳ କେନ୍ଦ୍ର ଓ ରାଜ୍ୟ ସରକାରୀ ଯାନବାହନଗୁଡ଼ିକ ପାଇଁ ଲାଗୁହେବ। ପରବର୍ତ୍ତୀ ସମୟରେ ସମସ୍ତ ବ୍ୟବସାୟିକ ଓ ବ୍ୟକ୍ତିଗତ ଗାଡ଼ି ପାଇଁ ଏହି ନୀତିୁ ଲାଗୁ କରାଯିବ ବୋଲି ଜଣାପଡିଛି।

ପ୍ରତିରକ୍ଷା
ଦୀର୍ଘଦିନ ଧରି ଚାଇନା ସହ ସୀମାବିବାଦ ଲାଗି ରହିଥିବାବେଳେ ଗତବର୍ଷ ମେ’ରୁ ଦୁଇ ଦେଶର ସୈନ୍ୟ ପୂର୍ବ ଲଦାଖ ସେକ୍ଟର ଅନ୍ତର୍ଗତ ଏଲ୍‌ଓସିରେ ମୁହାଁମୁହିଁ ସ୍ଥିତିରେ ରହିଛନ୍ତି। ଉଭୟ ଚାଇନା ଓ ପାକିସ୍ତାନ ପଟୁ ଆକ୍ରମଣ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଏଭଳି ସମୟରେ କେନ୍ଦ୍ର ସରକାର ୨୦୨୧-୨୨ ବଜେଟରେ ପ୍ରତିରକ୍ଷା ସେକ୍ଟର ପାଇଁ ୪.୭୮ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଗତବର୍ଷ ବଜେଟରେ ଏହି ସେକ୍ଟର ଲାଗି ୪.୭୧ ଲକ୍ଷ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଆଗାମୀ ଆର୍ଥତ୍କ ବର୍ଷରେ ଅସ୍ତ୍ରଶସ୍ତ୍ର ଓ ସିଷ୍ଟମ କ୍ରୟ ଲାଗି ୧.୩୫ ଲକ୍ଷ କୋଟି ରଖାଯାଇଛି, ଯାହା କି ଚଳିତ ଆର୍ଥତ୍କ ବର୍ଷ ତୁଳନାରେ ୧୯ ପ୍ରତିଶତ ଅଧିକ। ପୂର୍ବ ବଜେଟରେ ଅସ୍ତ୍ର ଓ ସିଷ୍ଟମ କ୍ରୟ ବାବଦରେ ୧.୧୩ ଲକ୍ଷ କୋଟି ବ୍ୟୟବରାଦ ହୋଇଥିଲା। ସେହିପରି ୨.୧୨ ଲକ୍ଷ କୋଟି ଟଙ୍କା ରାଜସ୍ବ ବ୍ୟୟ ହେବାକୁ ଥିବାବେଳେ ପ୍ରତିରକ୍ଷା କର୍ମଚାରୀଙ୍କ ପେନ୍‌ସନ ବାବଦରେ ୧.୧୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ। ଗତବର୍ଷ ପ୍ରତିରକ୍ଷା ପେନ୍‌ସନ୍‌ ବିଲ୍‌ଠାରୁ ଏହା କମ୍‌। ଗତବର୍ଷ ପେନ୍‌ସନ ବାବଦରେ ୧.୩୩ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ୨୦୧୯-୨୦ ଆର୍ଥତ୍କ ବର୍ଷରେ ପ୍ରତିରକ୍ଷା ବ୍ୟୟବରାଦ ୪.୩ ଲକ୍ଷ କୋଟି ଟଙ୍କା ଥିଲା।

ପର୍ଯ୍ୟଟନ ବ୍ୟୟବରାଦ ୧୯% ହ୍ରାସ

ପର୍ଯ୍ୟଟନ ମନ୍ତ୍ରଣାଳୟକୁ ଏଥର ବଜେଟରେ ୧୯ ପ୍ରତିଶତ କମ୍‌ ବ୍ୟୟବରାଦ କରାଯାଇଛି। ଗତ ବଜେଟରେ ଏହି ସେକ୍ଟରକୁ ୨,୫୦୦ କୋଟି ଟଙ୍କା ମଞ୍ଜୁର କରାଯାଇଥିବାବେଳେ ୨୦୨୧-୨୨ ବଜେଟରେ ୨୦୨୬.୭୭ କୋଟି ଟଙ୍କା ରଖାଯାଇଛି। ମହାମାରୀ ଯୋଗୁ ଗୁରୁତର ସଙ୍କଟର ସମ୍ମୁଖୀନ ହୋଇଥିବା ପର୍ଯ୍ୟଟନ ଶିଳ୍ପ ପ୍ରତି ଏହା ଏକ ଝଟ୍‌କା ବୋଲି କୁହାଯାଉଛି। ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ଲାଗି ୧,୦୮୮.୦୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। କରୋନା ମହାମାରୀ ଜନିତ କଟକଣା ଯୋଗୁ ପର୍ଯଟନ ସେକ୍ଟର ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗତବର୍ଷ ମାର୍ଚ୍ଚରୁ ବିଦେଶୀ ପର୍ଯ୍ୟଟକ ଆସୁନାହାନ୍ତି। ଏପରିକି ଘରୋଇ ପର୍ଯ୍ୟଟକ ସଂଖ୍ୟା ମଧ୍ୟ ବହୁତ କମ୍‌ ରହିଛି। ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ପ୍ରଚାର ପ୍ରସାର ପାଇଁ ୬୬୮.୭୨ କୋଟି ବ୍ୟୟବରାଦ ହୋଇଥିବାବେଳେ ସେଥିରୁ ୫୨୪.୦୨ କୋଟି ବିଦେଶୀ ବଜାର ପାଇଁ ଓ ୧୪୪.୭୦ କୋଟି ଘରୋଇ ପର୍ଯ୍ୟଟକଙ୍କ ନିମନ୍ତେ ବ୍ୟୟ ହେବ। ସେବା ପ୍ରଦାନକାରୀମାନଙ୍କ ସାମର୍ଥ୍ୟ ବୃଦ୍ଧି ଲାଗି ୬୩.୬୫ କୋଟି ବ୍ୟୟ ହେବାକୁ ଥିବାବେଳେ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ ଲାଗି ୧୩୮.୬୫ କୋଟି ଟଙ୍କା ବ୍ୟୟ ହେବ। ପର୍ଯ୍ୟଟନ ଶିଳ୍ପର ସ୍ଥିତି ସୁଧାରିବା ଲାଗି ତୁରନ୍ତ ପ୍ରତ୍ୟକ୍ଷ ସହାୟତାର ଆବଶ୍ୟକ ଥିଲା। ବଜେଟ ଭାରତୀୟ ଭ୍ରମଣ ଓ ପର୍ଯ୍ୟଟନ ଶିଳ୍ପକୁ ଅସନ୍ତୁଷ୍ଟ କରିଥିବା ଏଫ୍‌ଏଆଇଟିଏଚ୍‌ (ପର୍ଯ୍ୟଟନ, ଭ୍ରମଣ, ଆତିଥେୟତା ଶିଳ୍ପ ସଂଗଠନଗୁଡ଼ିକର ମହାସଂଘ) ପକ୍ଷରୁ କୁହାଯାଇଛି।

ଏମ୍‌ଏସ୍‌ଏମ୍‌ଇକୁ ଦୁଇଗୁଣା ବ୍ୟୟବରାଦ

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) କ୍ଷେତ୍ରକୁ ଆଗାମୀ ଆର୍ଥିକ ବର୍ଷ ଲାଗି ୧୫,୭୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି, ଯାହା ପୂର୍ବବର୍ଷ ତୁଳନାରେ ଦୁଇଗୁଣ। ଏମ୍‌ଏସ୍‌ଏମ୍‌ଇ ସେକ୍ଟରକୁ ସହାୟତା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଏଥର ବଜେଟରେ ଏହି ସେକ୍ଟରକୁ ୧୫,୭୦୦ କୋଟି ଟଙ୍କା ଦିଆଯାଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କହିଛନ୍ତି। ୨୦୨୦-୨୧ ବଜେଟରେ ଏହି କ୍ଷେତ୍ରକୁ ୭,୫୭୨.୨୦ କୋଟି ବରାଦ ହୋଇଥିଲା। ପରେ ଏହାକୁ ୫,୬୬୪.୨୨ କୋଟିକୁ କମାଇ ଦିଆଯାଇଥିଲା। ଏଥର ବଜେଟରେ ପ୍ରଧାନମନ୍ତ୍ରୀ ନିଯୁକ୍ତି ଗ୍ୟାରେଣ୍ଟି କାର୍ଯ୍ୟକ୍ରମ (ପିଏମ୍‌ଇଜିପି) ଏବଂ ଅନ୍ୟାନ୍ୟ ଋଣ ସହାୟତା ଯୋଜନାକୁ ପୂର୍ବବର୍ଷର ୨,୮୦୦ କୋଟିରୁ ୧୨,୪୯୯.୭୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିବା ଜଣାପଡ଼ିଛି।

୧୦୦ସୈନିକ ସ୍କୁଲ, ୭୫୦ ଏକଲବ୍ୟ ମଡେଲ ସ୍କୁଲ ଖୋଲିବ

ଚଳିତ ବର୍ଷ (୨୦୨୧-୨୨)ର ବଜେଟ ଉପସ୍ଥାପନ କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି, ସରକାର ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଫଳରେ ଦେଶରେ ଆଉ ଶହେଟି ନୂତନ ସୈନିକ ସ୍କୁଲ ପ୍ରତିଷ୍ଠା କରାଯିବ। ରାଜ୍ୟ ସରକାର ବିଭିନ୍ନ ସ୍ବେଚ୍ଛାସେବୀ ସଂସ୍ଥା ଓ ବେସରକାରୀ ବିଦ୍ୟାଳୟଗୁଡ଼ିକର ସହଭାଗିତାରେ ଏହି ବିଦ୍ୟାଳୟ ସବୁ ପ୍ରତିଷ୍ଠା କରିବେ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। ସେହିଭଳି ୭୫୦ଟି ନୂଆ ଏକଲବ୍ୟ ମଡେଲ ସ୍କୁଲ ପ୍ରତିଷ୍ଠା କରାଯିବ। ପ୍ରତି ସ୍କୁଲ ପିଛା ପ୍ରାୟ ୩୮ କୋଟି ଟଙ୍କା ବ୍ୟୟ କରାଯିବ ଏବଂ ପାହାଡ଼ିଆ ଅଞ୍ଚଳରେ ପ୍ରାୟ ୪୮ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି। ସେହିପରି ଭାରତର ଉଚ୍ଚଶିକ୍ଷା କମିଶନ ପ୍ରତିଷ୍ଠା କରାଯିବ ବୋଲି ସେ ମତ ଦେଇଛନ୍ତି। ଅନ୍ୟପକ୍ଷରେ ଲେହରେ ଏକ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ବଜେଟ ଅଭିଭାଷଣରେ ସୂଚନା ଦେଇଛନ୍ତି। ୪ କୋଟି ଅନୁସୂଚିତ ଜାତିର ଛାତ୍ରୀଛାତ୍ରଙ୍କ ପାଇଁ ସରକାର ୩୫,୨୧୯ କୋଟି ଟଙ୍କା ୨୦୨୫-୨୬ ସୁଦ୍ଧା ବିନିଯୋଗ କରାଯିବ ବୋଲି ଜଣାପଡିଛି। ଏଥିରେ ଛାତ୍ରୀଛାତ୍ରମାନଙ୍କ ଲାଗି ସଂଯୁକ୍ତ ଆରବ ସହିତ ମିଶି ଦକ୍ଷତା ବିକାଶ ପ୍ରଶିକ୍ଷଣ ବ୍ୟବସ୍ଥା କରାଯିବ। ଏହାଫଳରେ ସେମାନେ ରୋଜଗାରକ୍ଷମ ହୋଇପାରିବେ।

ମହାକାଶ ବିଭାଗକୁ ୧୩,୯୪୯ କୋଟି
୨୦୨୧-୨୨ ବଜେଟରେ ମହାକାଶ ବିଭାଗକୁ ୧୩,୯୪୯ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ସେଥିରୁ ପୁଞ୍ଜି ବ୍ୟୟ ୮,୨୨୮ କୋଟି। ଏହା ପୂର୍ବବର୍ଷ ବଜେଟଠାରୁ ୪,୪୪୯ କୋଟି ଅଧିକ ହୋଇଥିବାବେଳେ ୨୦୧୯-୨୦ ବଜେଟ ତୁଳନାରେ ୯୦୦ କୋଟି ଟଙ୍କା ଅଧିକ। ଗତ ବଜେଟରେ ମହାକାଶ ବିଭାଗ ପାଇଁ ୧୩,୪୭୯.୪୭ କୋଟି ବ୍ୟୟବରାଦ ହୋଇଥିଲା। ପରେ ଏହାକୁ ୯,୫୦୦ କୋଟି ଟଙ୍କାକୁ କମାଇ ଦିଆଯାଇଥିଲା। ମହାକାଶ ବିଭାଗ ଅଧୀନରେ ନୂଆକରି ଗଢ଼ାଯାଇଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନ୍ୟୁ ସ୍ପେସ୍‌ ଇଣ୍ଡିଆ ଲିମିଟେଡ୍‌ (ଏନ୍‌ଏସ୍‌ଆଇଏଲ୍‌) ପାଇଁ ୭୦୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହି ନୂଆ ପିଏସ୍‌ୟୁ ପିଏସ୍‌ଏଲ୍‌ଭି-ସିଏସ୍‌୫୧ କାର୍ଯ୍ୟକାରୀ କରିବ। ବ୍ରାଜିଲରୁ ଆମାଜୋନିଆ ସାଟେଲାଇଟ୍‌ ଓ ଭାରତର ଅନ୍ୟ କେତେକ କ୍ଷୁଦ୍ର ଉପଗ୍ରହକୁ ଉକ୍ତ ରକେଟ ମହାକାଶକୁ ପଠାଇବ ବୋଲି ଅର୍ଥମନ୍ତ୍ରୀ କହିଥିଲେ। ରକେଟ ଆଦି ବିଭିନ୍ନ ମହାକାଶ ଉପକରଣର ଉତ୍ପାଦନ, ଟେକ୍‌ନୋଲୋଜି ସ୍ଥାନାନ୍ତର ଏବଂ ସ୍ପେସ୍‌ ଉତ୍ପାଦଗୁଡ଼ିକର ମାର୍କେଟିଂକୁ ବ୍ୟବସାୟୀକରଣ କରିବା ଲାଗି ରାଷ୍ଟ୍ରାୟତ୍ତ କମ୍ପାନୀ ଗଢ଼ାଯାଇଛି। ଭାରତର ମାନବଯୁକ୍ତ ମହାକାଶ ଅଭିଯାନ ଗଗନୟାନ ପାଇଁ ୪ ଭାରତୀୟ ମହାକାଶଚାରୀ ରୁଷିଆରେ ପ୍ରଶିକ୍ଷଣ ନେଇଛନ୍ତି। ପ୍ରଥମ ମାନବବିହୀନ ମହାକାଶ ଅଭିଯାନ ୨୦୨୧ ଡିସେମ୍ବରରେ ହେବ ବୋଲି ସୀତାରାମନ୍‌ କହିଥିଲେ। ୨୦୨୦ ଡିସେମ୍ବରରେ ଏହି ମିଶନ ହେବାକୁ ପୂର୍ବରୁ ଧାର୍ଯ୍ୟ ହୋଇଥିବାବେଳେ ମହାମାରୀ ଯୋଗୁ ସ୍ଥଗିତ ରହିଥିଲା।

ସ୍ବଚ୍ଛ ଭାରତ ୨.୦କୁ ୧,୪୧,୬୭୮ କୋଟି

ସ୍ବଚ୍ଛ ଭାରତ ୨.୦ ପାଇଁ କେନ୍ଦ୍ର ସରକାର ୧,୪୧,୬୭୮ କୋଟି ଟଙ୍କା ବ୍ୟୟବରାଦ କରିଥିବା ଅର୍ଥମନ୍ତ୍ରୀ ସୋମବାର ଘୋଷଣା କରିଛନ୍ତି। ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ସହରଗୁଡ଼ିକରେ ବାୟୁ ପ୍ରଦୂଷଣ ସମସ୍ୟାର ମୁକାବିଲା ପାଇଁ ୪୨ ଅର୍ବାନ ସେଣ୍ଟର ନିମନ୍ତେ ୨,୨୧୭ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସହରାଞ୍ଚଳଗୁଡ଼ିକର ସ୍ବଚ୍ଛତା ପାଇଁ ‘ସ୍ବଚ୍ଛ ଭାରତ ଓ ସ୍ବାସ୍ଥ୍ୟ ଭାରତ’ ଯୋଜନାରେ ବର୍ଜ୍ୟ ଜଳ ପରିଚାଳନା ଓ ପାଇଖାନା ସେଫ୍ଟି ଟାଙ୍କି ଆଦିରୁ ମଇଳା ସଂଗ୍ରହ ପରିବହନ ଓ ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଛି। ୨୦୨୧ରୁ ୫ ବର୍ଷ ଲାଗି ସହରାଞ୍ଚଳ ସ୍ବଚ୍ଛ ଭାରତ ମିଶନ ୨.୦ କାର୍ଯ୍ୟକାରୀ ହେବ ବୋଲି ଅର୍ଥମନ୍ତ୍ରୀ କହିଥିଲେ।

ମିଶନ ପୋଷଣ ୨.୦

ଅନୁପୂରକ ପୋଷଣ କାର୍ଯ୍ୟକ୍ରମ ଏବଂ ପୋଷଣ ଅଭିଯାନର ମିଶ୍ରଣରେ ଦେଶରେ ମିଶନ ପୋଷଣ ୨.୦ ଆରମ୍ଭ ହେବାକୁ ଯାଉଛି। ଦେଶର ୧୧୨ ଜିଲାରେ ପୋଷଣ ଫଳାଫଳରେ ଉନ୍ନତି ଲାଗି ସ୍ବତନ୍ତ୍ର କୌଶଳ ଅବଲମ୍ବନ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କହିଛନ୍ତି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପାଇଁ ୨୪,୪୩୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବାବେଳେ ସେଥିରୁ ୨୦,୧୦୫ କୋଟି ଟଙ୍କା ସକ୍ଷମ ଅଙ୍ଗନଓ୍ବାଡ଼ି ଏବଂ ପୋଷଣ ୨.୦ ପାଇଁ ରଖାଯାଇଛି। ପୋଷଣ ୨.୦ ଯୋଜନା ଅଧୀନରେ ସମନ୍ବିତ ଶିଶୁ ବିକାଶ ସେବା, ପୋଷଣ ଅଭିଯାନ, ଅଙ୍ଗନଓ୍ବାଡ଼ି ସେବା, କିଶୋରୀମାନଙ୍କ ଲାଗି ଯୋଜନା ଏବଂ ଜାତୀୟ କ୍ରେଚ୍‌ ଯୋଜନା ରହିବ।

ବନ୍ଦର ଘରୋଇକରଣକୁ ଇଙ୍ଗିତ

ନୂଆଦିଲ୍ଲୀ: ବନ୍ଦର ଘରୋଇକରଣ ମାଧ୍ୟମରେ ରାଜକୋଷ ବଢ଼ାଇବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର। ପାରାଦୀପ, ବିଶାଖାପାଟଣା, କୋଚି ଏବଂ ଚେନ୍ନାଇ ବନ୍ଦରକୁ ମାଛଧରା ହବ୍‌ରେ ପରିଣତ କରିବାକୁ ବଜେଟ୍‌ରେ ନିଷ୍ପତ୍ତି ହୋଇଛି। ଅନ୍ୟପଟେ ବୃହତ୍‌ ବନ୍ଦରଗୁଡ଼ିକୁ ଅଧିକ କ୍ରିୟାଶୀଳ କରିବା ଲାଗି ପିପିପି ମୋଡ୍‌ରେ ୭ ପ୍ରକଳ୍ପ ହାତକୁ ନିଆଯାଇଛି। ଏଥିଲାଗି ୨୦୦୦ କୋଟି ଟଙ୍କା ବିନିଯୋଗ କରାଯିବ। ଭାରତୀୟ ଶିପିଂ କମ୍ପାନୀ, ନାବିକମାନଙ୍କୁ ପ୍ରୋତ୍ସାହିତ କରିବା ଲାଗି ବଜେଟରେ ବିଶେଷ ଧ୍ୟାନ ଦିଆଯାଇଛି। ବିଶ୍ୱସ୍ତରୀୟ ଶିପିଂ କମ୍ପାନୀଗୁଡ଼ିକର ସହଭାଗିତାରେ ବିଭିନ୍ନ ପରିଯୋଜନା କରାଯାଇଛି। ଏଥିଲାଗି ୫ବର୍ଷରେ ୧୬୨୪ କୋଟି ଟଙ୍କା ସବ୍‌ସିଡି ପ୍ରଦାନ କରାଯିବ। ୨୦୧୯ ହଂକଂ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଯାୟୀ ଜାହାଜ ଭଙ୍ଗା ଲାଗି ନିୟମ ଲାଗୁ କରାଯାଇଛି। ତଦନୁଯାୟୀ ଗୁଜରାଟର ଅଲଙ୍ଗରେ ପ୍ରମାଣପତ୍ର ହାସଲ କରିସାରିଛି। ରିସାକ୍ଲିଂ ୟାର୍ଡରେ ୯୦ଟି ଜାହାଜ ଭଙ୍ଗାଯିବା ଅପେକ୍ଷାରେ ରହିଛି। ୟୁରୋପ ଏବଂ ଜାପାନରୁ ଅଧିକ ଜାହାଜ ଅଣାଯିବାକୁ ଯୋଜନା ରହିଛି। ଜାହଜ ଭଙ୍ଗାଯିବା ଦ୍ୱାରା ୨୦୨୪ ସୁଦ୍ଧା ପୁନଃଚକ୍ରଣ କ୍ଷମତା ୪.୫ ମିଲିୟନ ଏଲ୍‌ଡିଟିରୁ ଦୁଇଗୁଣା ହେବା ସମ୍ଭାବନା ରହିଛି। ଏହାଦ୍ୱାରା ୧.୫ ଲକ୍ଷ ଲୋକଙ୍କୁ ରୋଜଗାର ମିଳିବ। ରେଲଓ୍ବେ, ବିମାନବନ୍ଦର ପରେ କେନ୍ଦ୍ର ସରକାର ବୃହତ୍‌ ଜଳମାର୍ଗ ବନ୍ଦରଗୁଡ଼ିକର ଘରୋଇକରଣ କରିବାକୁ ମସୁଧା କରୁଛନ୍ତି। ଦେଶର ପୂର୍ବ ଏବଂ ପଶ୍ଚିମ ତଟବର୍ତ୍ତୀ ଅଞ୍ଚଳରେ ଥିବା ୧୩ ବୃହତ୍‌ ବନ୍ଦର ଭିତରେ ୨୦୨୨ ସୁଦ୍ଧା ଅନେକ ଘରୋଇ କରଣ ହୋଇସାରିଥିବ ବୋଲି ସେମାନେ ମତ ଦେଇଛନ୍ତି।

ଶକ୍ତି କ୍ଷେତ୍ରର ଗୋଲାପୀ ଚିତ୍ର

ସ୍ମାର୍ଟ ମିଟରଠାରୁ ଆରମ୍ଭ କରି ଅକ୍ଷୟ ଶକ୍ତିର ଉତ୍ସର ଭରପୂର ଉପଯୋଗ। ରନ୍ଧନ ଗ୍ୟାସ୍‌ଠାରୁ ହାଇଡ୍ରୋଜେନ୍‌ର ମିଶନ ଆଦି ସବୁ ବିଷୟର ଗୋଲାପୀ ଚିତ୍ର ଦେଖିବାକୁ ମିଳିଛି ବଜେଟ୍‌ରେ। ସୌରଶକ୍ତିର ଉପଯୋଗ କରିବା ଲାଗି ସୋଲାର ଏନର୍ଜି କର୍ପୋରେଶନ ଅଫ୍‌ ଇଣ୍ଡିଆ(ଏସ୍‌ଇସିଆଇ) ପାଇଁ ଅତିରିକ୍ତ ୧୦୦୦ କୋଟି ଏବଂ ଇଣ୍ଡିଆନ ରିନଓ୍ବେବଲ ଏନର୍ଜି ଡେଭଲପ୍‌ମେଣ୍ଟ ଏଜେନ୍ସି (ଆଇଆର୍‌ଇଡିଏ) ପାଇଁ ୧୫୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ୨୦୨୧-୨୨ ବର୍ଷରେ ସବୁଜ ଶକ୍ତି ଉତ୍ପାଦନ ଲାଗି ହାଇଡ୍ରୋଜେନ ମିଶନ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରାଯାଇଛି। ସ୍ବଚ୍ଛ ବାୟୁ ଏବଂ ପରିବେଶ ସୁନିଶ୍ଚିତ କରିବା ଲାଗି ବଜେଟରେ ୧୦ଲକ୍ଷ ଜନସଂଖ୍ୟା ବିଶିଷ୍ଟ ୪୨ ସହରାଞ୍ଚଳ ପାଇଁ ୨୨୧୨ କୋଟି ଟଙ୍କା ଆବଣ୍ଟନ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ଶକ୍ତି କମ୍ପାନୀଗୁଡ଼ିକ ଲାଗି ସ୍ବତନ୍ତ୍ର ଭାବେ ୩.୫ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଆସନ୍ତା ୩ ବର୍ଷ ଭିତରେ ୧୦୦ରୁ ଅଧିକ ଜିଲାରେ ସିଟି ଗ୍ୟାସ୍‌ ନେଟଓ୍ବର୍କ ଯୋଡ଼ାଯିବ। ଏଣିକି ବିଦ୍ୟୁତ୍‌ ଉପଭୋକ୍ତାମାନେ ନିଜ ଇଚ୍ଛା ଅନୁଯାୟୀ ବିଦ୍ୟୁତ୍‌ ବିତରକ କମ୍ପାନୀ ଚୟନ କରିପାରିବେ। ଉଜ୍ଜ୍ୱଳା ଯୋଜନାରେ ନୂତନ କରି ଆଉ ୧ କୋଟି ଉପଭୋକ୍ତାଙ୍କୁ ସାମିଲ କରାଯିବକୁ ବ୍ୟବସ୍ଥା କରାଯାଇଛି।

ସେନ୍‌ସେକ୍ସ ୨୩୦୦ ପଏଣ୍ଟ ବୃଦ୍ଧି

ମୁମ୍ବାଇ,୧।୨: କେନ୍ଦ୍ର ସରକାରଙ୍କ ନୂଆ ବଜେଟ ଅଭିଭାଷଣକୁ ସ୍ବାଗତ କରିଛି ଶେୟାର ବଜାର। ସୋମବାର ସକାଳର କାରବାର ଆରମ୍ଭରୁ ସନ୍ଧ୍ୟା ପର୍ଯ୍ୟନ୍ତ ସେନ୍‌ସେକ୍ସ ନୀଳରଙ୍ଗରେ ରହିଥିଲା। ଶେଷ ଖବର ସୁଦ୍ଧା ସେନ୍‌ସେକ୍ସ ୨୩୧୪.୮୪ ପଏଣ୍ଟ ବୃଦ୍ଧି ସହ ୪୮୬୦୦.୬୧ ପଏଣ୍ଟରେ ବନ୍ଦ ହୋଇଥିବା ଜଣାପଡିଛି। ସେହିଭଳି ନିଫ୍‌ଟି ୬୪୬.୬୦ ପଏଣ୍ଟ ବଢି ୧୪,୨୮୧.୨୦ ପଏଣ୍ଟରେ କାରବାର ଶେଷ ହୋଇଛି। ବିଗତ ଦିନର ଯେକୌଣସି ବଜେଟ ଦିନର କାରବାରଠାରୁ ଏହା ହେଉଛି ସେନ୍‌ସେକ୍ସରେ ସର୍ବାଧିକ ପଏଣ୍ଟ ବୃଦ୍ଧି। ନିର୍ମଳାଙ୍କ ବିଗତ ଦୁଇ ବଜେଟ ଘୋଷଣା ଦିନ ଷ୍ଟକ୍‌ ବଜାରରେ ମଧ୍ୟ ହ୍ରାସ ପାଇଥିବା ଦେଖାଦେଇଥିଲା। ଏହି ବଜେଟରେ ଅର୍ଥମନ୍ତ୍ରୀ ସ୍ବାସ୍ଥ୍ୟସେବା କ୍ଷେତ୍ର, ଭିତ୍ତିଭୂମି, କୃଷି, ଅଟୋମୋବାଇଲ୍ସ, ବ୍ୟାଙ୍କିଙ୍ଗ୍‌ ଆଦି କ୍ଷେତ୍ର ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି। ଫଳରେ ସରକାର ଘୋଷଣା କରିଥିବା ପୁରୁଣା ଯାନବାହନ ବଦଳ ନୀତି ଯୋଗୁ ଅଟୋମୋବାଇଲ ଶିଳ୍ପରେ ଚାହିଦା ବୃଦ୍ଧି ପାଇବ। ଏହା ଫଳରେ ଅଟୋମୋବାଇଲ ଷ୍ଟକ୍‌ଗୁଡ଼ିକରେ ବୃଦ୍ଧି ଦେଖାଦେଇଛି। ସେହିପରି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରେ ୨୨ ହଜାର କୋଟିର ପୁଞ୍ଜିନିବେଶ ଘୋଷଣା ଦ୍ବାରା ବ୍ୟାଙ୍କଗୁଡ଼ିକରେ ମଧ୍ୟ ଷ୍ଟକ୍‌ ବୃଦ୍ଧି ଦେଖାଦେଇଛି। କୃଷି ଓ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେଇଥିବା କାରଣରୁ ଟ୍ରାକ୍ଟର ଓ କୃଷି ଉପକରଣ କମ୍ପାନୀଗୁଡିକଙ୍କ ପାଇଁ ଏକ ସକାରାତ୍ମକ ଅଭିବୃଦ୍ଧି ରହିଛି। ଅନ୍ୟପକ୍ଷରେ ବିଭିନ୍ନ ସାମାଜିକ କ୍ଷେତ୍ରରେ ବ୍ୟୟବରାଦ ବୃଦ୍ଧି ଯୋଗୁ ତାହା ସାମଗ୍ରିକ ଭାବେ ଚାହିଦା ବୃଦ୍ଧି କରିବ।

ଆରମ୍ଭ ହେବ ଜଳ ଜୀବନ ମିଶନ (ଅର୍ବାନ)

ସହରାଞ୍ଚଳର ୨.୮୬ କୋଟି ପରିବାରକୁ ଟ୍ୟାପ୍‌ ଯୋଗେ ପାନୀୟ ଜଳ ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ଜଳ ଜୀବନ ମିଶନ (ଅର୍ବାନ) ଶୁଭାରମ୍ଭ କରିବାକୁ ଯାଉଛନ୍ତି। ଆଗାମୀ ୫ ବର୍ଷରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ଏହି ମିଶନ ଲାଗି ୨,୮୭,୦୦୦ କୋଟି ଟଙ୍କା ବ୍ୟୟ ହେବ। ଏହା ଦ୍ୱାରା ସମସ୍ତ ୪.୩୭୮ ପୌରାଞ୍ଚଳର ୨.୮୬ କୋଟି ପରିବାରକୁ ଟ୍ୟାପ୍‌ ପାଣି ସଂଯୋଗ ଦିଆଯିବ। ଜଳଜୀବନ ମିଶନ (ରୁରାଲ) ୨୦୧୯ରେ ଆରମ୍ଭ ହୋଇଥିଲା। ୨୦୨୪ ସୁଦ୍ଧା ଗ୍ରାମାଞ୍ଚଳର ସମସ୍ତ ପରିବାରକୁ ଟ୍ୟାପ୍‌ ପାଣି ଯୋଗାଇଦେବାକୁ ଏହି ଯୋଜନାରେ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ୩ କୋଟି ପରିବାରକୁ ଟ୍ୟାପ୍‌ ପାଣି ସଂଯୋଗ କରାଗଲାଣି।


Enter your email to get our daily news in your inbox.

All Right Reserved By Dharitri.Com

୧୪ ବର୍ଷର ବନବାସ ଶେଷ କରି କାହିଁକି ରାଜନୀତିକୁ ଫେରିଲେ ଛୋଟେ ମିଆଁ

ମୁମ୍ବାଇ,୨୮।୩: ବଲିଉଡ଼ ଅଭିନେତା ତଥା ପୂର୍ବତନ ଏମପି ଗୋବିନ୍ଦା ଗୁରୁବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନାରେ ଯୋଗ ଦେଇଛନ୍ତି। ମୁମ୍ବାଇ ଉତ୍ତର ପଶ୍ଚିମରେ ଶିବସେନାର...

ଇଡି ମୋ ସ୍ବାମୀଙ୍କୁ ହଇରାଣ କରୁଛନ୍ତି, ସେ ବହୁତ ଅସୁସ୍ଥ ଅଛନ୍ତି:ସୁନୀତା

ନୂଆଦିଲ୍ଲୀ,୨୮।୩: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗୁରୁବାର କୋର୍ଟରୁ ଆଶ୍ୱସ୍ତି ପାଇନାହାଁନ୍ତି ଏବଂ ତାଙ୍କୁ ଏପ୍ରିଲ ୧ ପର୍ଯ୍ୟନ୍ତ ଇଡି ରିମାଣ୍ଡରେ...

ଅନ୍ୟକୁ ଡରାଇବା ଧମକାଇବା କଂଗ୍ରେସର ସଂସ୍କୃତି…ଓକିଲଙ୍କ ଚିଠିକୁ ନେଇ ଏମିତି କହିଲେ ମୋଦି

ନୂଆଦିଲ୍ଲୀ,୨୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଅନ୍ୟମାନଙ୍କୁ ଭୟଭୀତ କରିବା ହେଉଛି କଂଗ୍ରେସର ପୁରୁଣା ସଂସ୍କୃତି। ମାତ୍ର ୫ଦଶନ୍ଧି ପୂର୍ବରୁ ସେ ଏକ ‘ପ୍ରତିବଦ୍ଧ...

ଭାଜପାରେ ମିଶିଲେ ଭାରତର ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ

ନୂଆଦିଲ୍ଲୀ,୨୮।୩: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଭାରତର ସବୁଠାରୁ ଧନୀ ମହିଳା ତଥା ହରିୟାଣାର ପୂର୍ବ ମନ୍ତ୍ରୀ ସାବିତ୍ରୀ ଜିନ୍ଦଲ(୮୪) ଭାଜପାରେ ସାମିଲ ହୋଇଛନ୍ତି। କିଛି...

ଅଗ୍ନିବୀର ଯୋଜନାକୁ ନେଇ ସରକାର ନେବେ ବଡ ନିଷ୍ପତ୍ତି? ରାଜନାଥ ଦେଲେ ସୂଚନା

ନୂଆଦିଲ୍ଲୀ,୨୮।୩: ଅଗ୍ନିବୀର ଯୋଜନା ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଆବଶ୍ୟକତା ପଡେ ତେବେ...

ଛିଣ୍ଡିଲା କଥା! ମହାମେଣ୍ଟରେ ସମାଧାନ ହେଲା ସିଟ ଶେୟାରିଂ ପ୍ରସଙ୍ଗ, କାଲି ଘୋଷଣା

ପାଟନା,୨୮।୩: ବିହାରରୁ ଏକ ବଡ ଖବର ଆସିଛି, ଯେଉଁଠାରେ ଗ୍ରାଣ୍ଡ ଆଲାଇନ୍ସରେ ସିଟ ବଣ୍ଟନ ବିଷୟରେ ଆଲୋଚନା ହୋଇଛି। ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଏହି ବିଷୟରେ...

ଜିତିବାକୁ ନୁହେଁ ଏହି ବ୍ୟକ୍ତିଙ୍କୁ ପସନ୍ଦ ନିର୍ବାଚନରେ ହାରିବାକୁ

ମେଟ୍ଟୁରା,୨୮।୩: ବିଶ୍ୱର ଯେକୌଣସି ବ୍ୟକ୍ତି କେବଳ ଜିତିବା ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି, କିନ୍ତୁ ତାମିଲନାଡୁରେ ଜଣେ ବ୍ୟକ୍ତି ଅଛନ୍ତି ଯିଏ ନିର୍ବାଚନରେ କେବଳ ହାରିବା...

ମୁଁ ଇଡିକୁ ଧନ୍ୟବାଦ ଦେବାକୁ ଚାହୁଁଛି… କୋର୍ଟରେ କାହିଁକି ସିସୋଡିଆଙ୍କ କଥା ଉଠାଇଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୮।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗୁରୁବାର ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା। ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ର ତାଙ୍କର ୬ ଦିନିଆ ଅଟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri