ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ ଭାବେ ହତ୍ୟା କରାଯାଇଛି। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକଙ୍କ ମୃତଦେହ ପଡି ରହିଥିବା ବେଳେ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି । ମଙ୍ଗଳବାର ଭୋର ସମୟରେ ଘଟିଛି ଘଟଣା।
ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ସ୍ଥାନୀୟ ଲୋକେ ଏହା ଦେଖି ୧୦୮ ଆମ୍ବୁଲାନ୍ସ ଓ ପୋଲିସକୁ ଖବର ଦେଇଥିଲେ। ୧୦୮ ଆମ୍ବୁଲାନ୍ସ ଯୋଗେ ଉକ୍ତ ଯୁବକଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଅଚିହ୍ନା ମୃତଦେହର କୌଣସି ପରିଚୟ ମିଳି ନାହିଁ । ମୃତ ଯୁବକ ଜଣକ ଯାତ୍ରୀ ନା ସ୍ଥାନୀୟ ଅଞ୍ଚଳର ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି ।
ତେବେ ସ୍ଥାନୀୟ ଲୋକେ ରେଲୱେ ଷ୍ଟେସନ ନିକଟସ୍ଥ ଭାସ୍କରଗଞ୍ଚ ସାଇ ମନ୍ଦିର ଗଳି ରାସ୍ତା ଉପରେ ମୃତଦେହ ପଡିଥିବାର ଦେଖିବାକୁ ପାଇଥିଲେ। ଲୋକଟି ଖୋଲା ଦେହରେ ଥିବା ବେଳେ ବୟସ ପାଖାପାଖି ୪୦ ବର୍ଷ ବୟସ ହେବ ବୋଲି ଅନୁମାନ କରାଯାଉଛି । ମୃତକର ବେକ, ଛାତି ଓ ପେଟରେ ଧାରୁଆ ଅସ୍ତ୍ରରେ ହାଣି ଦିଆଯାଇଥିବା ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି । ଘଟଣା ସ୍ଥଳରେ ସହଦେବଖୁଣ୍ଟା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

