ପାରିବାରିକ କଳହ ନେଲା ଜୀବନ, ଭିଣୋଇଙ୍କ ଠେଙ୍ଗା ମାଡ଼ରେ ଶଳା ମୃତ

ଗୁଣୁପୁର,୨୯ା୧(ସଂକେତ ପାତ୍ର/ସୁଜାତା ପାଢ଼ୀ ): ଭିଣୋଇଙ୍କ ଠେଙ୍ଗା ମାଡ଼ରେ ଶଳାଙ୍କ ମୃତ୍ୟୁ। ଏହି ଅଭାବନୀୟ ଘଟଣାଟି ଘଟିଛି ରାୟଗଡା ଜିଲା ଗୁଣପୁର ମେଡିକାଲ କଲୋନୀରେ। ଭିଣୋଇ ଏବଂ ଶଳା ମଧ୍ୟରେ କିଛି କଥାକୁ ନେଇ ପାଟିତୁଣ୍ଡ ହେବା ପରେ ଭିଣୋଇ ଶଳାକୁ ଏକ କାଠ ଠେଙ୍ଗାରେ ମୁଣ୍ଡକୁ ଶକ୍ତ ପ୍ରହାର ଦେଇଥିଲେ।

ଏକ ପାହାର ଦେବା ପରେ ଶଳା ଗୁରୁତର ହୋଇପଡିଥିଲେ । ତବେ ତାଙ୍କୁ ଗୁରୁତର ଅବସ୍ଥାରେ ଗୁଣପୁର ଡାକ୍ତଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ହେଲେ ରମେଶ ଚୌଧୁରୀ , ବୟସ ୪୦ ବୋଲି ଜଣାପଡିଛି । ସେ ତାଙ୍କ ଭଉଣୀ ଲକ୍ଷ୍ମୀ ଚୌଧୁରୀ ଘରକୁ ଆସିଥିଲେ। ଲକ୍ଷ୍ମୀ ଚୋଧୁରୀ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ନର୍ସ ଭାବେ କାର୍ଯ୍ୟରତ ଥିବା ଜଣାପଡିଛି। ଗତ ଦୁଇଦିନ ଧରି ଏଭଳି ଝଗଡା ଚାଲିଥିବା ସ୍ଥାନୀୟ ଲୋକେ କହିଥିବା ଦେଖିବାକୁ ମିଳିଛି। ଆଜି ଲକ୍ଷ୍ମୀଙ୍କ ସ୍ୱାମୀ ନାଗଲାପିଲି ମୁରଲୀଙ୍କ ସହ ତାଙ୍କ ଭାଇ ରମେଶ ଚୌଧୁରୀଙ୍କ କଥାବାର୍ତ୍ତା ଯୁକ୍ତିତର୍କ ବଢିଯାଇଥିଲା, ସେତେବେଳେ ତାଙ୍କ ସ୍ୱାମୀ ମୁରଲୀ ଏକ କାଠ ଠେଙ୍ଗାରେ ତାଙ୍କ ଶଳା ରମେଶଙ୍କ ମୁଣ୍ଡରେ ଶକ୍ତ ପ୍ରହାର କରିଥିଲେ । ଗୁଣୁପୁର ପୋଲିସ୍ ପାଖରେ ହତ୍ୟାକାରୀ ଭିଣୋଇ ଆତ୍ମସମର୍ପଣ କରିଥିବା ଜଣାପଡିଛି । ଘଟଣା ସ୍ଥଳରେ ଗୁଣୁପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।