ଉମରକୋଟ,୯।୯(ସନ୍ତୋଷ ସେନାପତି): ବିଷାକ୍ତ ସାପ କାମୁଡ଼ାରେ ଦୁଇ ଭଉଣୀ ଭାଇଙ୍କ ମୃତ୍ୟୁ । ଏହିଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ରାଜପୁର ଗ୍ରାମରେ। ପରିବାର ସମସ୍ତ ସଦସ୍ୟ ଖାଇ ସାରି ଶୋଇଥିବା ବେଳେ ଘରେ ଭଉଣୀ, ଭାଇ ମଧ୍ୟ ଶୋଇଥିଲେ। ସେତିକିବେଳେ ଏକ ବିଷଧର ସାପ ଭାଇ ଋତୁରାଜ ହରିଜନ(୯ମାସ) ଏବଂ ଭଉଣୀ ଅମିତା ହରିଜନ(୧୧)ଙ୍କୁ କାମୁଡ଼ି ଦେଇଥିଲା ବୋଲି ପରିବାର ପକ୍ଷରୁ କୁହାଯାଇଛି।
ହେଲେ ପରିବାର ଲୋକେ ପ୍ରଥମେ ଦୁଇ ଶିଶୁକୁ ସ୍ଥାନୀୟ ଗୁଣିଆ ପାଖକୁ ନେଇଥିଲେ। ପରେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ଭୋର ପ୍ରାୟ ୪ଟାରେ ସେମାନଙ୍କୁ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା। ହେଲେ ଡାକ୍ତର ଭଉଣୀ, ଭାଇଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚରିତ ହେବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଯୋଗ୍ୟ, ଆଜି ମଧ୍ୟ ସଚେତନତାର ଅଭାବ ଯୋଗୁ ଲୋକେ ମେଡ଼ିକାଲ ଉପରେ ଭରସା ନ କରି ଗୁଣିଆଙ୍କୁ ଭରସା କରି ଚିକିତ୍ସା କରୁଛନ୍ତି। ଫଳରେ ଦୁଇ ଦୁଇଟି ଜୀବନ ଚାଲିଯାଇଛି ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି।
ଭଉଣୀ, ଭାଇଙ୍କୁ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିବରେ ବିଳମ୍ବ ହୋଇଥିଲା। ତୁରନ୍ତ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ, ହୁଏତ ସେମାନଙ୍କ ଜୀବନ ବଞ୍ଚି ଯାଇଥାନ୍ତା। ଗ୍ରାମାଞ୍ଚଳରେ ସଚେତନ ଜାରି ରହିଛି ତଥାପି ଆହୁରି ସଚେତନତାର ଆବଶ୍ୟକତା ରହିଛି ବୋଲି ଜିଲା ସ୍ବାସ୍ଥ୍ୟ ଅଧିକାରୀ ସନ୍ତୋଷ ପଣ୍ଡା କହିଛନ୍ତି।