ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କୁ ଶୋଷଣ କରୁଛନ୍ତି ଦଲାଲ, ବିଭାଗ ନୀରବ

ଦାରିଙ୍ଗବାଡ଼ି,୨୯ା୯(ଅରୁଣ ସାହୁ): ସରକାରଙ୍କ ବିଭିନ୍ନ ଯୋଜନାରେ ଉନ୍ନୟନ କାର୍ଯ୍ୟ କରାଯାଉଛି। ବ୍ୟକ୍ତିଗତ ସ୍ତରରେ ଗରିବ ଶ୍ରେଣୀର ଲୋକଙ୍କୁ କଚ୍ଚା ଘରରୁ ପକ୍କା ଘର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ଦିଆଯାଇଛି ହେଲେ ଏବେ ଗୃହ ନିର୍ମାଣରେ ବାଧକ ସାଜିଛି। ବାଲି, ଗୋଡ଼ି, ପଥର ପର୍ଯ୍ୟାପ୍ତ ପରିମାଣର ରହିଥିଲେ ମଧ୍ୟ ଏହା ଯୋଗାଉଥିବା ଗାଡ଼ିମାଲିକ ଯଥା ହାଇୱା, ଟ୍ରାକ୍ଟର ଆଦି ମାଲିକମାନେ ଚଢ଼ାଦରରେ ହିତାଧିକାରୀଙ୍କୁ ଯୋଗାଉଥିବା ଅଭିଯୋଗ ହେଉଛି। ବାଲି ଜିଲା ବାହାରୁ ହାଇଓ୍ବାରେ ଆସୁଥିବାରୁ ହାଇଓ୍ବା ପିଛା ୧୮ ହଜାରରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଭଡ଼ାସୂତ୍ରରେ ନେଉଛନ୍ତି। ଏଥିପ୍ରତି ଦାୟିତ୍ୱରେ ଥିବା ଓଡ଼ିଶା ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ କୌଣସି ଦୃଷ୍ଟି ଦେଉ ନ ଥିବାରୁ ଅବାଧରେ ଦଲାଲମାନେ ହିତାଧିକାରୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଛି।

ସେହିପରି ଇସ୍ପାତ ଓ ଖଣି ବିଭାଗର କୌଣସି ଅଧିକାରୀ ଦାରିଙ୍ଗବାଡ଼ି ଅଞ୍ଚଳରେ ଗାଡ଼ିମୋଟର ଯାଞ୍ଚ କରୁ ନ ଥିବାରୁ ବେଧଡ଼କ ଦଲାଲମାନେ ପଥର, ଗୋଡ଼ି ବିକ୍ରି କରି ମାଲାମାଲ ହେଉଛନ୍ତି। ଫଳରେ ସରକାର ରାଜସ୍ବ ହରାଉଥିବା ବେଳେ ହିତାଧିକାରୀମାନେ ଦଲାଲଙ୍କ ଶିକାର ହେଉଛନ୍ତି। ଏଥିପ୍ରତି ବିଭାଗର ମଧ୍ୟ ନଜର ନ ଥିବା ଅଭିଯୋଗ ହେଉଛି।

Share