ବାରିପଦା,୧୩ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବହଳଦା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଅସଦାଚରଣକୁ ନେଇ ଅଭାବନୀୟ ଘଟଣା ଘଟିଛି। ଅଞ୍ଚଳବାସୀ ନ୍ୟାୟ ଦାବିରେ ଜାତୀୟ ରାଜପଥ ୨୨୦କୁ ଅବରୋଧ କରିବା ସହିତ ଉତ୍ତେଜନା ପ୍ରକାଶ ପାଇଥିଲା। ଖବରପାଇ ବହଳଦା ତହସିଲଦାର ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିବା ସମୟରେ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ। ତହସିଲଦାରଙ୍କ ଗାଡ଼ି ଭାଙ୍ଗିବା ସହ ପୋଲିସ କର୍ମଚାରୀଙ୍କ ଉପରେ ଅତର୍କିତ ଆକ୍ରମଣ କରିଛନ୍ତି। ଯାହା ଫଳରେ ୯ରୁ ଊର୍ଦ୍ଧ୍ୱ କର୍ମଚାରୀ ଆହତ ହୋଇଥିବା ବେଳେ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବାରିପଦା ପିଆରଏମ୍ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଉତ୍ତେଜନା ଜାରି ରହିଥିବା ବେଳେ ରାସ୍ତା ଅବରୋଧ ବଳବତ୍ତର ରହିଛି। ଏହାକୁ ନେଇ ଜିଲାପାଳ ହେମକାନ୍ତ ସୟ ଓ ଏସ୍ପି ବରୁଣ ଗୁଣଣ୍ଠୁପାଲି ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପ୍ରୟାସ ଜାରି ରଖିଛନ୍ତି ।
ସୂଚନାଯୋଗ୍ୟ, ଗୁରୁବାର ଅପରାହ୍ନରେ ତିରିଂ ଥାନା ଅଞ୍ଚଳରେ ଜଣେ ନାବାଳିକା ସାଇକେଲରୁ ଘରକୁ ଯାଉଥିଲେ। ଏହି ସମୟରେ ଏକ ଭିନ୍ନ ସମ୍ପ୍ରଦାୟର ଯୁବକ ନାବାଳିକାଙ୍କ ଧକ୍କା ଦେବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାକୁ ନେଇ ନାବାଳିକାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ ହେଁ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ନ ଥିଲେ। ଯାହାକୁ ନେଇ ତିରିଂ-ବହଳଦା ସଂଯୋଗ କରୁଥିବା ଜାତୀୟ ରାଜପଥ ଉପରେ ଅଞ୍ଚଳବାସୀଙ୍କ ପକ୍ଷରୁ ନ୍ୟାୟ ଦାବିରେ ରାସ୍ତାରୋକୋ କରିଥିଲେ। ଏହି ଘଟଣାକୁ ନେଇ ପୋଲିସ ଓ ତହସିଲଦାର ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବାକୁ ଚେଷ୍ଟା କରିବା ସମୟରେ ଲୋକେ ଅତର୍କିତ ଆକ୍ରମଣ କରିଥିଲେ। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ରାସ୍ତାରୋକୋ ଜାରି ରହିଛି।