ନୂଆପଡ଼ା,୨୫ା୭ (ମକାରୁ ବେମାଲ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକର ଏକ ନାଳ ଉପରେ ଥିବା ପୋଲ ଭାଙ୍ଗିଯାଇଛି। ଫଳରେ ଆଖପାଖର ୧୦ରୁ ଊର୍ଦ୍ଧ୍ୱ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ସୂଚନା ଅନୁଯାୟୀ କୋମନା ବ୍ଲକର ସୁନାବେଡାରୁ ଗାତବେଡାକୁ ସଂଯୋଗ କରୁଥିବା ରାସ୍ତାରେ କପ୍ତାପିପଲ (ତେତେଲଖୁଣ୍ଟି) ନାଳ ବହିଯାଇଛି। ବୁଧବାର ରାତିରେ ଲଗାଣ ବର୍ଷା ଯୋଗୁ ପାହାଡରୁ ପାଣି ଖସି ନାଳ ଉଛୁଳି ଉଠିଥିଲା। ଏପରି କି ନାଳ ଉପରେ ଥିବା ପୋଲରେ ୩ଫୁଟ୍ ଉଚ୍ଚର ପାଣି ପ୍ରବାହିତ ହୋଇଥିଲା। ଜଳ ସ୍ରୋତରେ ଉଭୟ ପାର୍ଶ୍ୱ ଧୋଇଯାଇ ବହୁ ପୁରାତନ ପୋଲ ଭାଙ୍ଗିଯାଇଥିଲା। ଫଳରେ ସୁନାବେଡା ଅଭୟାରଣ୍ୟ ଭିତରେ ଥିବା ଗାତିବେଡା, ଢେକୁନପାଢଣି, ସାଲେପଡା, କୋନ୍ଦାଧୁଆ, କୋଟରାବେଡା, ଦେଓସିଲ, ଗୁରୁପାଣି, ଛିନମୁଣ୍ଡି, ଦୋହେଲପଡା ଆଦି ଗାଁଗୁଡିକ ବିଚ୍ଛିନ୍ନ ହୋଇଯାଇଛି। ଏଥିଯୋଗୁ ନାଳ ପାରି ହୋଇ ନ ପାରି ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି କି ସ୍କୁଲ, କଲେଜ ଯାଇ ନ ପାରିବାରୁ ଛାତ୍ରୀଛାତ୍ରଙ୍କ ପାଠପଢା ବନ୍ଦ ହୋଇଯାଇଛି।
ସେହିପରି ଚେରେଚୁଆଁ-ଜାମଗାଁ ଘାଟିରେ ବଡ ବଡ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ପଡି ଯାଇଥିବାରୁ ସୁନାବେଡାକୁ ଯାତାୟାତ ଠପ ହୋଇଯାଇଛି। ଅତ୍ୟଧିକ ବର୍ଷା ଯୋଗୁ ଗୋଡା ପାହାଡରୁ ବଡ ବଡ ପଥର ଖଣ୍ଡ ଖସି ଆସିଥିବା ବେଳେ ପାଣିରେ ଧୋଇ ହୋଇ ରାସ୍ତା ଖାଲଖମା ହୋଇଯାଇଛି। ଫଳରେ ବସ୍ ଓ ଅନ୍ୟ ଗାଡିମୋଟର ଯିବା ସମ୍ଭବ ହେଉନାହିଁ। ଏଥିଯୋଗୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ପୋଲ ମରାମତି ସହ ରାସ୍ତାରେ ପଡିଥିବା ଗଛ ଓ ବିଦ୍ୟୁତ୍ ଖୁଣ୍ଟ ହଟାଇବାକୁ ସୁନାବେଡା ଅଞ୍ଚଳବାସୀ ଦାବି କରିଛନ୍ତି।