ତରଭା/ବଲାଙ୍ଗୀର,୨୨।୨(ମାନଭଞ୍ଜନ ମିଶ୍ର/ସୁନୀଲ ମହାନ୍ତି): ଫିଲ୍ମ ଷ୍ଟାଇଲରେ ଜଣେ ଯୁବକ ବନ୍ଧୁକ ଦେଖାଇ ଅଧାବାଟରୁ ନବବଧୂଙ୍କୁ ନେଇ ଫେରାର ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି । ବରଙ୍କ ଘର ଫେରନ୍ତା କାର ଭିତରୁ ନବବଧୂକୁ ଅପହରଣ କରି ନେଇଯିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏଭଳି ଘଟଣାଟି ଘଟିଛି ସୁବର୍ଣ୍ଣପୁର ଜିଲା ତରଭା ଥାନା ଅଞ୍ଚଳରେ ।
ତରଭା ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଶନିବାର ସନ୍ଧ୍ୟାରେ ବଲାଙ୍ଗୀର କାମାକ୍ଷୀ ନଗରର ଜଣେ ଯୁବକ ବିବାହ ହେବାକୁ ବୌଦ୍ଧ ଜିଲା କଣ୍ଟାମାଳ ଥାନା କଣ୍ଟାମାଳ ରଥପଡାକୁ ବରଯାତ୍ରୀ ନେଇ ଯାଇଥିଲେ। ସେଠାରେ ସୁରୁଖୁରୁରେ ବିବାହ ସମ୍ପନ୍ନ ହୋଇଥିଲା। ନବବଧୂକୁ ନିଜ ଡେକୋରେଟିଭ କାରରେ ଧରି ଖୁସି ମନରେ ଘରକୁ ଫେରୁଥିବା ବେଳେ ବାଟରେ ଘଟିଥିଲା ଅଘଟଣ।
ତରଭା ନିକଟରେ କିଛି ଯୁବକ ତାଙ୍କ କାରକୁ ଅଟକାଇଥିଲେ । ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ନବବଧୂକୁ ଅପହରଣ କରି ନେଇ ଚମ୍ପଟ ମାରିଥିଲେ। ଏନେଇ ବରପକ୍ଷ ତରଭା ଥାନାକୁ ଆସି ଅଭିଯୋଗ କରିଥିଲେ। ଅପହରଣ କରିଥିବା ଯୁବକ ଜଣକ ବୌଦ୍ଧ ଜିଲା କଣ୍ଟାମାଳ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି । ପ୍ରେମ ଘଟଣାରୁ ଏଭଳି ଅଭାବନୀୟ କାଣ୍ଡ ଘଟିଥିବା ଚର୍ଚ୍ଚା ହେଉଥିବା ବେଳେ ପୋଲିସ ତଦନ୍ତ ଜାରି ରହିଥିବା ସୂଚନା ଦେଇଛି । ଏହି ଘଟଣାଟି ବର୍ତ୍ତମାନ ଆଲୋଚନାର ବିଷୟ ପାଲଟିଛି ।