ପଟ୍ଟାମୁଣ୍ଡାଇ, ୨୮ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ମାଟିଆ ଗ୍ରାମରେ ଅଧିକ ଯୌତୁକ ପାଇଁ ଶନିବାର ଜନୈକା ବଧୂଙ୍କୁ ହତ୍ୟା କରାଯାଇଥିବା ନେଇ ବାପା ଲିଖିତ ଅଭିଯୋଗ କରିଛନ୍ତି। ଖବର ପାଇ ପୋଲିସ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟରୁ ବଧୂଙ୍କ ମୃତଦେହକୁ ଜବତ କରିଛି। ଅଭିଯୋଗକୁ ଭିତ୍ତିକରି ପୋଲିସ ନଂ. ୧୨୭/୨୫ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ଲାଗି ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ବ୍ୟବଚ୍ଛେଦ ପରେ ପୋଲିସ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି।
ପୋଲିସ ସୂଚନା ମୁତାବକ, ପାଟକୁରା ଥାନା ଅନ୍ତର୍ଗତ ନୂଆପଡ଼ା ଗ୍ରାମର କେଶବ ଦାସଙ୍କ ଝିଅ ସୋନାଲିଙ୍କ ସହ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧୀନ ମାଟିଆ ଗ୍ରାମର ଜନକର ମଲିକ ପୁଅ ଲିପୁନଙ୍କ ମୋବାଇଲରୁ ପ୍ରଥମେ ପରିଚୟ ହୋଇ ସମ୍ପର୍କ ଗଢ଼ି ଉଠିଥିଲା। ୨୦୨୫ ଜାନୁଆରୀ ୨୨ରେ ସେମାନେ ପ୍ରେମ ବିବାହ କରିଥିଲେ। ବିବାହର କିଛିଦିନ ପରେ ସୋନାଲିଙ୍କ ସ୍ବାମୀ ଲିପୁନ କର୍ମ ସଂସ୍ଥାନ ପାଇଁ ବାହାରକୁ ଚାଲି ଯାଇଥିଲେ। ମାତ୍ର ସୋନାଲି ନିଜ ଶାଶୁଶ୍ୱଶୁର ଓ ପରିବାର ଲୋକଙ୍କ ସହ ରହୁଥିଲେ। ବିବାହର ମାତ୍ର ୩ ମାସ ପରେ ଶନିବାର ଅପରାହ୍ନରେ ସୋନାଲି ଆତ୍ମହତ୍ୟା କରିଥିବା ପୋଲିସ ସୂତ୍ରରୁ ଖବରପାଇ ମା’ବାପା ଓ ପରିବାର ଲୋକ ଆସିଥିଲେ। ସୋନାଲିଙ୍କ ବାପା କେଶବ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟରେ ପହଞ୍ଚତ୍ ଝିଅର ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲେ। କୌଣସି କାରଣ ନ ଥାଇ ବିବାହର ୩ ମାସ ପରେ ଝିଅର ମୃତ୍ୟୁକୁ କେଶବ ସହଜରେ ଗ୍ରହଣ କରିପାରି ନ ଥିଲେ। କେଶବ ଥାନାରେ କରିଥିବା ଲିଖିତ ଅଭିଯୋଗ ମୁତାବକ, ଝିଅକୁ ଶାଶୁଘର ଲୋକେ ଅଧିକ ଯୌତୁକ ଟଙ୍କା ପାଇଁ ନିର୍ଯାତନା ଦେଇ ଆସୁଥିଲେ। ଟଙ୍କା ନ ଦେବାରୁ ଝିଅକୁ ଜୀବନରୁ ମାରି ଦେଇଥିବା ନେଇ ସେ ଅଭିଯୋଗରେ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ଘରେ କେହି ପରିବାର ଲୋକ ନ ଥିବାର ସୁଯୋଗରେ ବୋହୂ ସୋନାଲି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି ବୋଲି ଶାଶୁ ରୀନା ମଲିକ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଆଇଆଇସି ବନ୍ଦନା ପାତ୍ରଙ୍କୁ ପଚାରିବାରେ ଘଟଣାର ତଦନ୍ତ ଚାଲିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହତ୍ୟା ନ ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।