ନୟାଗଡ଼,୧୫।୧୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମିକ ଜଣକ ପ୍ରେମିକାଙ୍କୁ ଫୁଙ୍କନଳୀରେ ପିଟି ହତ୍ୟା କରିଥିବା ଜଣାପଡିଛି। ଏପରିକି ପ୍ରେମିକ ଜଣକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଠାରେ ପ୍ରେମିକଙ୍କ ଚିକିତ୍ସା ଚାଲିଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ମିଳିଥିବା ସୂଚନା ମୁତାବକ, ପ୍ରେମିକା ଜଣକ ଦଶମ ଶ୍ରେଣୀ ଛାତ୍ରୀ। ସେ ସୋମବାର ଟ୍ୟୁଶନ ସାରି ଘରକୁ ଫେରୁଥିଲେ। ସେତିକିବେଳେ ପ୍ରେମିକଙ୍କ ସହ ଦେଖା ହୋଇଥିଲା। ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରେ ମନୋମାଲିନ୍ୟ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ପ୍ରେମିକ ଜଣକ ଲୁହାର ଏକ ଫୁଙ୍କନଳୀରେ ପ୍ରେମିକାଙ୍କୁ ଆକ୍ରମଣ କରିଥିଲେ ଫଳରେ ସେ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ।
ପ୍ରେମିକାଙ୍କ ମୃତ୍ୟୁ ହୋଇଥିବା ଭାବି ପ୍ରେମିକ ଧରିଥିବା ବିଷ ପିଇଦେଇଥିଲେ। ପରବର୍ତ୍ତୀ ସମୟରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତିି କରାଯାଇଥିଲା। ସେଠାରେ ଡାକ୍ତର ପ୍ରମିକାଙ୍କୁ ମୃତ ଘୋଷଣା କରିଥିବା ବେଳେ ପ୍ରେମିକ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ ପୋଲିସ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।
Dharitri – Odisha’s No.1 Odia Daily