ସମ୍ବଲପୁର,୮।୧(ପ୍ରମୋଦ ବହିଦାର): ସକାଳୁ ସକାଳୁ ବୋମା ଧମକ । ସମ୍ବଲପୁର କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଥିବା ନେଇ ସୂଚନା ରହିଛି । ସମ୍ବଲପୁର ଜିଲା ଜଜ୍ କୋର୍ଟରେ ବୋମା ଆତଙ୍କକୁ ନେଇ ଏକ ପ୍ରକାର ହଇଚଇ ସୃଷ୍ଟି ହୋଇଛି। ଆତଙ୍କର ମାହୋଲ ମଧ୍ଯରେ ତୁରନ୍ତ ପୋଲିସ ସୁରକ୍ଷାକର୍ମୀ ପହଞ୍ଚି ତୁରନ୍ତ ମାଜିଷ୍ଟ୍ରେଟଙ୍କ ଠାରୁ ଆରମ୍ଭ କରି ଓକିଲ, କରମଚାରୀ ଓ ପେଶି ପାଇଁ ଆସିଥିବା ସମସ୍ତ ମୁଦାଲାଙ୍କୁ ବାହାରକୁ ଯିବାକୁ କହି ସମଗ୍ର କୋର୍ଟ ପରିସରରୁ ଖାଲି କରି ଦେଇଥିଲେ। ଏହାବ୍ୟତିତ ବୋମା ସ୍କ୍ୱାଡ ଓ ସନ୍ଧାନୀ କୁକୁର ପହଞ୍ଚି କୋର୍ଟ ପରିସରକୁ ଯାଞ୍ଚ କରୁଛନ୍ତି।
ସୂଚନା ଯୋଗ୍ଯ ଯେ, ଗୁରୁବାର ପୂର୍ବାହ୍ନରେ ଜିଲା କୋର୍ଟ କାର୍ଯ୍ଯ ଚାଲିଥିବା ବେଳେ ହଠାତ ଜିଲାଜଜ୍ ପ୍ରଜ୍ଞା ପାଣିଗ୍ରାହୀଙ୍କ ଇ-ମେଲରେ ଆସିଥିବା ଏକ ମେସେଜରେ ସମ୍ବଲପୁର ଜିଲ୍ଲା କୋର୍ଟ ପରିସରରେ ବୋମା ଖଞ୍ଜା ଯାଇଥିବା ନେଇ ସୂଚନା ମିଳିଥିଲା। ଫଳରେ ଜିଲାଜଜ୍ ତୁରନ୍ତ ସମସ୍ତ ଓକିଲ, କର୍ମଚାରୀ ଓ ମୁଦାଲାମାନଙ୍କୁ କୋର୍ଟ ପରିସର ଖାଲି କରିବାକୁ କହି ନିଜେ ମଧ୍ଯ ନିଜ ପ୍ରକୋଷ୍ଠରୁ ବାହାରି ଯାଇଥିଲେ। ଏହାସହ ସେ ଆରକ୍ଷୀ ଅଧିକ୍ଷକଙ୍କୁ ମଧ୍ଯ ଏ ସମ୍ପର୍କରେ ଖବର ଦେଇଥିଲେ। ଖବର ପାଇ ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୂଙ୍କ ନିର୍ଦ୍ଦେଶକ୍ରମେ ତୁରନ୍ତ ପୋଲିସ ଏକ୍ସନକୁ ଆସି କୋର୍ଟ ପରିସରକୁ ସିଲ୍ କରି ଯାଞ୍ଚ ଆରମ୍ଭ କରିଛି।
ତେବେ ଖବର ଅନୁସାରେ, କେବଳ ସମ୍ବଲପୁର ନୁହେଁ ତିନୋଟି କୋର୍ଟକୁ ମଧ୍ୟ ଧମକ ମିଳିଛି । କଟକ ଜିଲ୍ଲା ଜଜ୍ କୋର୍ଟକୁ ମଧ୍ୟ ବୋମା ଧମକ ମିଳିଛି । ସମ୍ବଲପୁର ଭଳି କଟକକୁ ମଧ୍ୟ ଇ-ମେଲ୍ରେ ଆସିଛି ବୋମା ଧମକ । ଜିଲ୍ଲା ଜଜ୍ କୋର୍ଟ ଏବଂ ହାଇକୋର୍ଟକୁ ଖାଲି କରି ଖାନତଲାସୀ ଆରମ୍ଭ କରାଯାଇଛି । ଅନ୍ୟପଟେ ଦେବଗଡ଼ ଜିଲ୍ଲା ନ୍ୟାୟଳୟରେ ୩ଟି ଆର୍ଡିଏକ୍ସ ଥିବା ମେଲ୍ ଆସିଛି । କିଏ ଏଭଳି କରିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ ।