ଚାଷଜମିରୁ ବୋମା ଜବତ; ଆତଙ୍କିତ ଗ୍ରାମବାସୀ, ପୋଲିସର ତଦନ୍ତ…   

ଦିଗପହଣ୍ଡି,୨୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବୋମକେଇ ପଞ୍ଚାୟତ କୁମରଡ଼ା ଗ୍ରାମ ବଡ଼ବନ୍ଧ ପୋଖରୀ ନିକଟ ଚାଷଜମିରେ ବୋମା ଆତଙ୍କ । ରଘୁ ପ୍ରଧାନଙ୍କ ଘର ବାରିପଟ ଚାଷଜମିରୁ ମଙ୍ଗଳବାର ସକାଳେ କେତୋଟି ହାତବୋମାକୁ ପୋଲିସ ଜବତ କରି ତଦନ୍ତ ଚଳାଇଛି । ସକାଳେ ଗ୍ରାମର କିଛି ବ୍ୟକ୍ତି ଏକ ପ୍ଲାଷ୍ଟିକ ବାଲଟିରେ ବୋମା ଥିବା ଦେଖି କେ. ନୂଆଗାଁ ଥାନାକୁ ଜଣାଇଥିଲେ । ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସବିଶେଷ ତଦନ୍ତ କରିବା ସହ ବୋମା ଗୁଡ଼ିକୁ ଜବତ କରି ତଦନ୍ତ ଚଳାଇଛନ୍ତି ।

ଚାଷଜମିରେ ବୋମା କିଏ ରଖିଥିଲେ, ତାଙ୍କ ଉଦ୍ଦେଶ୍ୟ କଣ ହୋଇପାରେ ସେ ନେଇ ତଦନ୍ତ ଚାଲିଛି ପୋଲିସ।ବ୍ରହ୍ମପୁର ପୋଲିସ ମୁଖ୍ୟାଳୟର ବୋମା ନିଷ୍କ୍ରିୟ ସ୍କ୍ୱାର୍ଡକୁ ଏନେଇ ଖବର ଦିଆଯାଇଥିବା ଜଣାପଡିଛି । ଟିମ୍ ସଦସ୍ୟ ବୃନ୍ଦ ପହଞ୍ଚିଲେ ବୋମା ଗୁଡ଼ିକୁ ନିଷ୍କ୍ରିୟ କରାଯିବ ବୋଲି ଆଇଆଇସି କିଶୋର କୁମାର ସାମଲ କହିଛନ୍ତି । ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଆତଙ୍କ ଖେଳିଯାଇଛି ।

କିଛିଦିନ ହେଲା ଗ୍ରାମ ନିକଟରେ କିଛି ସାମାଜିକ ଯୁବକ ସଂଘବଦ୍ଧ ଭାବେ ବଡ଼ ଧରଣର ଜୁଆ ଆଡ୍ଡା ଚଳାଇଛନ୍ତି । ଏହି ଜୁଆଆଡ୍ଡାକୁ ବିରୋଧ କରୁଥିବା ବ୍ୟକ୍ତିମାନଙ୍କୁ ବୋମାମାଡ଼ କରିବା ପାଇଁ ଏହି ସବୁ ବୋମା ରଖାଯାଇଥିବା ନେଇ ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚା ଚାଲିଛି। ଅନ୍ୟପଟେ ଆସନ୍ତା ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରତିପକ୍ଷ ଗୋଷ୍ଠୀର ଯୁବକମାନଙ୍କୁ ସଂଘବଦ୍ଧ ଆକ୍ରମଣ କରି ବୋମାମାଡ କରିବାକୁ କିଛି ବ୍ୟକ୍ତି ଏସବୁ ବୋମା ପ୍ରସ୍ତୁତ କରି ରଖିଥିବା ଆଲୋଚନା ହେଉଛି ।

 

Dharitri – Odisha’s No.1 Odia Daily