ଚିକିଟି, ୪ା୪(ପ୍ରକାଶ ଚନ୍ଦ୍ର ସାହୁ ): ବ୍ରହ୍ମପୁର ପୋଲିସ ଜିଲା କେ. ନୂଆଗାଁ ଥାନା ଚିକିଟିପେଣ୍ଠ ମୁଖ୍ୟ ବଜାରରେ ଗତ ମଙ୍ଗଳବାର ରାତି ସାଢେ ୮ଟାରେ ହୋଇଥିବା ବୋମାମାଡ ଘଟଣାରେ ଶୁକ୍ରବାର କେ. ନୂଆଗାଁ ପୋଲିସ ୫ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଜରଡ଼ା ଥାନା ଅନ୍ତର୍ଗତ ଖରଣିପଡ଼ା ଗ୍ରାମର ଶୁଭମ ପାଣିଗ୍ରାହୀ, କେ ନୂଆଗାଁ ଥାନା ଚିକିଟିପେଣ୍ଠର କାହ୍ନୁ ଚରଣ ସାହୁ, ଆମୁଣ୍ଡି ଗ୍ରାମର ସାର୍ଥକ ପାତ୍ର, ଶତ୍ରୁମର୍ଦ୍ଦନପୁର ଗ୍ରାମର ନୀଳମଣି ପାତ୍ର(୨୮) ଏବଂ ଗୋଳନ୍ଥରା ଥାନା ଅନ୍ତର୍ଗତ ମେଦିନୀପୁର ଗ୍ରାମର ଗୌତମ ପ୍ରଧାନ (୨୩) l ଏହି ୫ ଅଭିଯୁକ୍ତଙ୍କୁ ପାତ୍ରପୁର କୋର୍ଟ ଚାଲାଣ କରାଯାଇଥିଲା l ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଯାଇଥିବା ଥାନା ଅଧିକାରୀ ବିଶ୍ୱଜିତ ନାୟକ କହିଛନ୍ତି l
ମାମଲାରୁ ପ୍ରକାଶ, ମଙ୍ଗଳବାର ଚିକିଟିପେଣ୍ଠ ମୁଖ୍ୟ ବଜାରର ଏକ ଡ୍ରେସ୍ ଦୋକାନ ଏବଂ ଘର ନିକଟକୁ ୨ ଜଣ ଯୁବକ ଅଚାନକ ଆସି ପେଟ୍ରୋଲ ବୋମା ପକାଇ ଦ୍ରୁତ ଗତିରେ ଚାଲିଯାଇଥିଲେ। ଅଞ୍ଚଳରେ ସେମାନେ ଭୟର ବାତାବରଣ ଖେଳାଇ ଦେଇଥିଲେ। ଖବର ପାଇ ଥାନା ଅଧିକାରୀ ନାୟକ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରି ଫେରିଥିଲେ l ଏନେଇ ୧ ତାରିଖରେ ଉମାକାନ୍ତ ସାହୁ କେ. ନୂଆଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଏହାକୁ ଭିତ୍ତିକରି ନଂ. ୮୮/୨୦୨୬ରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା l ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ଏକ ସ୍ବତନ୍ତ୍ର ଟିମ ଗଠନ କରିଥିଲା l ଅଭିଯୁକ୍ତମାନେ ଭୁବନେଶ୍ୱର ବାପୁଜୀ ନଗରସ୍ଥିତ ଏକ ହୋଟେଲରେ ରହୁଥିବା ସୂଚନା ପାଇ ସ୍ଥାନୀୟ ପୋଲିସ ସହାୟତାରେ ଉପରୋକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କଠାରୁ ଗୋଟିଏ ହିରୋହଣ୍ଡା ବାଇକ୍, ଗୋଟେ କାର ଏବଂ ବିସ୍ଫୋରଣ ହେଉଥିବା ପେଟ୍ରୋଲ ବୋମାର କିଛି ଅଂଶ ପୋଲିସ ଜବତ କରିଛି l ଉମାକାନ୍ତ ସାହୁଙ୍କ ପୁଅ ସୀମାଞ୍ଚଳ ସାହୁଙ୍କ ନିକଟରୁ ଅଭିଯୁକ୍ତମାନେ ୫ ଲକ୍ଷ ଟଙ୍କା ଦାବି କରିଥିଲେ l ସୀମାଞ୍ଚଳ ଟଙ୍କା ଦେବାକୁ ମନା କରିବାରୁ ସେମାନେ ଯୋଜନାବଦ୍ଧ ଭାବେ ଏଭଳି ଘଟଣା ଘଟାଇଥିବା ପୋଲିସ ପଚରାଉଚରା ବେଳେ ସ୍ବୀକାର କରିଛନ୍ତି। ସୂଚନାଯୋଗ୍ୟ ୨ ଜଣ ବାଇକ୍ରେ ଆସି ଘଟଣା ଘଟାଇଥିଲେ ମଧ୍ୟ ଅନ୍ୟ ୩ ଜଣଙ୍କର ଏଥିରେ ସମ୍ପୃକ୍ତି ରହିଛି।