ଛତ୍ରପୁର,୨୭।୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମରେ ଅଭାବନୀୟ ଘଟଣା । ସୋମବାର ବିଳମ୍ବିତ ରାତିରେ ଘରେ ସମସ୍ତେ ଶୋଇଥିବା ବେଳେ ଘର ଉପରକୁ ବୋମାମାଡ଼ ହୋଇଥିଲା । ଖବର ଅନୁସାରେ, ଚିକଲଖଣ୍ଡି ଗ୍ରାମର ଜି. କାମରାଜୁ ରେଡିଙ୍କ ଘର ଉପରକୁ ଦୁର୍ବୃତ୍ତ ବୋମାମାଡ଼ କରିଥିଲେ ।
ଘରେ ଜି. କାମରାଜୁ ତାଙ୍କ ପରିବାର ସହ ଶୋଇଥିବା ବେଳେ କେହି ଦୁର୍ବୁତ୍ତ ଏଭଳି କାଣ୍ଡ ଘଟାଇଛନ୍ତି । ଘରର ପଛ ପଟୁ ବୋମାମାଡ଼ କରାଯାଇଥିବା ବେଳେ କାନ୍ଥ ଭାଙ୍ଗି ଯାଇଛି । ତେବେ ବୋମାମାଡ଼ର କାରଣ ଅସ୍ପଷ୍ଠ ରହିଛି । ଘଟଣାର ଖବର ପାଇ ଛତ୍ରପୁର ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛନ୍ତି । ଘରର ବହୁ ସାମଗ୍ରୀ ନଷ୍ଟ ହୋଇଥିବା ବେଳେ ତିନି ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଅନ୍ୟପଟେ ଏହି ବୋମାମାଡ଼ରେ ଅଧିକ ଶକ୍ତଶାଳୀ ସାମଗ୍ରୀ ବ୍ୟବହାର କରାଯାଇଥିବା ଅନୁମାନ କରାଯାଉଛି । ମଙ୍ଗଳବାର ସକାଳୁ ବରିଷ୍ଠ ପୋଲିସ ଅଧିକାରୀମାନେ ଆସି ଘଟଣା ର ଅଧିକ ତଦନ୍ତ କରୁଛନ୍ତି । ତେବେ କିଏ ଏବଂ କାହିଁକି ବୋମାମାଡ଼ କଲା ତାହାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ ।