ଗଛରେ ପିଟି ହେଲା ବୋଲେରୋ: ଚାଲିଗଲା ୪ ଜୀବନ

କେନ୍ଦୁଝର,୩୧।୧୨:(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ପଣ୍ଡାପଡା ଥାନା ଅନ୍ତର୍ଗତ ସୋମଗିରି ଗ୍ରାମ ନିକଟସ୍ଥ ଜଙ୍ଗଲ ରାସ୍ତାରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଛି ବୋଲେରୋ। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ଖବର ଅନୁଯାୟୀ ମୟୁରଭଞ୍ଜ ରଙ୍ଗମାଟିଆ ଅଞ୍ଚଳରୁ ଏହି ଯୁବକମାନେ ବଳଦ କିଣିବା ପାଇଁ ବୋଲେରୋ ଯୋଗେ ବିଳମ୍ବିତ ରାତିରେ ପିଠାଗୋଳା ଅଞ୍ଚଳକୁ ଆସୁଥିଲେ। କୌଣସି କାରଣରୁ ସୋମଗିରି ଗ୍ରାମ ନିକଟସ୍ଥ ଜଙ୍ଗଲ ରାସ୍ତାରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡ଼ର ଗଛରେ ଧକ୍କା ଦେଇଥିଲା। ଧକ୍କା ହେବାରୁ ସ୍ଥାନୀୟ ଲୋକେ ଖବର ପାଇ ଘଟଣାସ୍ଥଳକୁ ଯାଇ ସମସ୍ତ ଗୁରୁତରଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଆହତ ମାନେ ହେଲେ ମାଟା ନାଏକ, ସୁରେନ୍ଦ୍ର ମାରାଣ୍ଡି , ରେବତୀ ରାଜ ଓ ଏସ କେ କମର । ମୃତକ ଙ୍କ ପରିଚୟ ମିଳିପାରିନାହିଁ । ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ସତ୍ୟତା ଜାଣିବା ପାଇଁ ଘଟଣାର ଅଧିକରୁ ଅଧିକ ତଦନ୍ତ ଚଳାଇଛି।