ବଲାଙ୍ଗୀର, ୯।୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ପଥରଚେପା ଗାଁ ପୋଖରୀରେ ଶୁକ୍ରବାର ସକାଳୁ ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ମୃତଦେହଟି ବଲାଙ୍ଗୀର ସହର ଶାନ୍ତିପଡା ନିବାସୀ ପ୍ରବୀଣ ମହାଲିଙ୍ଗ ଓରଫ ମୁଟୁଙ୍କ ବୋଲି ଜଣାପଡିଛି । ଗତ ୫ ତାରିଖରୁ ସେ ନିଖୋଜ ଥିବା ତାଙ୍କ ପରିବାର ଲୋକେ ସଦର ଥାନାରେ ଅଭିଯୋଗ କରିଥିଲେ ।
ପଥରଚେପା ଗାଁ ନିକଟରୁ ତାଙ୍କ ବାଇକ୍ ମିଳିଥିଲେ ସୁଦ୍ଧା ତାଙ୍କର ପତ୍ତା ମିଳିନଥିଲା। ତେବେ ଆଜି ତାଙ୍କ ମୃତଦେହ ମିଳିଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି । ପୋଖରୀରେ ମୃତଦେହ ଭାସୁଥିବା ଖବର ପ୍ରସାରିତ ହେବା ପରେ ଲୋକେ ଦେଖିବା ପାଇଁ ନାହିଁ ନ ଥିବା ଭିଡ ଜମିଥିଲା । ତେବେ ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସଦର ପୋଲିସ ଘଟଣସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା । ଅଗ୍ନିଶମ ବିଭାଗ ପହଞ୍ଚି ପୋଖୋରୀ ଭିତରେ ଭାସୁଥିବା ମୃତଦେହକୁ ଉଦ୍ଧାର କରିଥିଲେ । ତେବେ ମୃତଦେହ ମିଳିବା ପରେ କିଏ ହତ୍ୟା କଲା ସେନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି ।