ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ପାହାଡ଼ ଉପରେ ଏକ ମୃତଦେହ ପଡ଼ିଥିବା ନେଇ ସୂଚନା ପାଇବା ପରେ ଗାରାବନ୍ଧ ଥାନା ଅଧିକାରୀ ପ୍ରଶାନ୍ତ ନିସିକାଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏହି ଘଟଣାରେ ଗାରାବନ୍ଧ ଥାନାରେ କେସ ନମ୍ବର ୦୨/୨୬ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ମୃତକଙ୍କ ପରିଚୟ ଓ ଠିକଣା ସଂଗ୍ରହ ପାଇଁ ପୋଲିସ ଉଦ୍ୟମ ଚଳାଇଛି।
ସ୍ଥାନୀୟ ଅଞ୍ଚଳରେ ହେଉଥିବା ଆଲୋଚନା ଅନୁଯାୟୀ, ମୃତ ବ୍ୟକ୍ତି ଜଣକ ମହେନ୍ଦ୍ରଗିରି ଅଞ୍ଚଳରେ ରହୁଥିଲେ। ସେ ସେଠାକାର ଏକ ଆଶ୍ରମର ବାବାଙ୍କୁ ପ୍ରତିଦିନ ଭୋଜନ ମାଗି ଖାଉଥିଲେ। ତେବେ ସେ କେବେଠାରୁ ସେଠାରେ ରହୁଥିଲେ, ସେ ନେଇ କାହା ପାଖରେ ସଠିକ ସୂଚନା ନାହିଁ।
ତଦନ୍ତକାରୀ ଅଧିକାରୀ ଏଏସଆଇ ପ୍ରତାପ ବେହେରାଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପରିବାର କିମ୍ବା କୌଣସି ସମ୍ପର୍କୀୟଙ୍କ ଦେଖା ମିଳିନାହିଁ। ମୃତଦେହକୁ ବର୍ତ୍ତମାନ ଡାକ୍ତରଖାନାର ଶବ ସଂରକ୍ଷଣ ଗୃହ (Morgue) ରେ ରଖାଯାଇଛି। ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଯଦି କେହି ଦାବିଦାର ନ ଆସନ୍ତି, ତେବେ ମୃତଦେହ ବ୍ୟବଚ୍ଛେଦ କରାଯାଇ ପୋଲିସ ପକ୍ଷରୁ ଅନ୍ତେଷ୍ଟିକ୍ରିୟା କରାଯିବ।
Dharitri – Odisha’s No.1 Odia Daily