ପାରଳାଖେମୁଣ୍ଡି,୬ା୪(ଗିରିଧାରୀ ପରିଚ୍ଛା): ମହେନ୍ଦ୍ରଗିରିରେ ନିଖୋଜ ଥିବା ପର୍ଯ୍ୟଟକଙ୍କ ମୃତଦେହ ସୋମବାର ସକାଳେ ଉଦ୍ଧାର ହୋଇଛି। ଗତକାଲି କାଳବୈଶାଖୀ ପ୍ରଭାବରେ ବିନୋଦ ଚନ୍ଦ୍ର ଜେନା ନାମକ ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଥିଲେ। ସେ କଟକ ଜିଲା ନିଆଳି ବ୍ଲକର ଓଲଟପୁର ଗ୍ରାମର ବୋଲି ଜଣାପଡ଼ିଛି।
ରବିବାର ଅପରାହ୍ନରେ ୪ ଜଣ ସାଙ୍ଗ ମିଶି ପାରଳାଖେମୁଣ୍ଡିସ୍ଥିତ ମୃତ ବିନୋଦଙ୍କ ସମ୍ପର୍କୀୟଙ୍କ ଘରକୁ ଆସି ମଧ୍ୟାହ୍ନଭୋଜନ କରି ପାରଳାଖେମୁଣ୍ଡିଠାରୁ ଗୋଟିଏ କାର୍ ବୁକ କରି ମହେନ୍ଦ୍ରଗିରି ବୁଲିବା ପାଇଁ ଯାଇଥିଲେ। ସେଠାରେ କୁନ୍ତୀ ମନ୍ଦିର, ଯୁଧିଷ୍ଠିର ମନ୍ଦିର ଏବଂ ଅର୍ଜୁନ ଗୁମ୍ଭା ବୁଲିବା ପରେ ଅର୍ଜୁନ ଗୁମ୍ଫାଠାରୁ ଭୀମ ମନ୍ଦିର ଅଭିମୁଖେ ପାହାଡ଼ ଚଢ଼ିଯିବା ସମୟରେ ହଠାତ ଖୁବ୍ ଜୋର୍ରେ ପବନ ବହିବା ସହ ଘଡ଼ଘଡ଼ି ଓ ବର୍ଷା ହୋଇଥିଲା। ଫଳରେ ନିଜ ଜୀବନ ସୁରକ୍ଷା ଲାଗି ସମସ୍ତେ ସୁରକ୍ଷିତ ସ୍ଥାନକୁ ଦୌଡ଼ି ପଳାଇବା ପାଇଁ ଚେଷ୍ଟା କରି ୪ ଜଣଙ୍କ ମଧ୍ୟରୁ ୩ ଜଣ ସେଠାରେ ଥିବା ଭୀମ ମନ୍ଦିର ଭିତରେ ଆଶ୍ରୟ ନେଇଥିଲେ। ଅନ୍ୟ ଜଣେ ପାହାଡ଼ ତଳପଟକୁ ଦୌଡ଼ି ପଳାଇଲେ। ତେବେ ବର୍ଷା ପ୍ରାୟ ୧୦ ମିନିଟ ହେବା ପରେ ପରିସ୍ଥିତି ସ୍ବାଭାବିକ ହେଲା। ସେହି ସମୟରେ ୩ ବନ୍ଧୁ ନିଖୋଜ ବିନୋଦଙ୍କୁ ଖୋଜିବାର ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେଠାରେ ଥିବା ଓ୍ବାଚ୍ ଟାୱାର ଏବଂ ରିସର୍ଟରେ ନିୟୋଜିତ ବନବିଭାଗର କର୍ମଚାରୀଙ୍କୁ ଭେଟି ସମସ୍ତ କଥା ଜଣାଇବା ପରେ ବନବିଭାଗ କର୍ମଚାରୀଙ୍କ ସହ ମିଶି ଭୀମ ମନ୍ଦିର ପାହାଡ଼ର ସମସ୍ତ ଅଞ୍ଚଳକୁ ଖୋଜାଖୋଜି କରିଥିଲେ। ଖୋଜାଖୋଜି କରି ମଧ୍ୟ ବିନୋଦଙ୍କର କୌଣସି ସନ୍ଧାନ ପାଇ ନ ଥିଲେ। ପରେ ଗାରବନ୍ଧ ପୋଲିସର ସହାୟତା ନେଇଥିଲେ। ଗାରବନ୍ଧ ପୋଲିସ ଓ ରମାଗିରି ରାଇଞ୍ଜେ ବନକର୍ମଚାରୀ ସମସ୍ତେ ମିଶି ପୁଣି ଥରେ ଖୋଜାଖୋଜି ଆରମ୍ଭ କରିଥିଲେ। ସୋମବାର ସକାଳେ ବିନୋଦଙ୍କ ମୃତଦେହ ଉଦ୍ଧାର ହୋଇଛି।