ଗଞ୍ଜାମ,୨୭ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅନ୍ତର୍ଗତ ଦାମୋଦରପୁର ଗାଁ ପୋଖରୀରୁ ଅଢ଼େଇ ବର୍ଷର ଶିଶୁପୁତ୍ର ଉଦ୍ଧାର ହୋଇଛି। ମୃତ ଶିଶୁ ହେଲେ ସୁମୁନାଥ ପାତ୍ରଙ୍କ ପୁଅ ବିନାୟକ। ଗୁରୁବାର ସକାଳେ ପୋଖରୀ ନିକଟରେ ବୁଲୁଥିବା ବେଳେ ପାଣିରେ ଗୋଡ଼ ଖସି ବୁଡ଼ିଯାଇଥିବା ଆଲୋଚନା ହେଉଛି। ପୋଖରୀରେ ଜାଲ ପକାଉଥିବା ବେଳେ ମୃତ ଶିଶୁଟି ଜାଲରେ ଲାଗିଥିଲା ବୋଲି ସେହି ଗ୍ରାମର ଜଣେ ବ୍ୟକ୍ତି କହିଛନ୍ତି। ଶିଶୁପୁତ୍ରକୁ ଉଦ୍ଧାର ପରେ ଗଞ୍ଜାମ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ଥାନା ଏସ୍ଆଇ ଅନିରୁଦ୍ଧ ସ୍ବାଇଁ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ ସହ ବ୍ୟବଚ୍ଛେଦ ନିମନ୍ତେ ମେଡିକାଲ ପଠାଇଥିଲେ। ରିପୋର୍ଟ ଆସିବା ପରେ ଘଟଣା କ’ଣ ଜଣା ପଡ଼ିବ ବୋଲି ଥାନା ପୋଲିସ ପକ୍ଷରୁ କୁହାଯାଇଛି।
ପ୍ରକାଶଯୋଗ୍ୟ, ସୁମୁନାଥଙ୍କ ନିଜ ଗାଁ ସାହାପୁର ହୋଇଥିବାବେଳେ ସେ ଅଗସ୍ତିନୂଆଗାଁସ୍ଥିତ ଟାଟା ମୋଟର୍ସ କମ୍ପାନୀରେ କାର୍ଯ୍ୟ କରୁଛନ୍ତି। ଦାମୋଦରପୁରରେ ଏକ ଭଡ଼ାଘରେ ରହୁଥିଲେ।
Dharitri – Odisha’s No.1 Odia Daily


