ଚିଲିକାରେ ଭସାପୋଲ ଅଘଟଣ ପରେ ବଡ଼ ନିଷ୍ପତ୍ତି, ୧୧ଟା ଯାଏ ଡ଼ଙ୍ଗା…

କୃଷ୍ଣପ୍ରସାଦ,୨।୧(କୈଳାଶ ଚନ୍ଦ୍ର ପଟ୍ଟନାୟକ ): ଗୁରୁବାର ଚିଲିକାରେ ଭସାପୋଲରୁ ଖସି ଜଣେ ଯାତ୍ରୀଙ୍କର ଜୀବନ ଯାଇଥିଲା । ଏହାପରେ ଆଜି ବଡ଼ ନିଷ୍ପତ୍ତି ନିଆଯାଇଛି । ଦିନ ୧୧ଟା ଯାଏଁ ଚିଲିକାରେ ଡଙ୍ଗା ଚଳଚଳକୁ ବାରଣ କରାଯାଇଛି । କୁହୁଡ଼ି ନକମିବା ଯାଏଁ ଡଙ୍ଗା ଚଳାଚଳ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଜିଲାପାଳ । ପର୍ଯ୍ୟଟକଙ୍କ ବୋଟ୍, ଛୋଟ ମଟର, ମାଲ ବାହି ଡଙ୍ଗା ଓ ଭସାପୋଲ ସବୁକିଛିରେ କଟକଣା ଲଗାଯାଇଛି । ଗତକାଲି ଘନ କୁହୁଡ଼ି ଯୋଗୁଁ ଚିଲିକାରେ ଫସିଥିଲା ଭସାପୋଲ ।

ଘନ କୁହୁଡି ସମୟରେ କୌଣସି ବି ପରିବହନ ଯେପରି ନହୁଏ ସେନେଇ ପ୍ରଶାସନ ଏବଂ ସ୍ଥାନୀୟ ପୋଲିସ ନଜର ରଖିବେ ବୋଲି କୁହାଯାଇଛି । ଏନେଇ ସ୍ଥାନୀୟ ଲୋକଙ୍କୁ ଡାକ ବାଜି ଯନ୍ତ୍ର ଦ୍ବାରା ସଚେତନ କରାଇବେ ସ୍ଥାନୀୟ ବିଡିଓ । ନିର୍ଦ୍ଦେଶ ଅମାନ୍ୟ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସତର୍କ କରାଇଛନ୍ତି ଜିଲ୍ଲାପାଳ ।

କହିରଖୁଛୁକି, ବର୍ତ୍ତମାନ ରାଜ୍ୟରେ ଘନ କୁହୁଡ଼ି ଲାଗି ରହିଛି । ଫଳରେ ୫୦ ମିଟର ଦୂରକୁ ଦେଖିବା ମଧ୍ୟ ଅସମ୍ଭବ ହୋଇପଡୁଛି । ଗୁରୁବାର ଦିନ ସାତପଡା ଠାରୁ ଜହ୍ନିକୁଦା ଭସାପୋଲରେ ଯାତ୍ରା କରୁଥିବାବେଳେ ପାଣି ଭିତରକୁ ଖସି ପଡ଼ି ଜଣେ ଯାତ୍ରୀଙ୍କର ଜୀବନ ଯାଇଥିଲା । ଜଳ ଯାତ୍ରା ପାଇଁ ସରକାର ସେଫଟି ଜ୍ୟାକେଟ ବାଧ୍ୟତାମୂଳକ କରିଥିବାବେଳେ ଭସାପୋଲରେ ଥିବା ଯାତ୍ରୀ ପିନ୍ଧିନଥିଲେ । ମୃତ ବ୍ୟକ୍ତିଙ୍କ ନାମ ଉମା ଶଙ୍କର ସାବତ(୬୦) ବୋଲି ଜଣାଯାଇଛି। ତାଙ୍କ ଘର ମାଲକାନଗିରି ବାଲିମେଳା ବୋଲି ଏକ ସୂଚନା ମିଳିଛି। ଏହି ଘଟଣା ପରେ ଆଜି ପୁରୀ ଜିଲାପାଳଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ତେବେ ଆଜି ପରୀକ୍ଷା ଥିବାବେଳେ ଶିକ୍ଷାର୍ଥୀଙ୍କ ପରୀକ୍ଷାରେ ବ୍ୟାଘାତ, ଶିକ୍ଷକମାନେ ଚିଲିକା କୂଳର ସାତପଡା ଏବଂ ଜହ୍ନିକୁଦା ରେ ନିଜ କାର୍ଯ୍ୟ କ୍ଷେତ୍ରକୁ ଯିବାପାଇଁ ବ୍ୟାକୁଳ ହେଉଥିବା ଦେଖିବାକୁ ମିଳିଛି । ଜିଲା ମୁଖ୍ୟ କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟ ନେଇ ଘରୁ ଆସି ବହୁ ଯାତ୍ରୀ ଅଟକିଛନ୍ତି । କୃଷ୍ଣପ୍ରସାଦରୁ ପୁରୀ ମୁଖ୍ୟ ରାସ୍ତାର ପ୍ରତିବନ୍ଧକ ଜହ୍ନିକୁଦା – ସାତପଡ଼ା ଚିଲିକାରେ ଏକ ସ୍ଥାୟୀ ରାସ୍ତା ନିର୍ମାଣ କରାଯାଉ ବୋଲି ଦାବି ହେଉଛି ।

 

Dharitri – Odisha’s No.1 Odia Daily

Share