ଚମ୍ପାପୁଟ ଘାଟରେ ବୁଡ଼ିଲା ଡଙ୍ଗା: ଜଣେ ନିଖୋଜ

ନନ୍ଦପୁର,୨୭।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ପାନ୍ଥଲୁଙ୍ଗ ପଞ୍ଚାୟତର ଚମ୍ପାପୁଟ ଘାଟରେ ରବିବାର ସକାଳୁ ଏକ ଅଘଟଣ ଘଟିଛି। ଘାଟରୁ ଏକ ଦେଶୀ ଡ଼ଙ୍ଗାରେ ଜୋଲାପୁଟ ରିଜର୍ଭର ମଧ୍ୟକୁ ମାଛଧରିବା ପାଇଁ ଯାଉଥିବା ବେଳେ ଡଙ୍ଗାବୁଡି ଚମ୍ପାପୁଟ ଗ୍ରାମର ୪୧ ବର୍ଷୀୟ ଯୁବକ ବଳରାମ ଡୁରୁ (ପି – ଶ୍ୟାମସୁନ୍ଦର) ଜଳଘେରିରେ ନିଖୋଜ ହୋଇ ଯାଇଛନ୍ତି। ଘଟଣା ସମ୍ପର୍କରେ ସାନଭାଇ କୃଷ୍ଣଚନ୍ଦ୍ର ଡୁରୁ ପାଡୁଆ ଥାନାରେ ଲିଖିତ ସୂଚନା ଦେଇଛନ୍ତି। ପୋଲିସଠାରୁ ସୂଚନାପାଇ ନନ୍ଦପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ନିମନ୍ତେ ପ୍ରସ୍ତୁତି କରୁଥିବା ସୂଚନା ଦେଇଛନ୍ତି।
ସୂଚନା ଥାଉ କି ବଳରାମଙ୍କ ସ୍ତ୍ରୀଙ୍କ ସମେତ ୩ ପୁଅ ଝିଅ ଅଛନ୍ତି। ପରିବାର ଓ ଗ୍ରାମବାସୀ ଶୋକାକୁଳ ଅବସ୍ଥାରେ ଘାଟରେ ଉପସ୍ଥିତ ରହି ଅଗ୍ନିଶମ ବାହିନୀ, ପୋଲିସ ଓ ସ୍ଥାନୀୟ ଯୁବଗୋଷ୍ଠୀଙ୍କୁ ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଥିବା ଦେଖିବାକୁ ମିଳିଛି।