ଟିଟିଲାଗଡ଼,୨୬।୫(ଶରତ ମିଶ୍ର ): ବଲାଙ୍ଗୀର ଜିଲା ଟିଟିଲାଗଡ଼ ଉପଖଣ୍ଡ ସରକାରୀ ଡାକ୍ତରଖାନାରେ ଭର୍ତ୍ତିହୋଇଥିବା ଜଣେ ରୋଗୀଙ୍କୁ ସାଲାଇନ ଦିଆଯାଇଥିବା ବେଳେ ସାଲାଇନରେ ରକ୍ତ ଲଗା ସିରିଞ୍ଜ ଫୋଡାଯିବା ଚାଞ୍ଚଲ୍ୟ ସୃଷ୍ଟି କରିଛି।
ଅଭିଯୋଗରୁ ପ୍ରକାଶ ଯେ, ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଦିଗସିରା ଗ୍ରାମର ନିରାକାର ବେହେରା (୬୨)ଙ୍କ ରକ୍ତଚାପ କମ ହେବାରୁ ଟିଟିଲାଗଡ଼ ଡାକ୍ତରଖାନାକୁ ଆଣିଥିଲେ। ଉପସ୍ଥିତ ଡାକ୍ତରଙ୍କ ପରାମର୍ଶ କ୍ରମେ ପରିବାର ଲୋକେ ତାଙ୍କୁ ୱାର୍ଡରେ ଭର୍ତ୍ତି କରିଥିଲେ। ଅସୁସ୍ଥ ନିରାକାରଙ୍କୁ ଡାକ୍ତରଖାନା ସ୍ବାସ୍ଥ୍ୟ କର୍ମଚାରୀ ପ୍ରଥମେ ଏକ ସାଲାଇନ ଦେଇଥିଲେ । ଏ ନେଇ ସ୍ବାସ୍ଥ୍ୟ କର୍ମଚାରୀ ସାଲାଇନର ଉପର ଅଂଶରେ ଏକ ସିରିଞ୍ଜ ଫୋଡିଥିଲେ। କିଛି ସମୟ ପରେ ୱାର୍ଡରେ ଉପସ୍ଥିତ ନିରାକାରଙ୍କ ପୁଅ ରୋହିତ ସାଲାଇନରେ ସିରିଞ୍ଜ ଫେଡାଯିବା ସ୍ଥାନରେ ରକ୍ତ ଲାଗିଥିବା ଦେଖି ବିସ୍ମିତ ହୋଇଥିଲେ। ରୋହିତ ଏ ନେଇ ସମ୍ପୃକ୍ତ କର୍ମଚାରୀଙ୍କୁ ପଚାରିବାରୁ ଭୁଲରେ ଏକ ବ୍ୟବହୃତ ରକ୍ତ ଲଗା ସିରିଞ୍ଜ ଫୋଡିଥିବା ସ୍ବୀକାର ସହ କ୍ଷମା ମାଗିଥିଲେ।
ଏ ନେଇ ଖବର ପାଇ ଗଣମାଧ୍ୟମ ପ୍ରତିନିଧି ପହଞ୍ଚିଥିବା ବେଳେ ଉକ୍ତ କର୍ମଚାରୀ ନିଜ ତ୍ରୁଟି ସ୍ବୀକାର କରିଛନ୍ତି ।ଅନ୍ୟପକ୍ଷେ କୌଣସି ରୋଗୀଙ୍କ ରକ୍ତ ପରୀକ୍ଷା ହୋଇଥିବା ସିରିଞ୍ଜକୁ ନେଇ ପରିବାର ଲୋକେ ଭୟଭିତ ହୋଇଛନ୍ତି।ଟିଟିଲାଗଡ଼ ଉପଖଣ୍ଡ ସ୍ବାସ୍ଥ୍ୟ ଅଧିକାରୀ ତଥା ଉପଖଣ୍ଡ ଡାକ୍ତରଖାନା ସ୍ବାସ୍ଥ୍ୟ ଅଧିକାରୀ ପ୍ରଦୀପ ନାୟକ ଫୋନ ଉଠାଉ ନ ଥିବା ନେଇ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଶେଷ ଖବର ସୁଦ୍ଧା ରୋଗୀ ନିରାକାରଙ୍କ ପୁଅ ରୋହିତଙ୍କୁ ଛୁଟି ଦିନ ଯୋଗୁଁ କାର୍ଯ୍ୟାଳୟରେ ଅନୁପସ୍ଥିତ ଉପଖଣ୍ଡ ସୱାସ୍ଥ୍ୟ ଅଧିକାରୀ ନିଜ ଘରକୁ ଡାକି ଅନୁସନ୍ଧାନ ଜାରି ରଖିଥିବା ଜଣାଯାଇଛି।