ନୟନଯୋରୀ ଅବରୋଧ, ଦୋକାନରେ ପଶିଲା ବର୍ଷାପାଣି

ବାହାନଗା,୬।୫(ଡି.ଏନ.ଏ.) ବାଲେଶ୍ୱର ଜିଲା ବାହାନଗା ବ୍ଲକର ବିଭିନ୍ନ ଅଞ୍ଚଳରେ ରାସ୍ତାପାର୍ଶ୍ୱ ନୟନଯୋରୀ ଅବରୋଧ ହୋଇ ରହିଛି। ଫଳରେ ବର୍ଷା ହେଲେ ଜଳ ନିଷ୍କାସନ ହୋଇ ନ ପାରି ଲୋକଙ୍କ ଘର ଓ ଦୋକାନ ଭିତରକୁ ପାଣି ପ୍ରବେଶ କରୁଛି। ମଙ୍ଗଳବାର ବିଳମ୍ବିତ ରାତିରେ ବାହାନଗା ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ନୟନଯୋରୀ ଅବରୋଧ ହୋଇଥିବାରୁ ଗୋପାଳପୁର ପଞ୍ଚାୟତ ଜୁଣିଅଁା ବଜାରରେ ବର୍ଷାପାଣି ନିଷ୍କାସନ ହୋଇ ନ ପାରି ସେଠାରେ ଥିବା ଦୋକାନରେ ପଶି ଯାଇଥିଲା। କେତେଜଣ ଦୋକାନୀ ଓ ଘର ମାଲିକ ଜଳ ନିଷ୍କାସନ ପାଇଁ ଚେଷ୍ଟା କରିବାରୁ ଗଣ୍ଡଗୋଳ ପରିସ୍ଥିତି ଉପୁଜିଥିଲା। ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜଳ ନିଷ୍କାସନ ବ୍ୟବସ୍ଥା କରାଯାଇଛି। ବାହାନଗା ତହସିଲଦାର ରାଜେନ୍ଦ୍ର ନାରାୟଣ କର ପୋଲିସ ଫୋର୍ସ ସହ ଜୁଣିଅଁା ବଜାରରେ ପହଞ୍ଚି ତଦାରଖ କରିଥିଲେ। ପରେ ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ଜେସିବିରେ ନାଳ ଖୋଳାଯାଇ ବର୍ଷାପାଣି ନିଷ୍କାସନ କରାଯାଇଥିଲା।
ଯେ, ଗୋପାଳପୁର-ଜୁଣିଅଁା ବଜାର ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟରାସ୍ତାର ଦୁଇପାର୍ଶ୍ୱରେ ନୟନଯୋରୀକୁ ପ୍ରଭାବଶାଳୀ ବ୍ୟକ୍ତିମାନେ ପୋତି ନିଜ ଜମି ସହ ମିଶାଇ ଅବରୋଧ କରି ରଖିବା ସହିତ ଗୃହ ନିର୍ମାଣ କରିଛନ୍ତି। ଫଳରେ ସାମାନ୍ୟ ବର୍ଷା ହେଲେ ମଧ୍ୟ ରାସ୍ତା ଉପରେ ବର୍ଷାଜଳ ଲହଡ଼ି ଭାଙ୍ଗୁଥିବା ଦେଖିବାକୁ ମିଳୁଛି। ସେହିପରି ଗୋପାଳପୁର ମହାବିଦ୍ୟାଳୟ ଫାଟକ ପାଖ ଓ ରାସ୍ତାର ଅପରପାର୍ଶ୍ୱରେ ମଧ୍ୟ ନୟନଯୋରୀ ଅବରୋଧ ହୋଇ ରହିଛି। ଅବରୋଧ ନ ହଟାଇଲେ ଆଗାମୀ ଦିନରେ ଗୋପାଳପୁର-ଜୁଣିଅଁାର ମୁଖ୍ୟରାସ୍ତା ଉପରେ ଓ ଲୋକଙ୍କ ଘର ଭିତରେ ପାଣି ପଶି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଏଣୁ ପ୍ରଶାସନ ତୁରନ୍ତ ନୟନଯୋରୀ ଅବରୋଧ ହଟାଇବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।