ରାଇକିଆ ରାଜନୀତିରେ ନୂଆ ସମୀକରଣ: ବିଜେଡି ଛାଡି ଭାଜପାରେ ଯୋଗ ଦେଲେ ବ୍ଳକ ଅଧ୍ୟକ୍ଷା, ସରପଞ୍ଚଙ୍କ ସହ…

ରାଇକିଆ, ୧୪।୧(ପ୍ରଦୀପ ବେହେରା): ରାଇକିଆ ରାଜନୀତିରେ ମଙ୍ଗଳବାର ନୂଆ ସମୀକରଣ ଦେଖିବାକୁ ମିଳିଛି । ହରି ଓମ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ଆତ୍ମ ନିର୍ଭର ଭାରତ ସମୃଦ୍ଧ ସମାବେଶ କାର୍ଯ୍ୟକ୍ରମ ଅବସରରେ ବ୍ଳକ ବିଜେଡିକୁ ଦୀର୍ଘ ବର୍ଷ ହେଲା ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବଡ଼ ନେତୃବୃନ୍ଦ ଦଳ ତ୍ୟାଗ କରି ଭାଜପାରେ ଯୋଗ ଦାନ କରିଛନ୍ତି । ଏମପି ସୁକାନ୍ତ ପାଣିଗ୍ରାହୀ, ଜିଲା ଭାଜପା ସଭାପତି ପଣ୍ଡିତ ବିସ ମାଝୀଙ୍କ ଉପସ୍ଥିତିରେ ବ୍ଳକ ଅଧ୍ୟକ୍ଷା, ସରପଞ୍ଚ , ତିନି ଜଣ ସମିତି ସଭ୍ୟସଭ୍ୟା, ପୂର୍ବତନ ବ୍ଲକ ବିଜେଡି ସଭାପତି ଭାଜପାରେ ଯୋଗଦାନ କରିଛନ୍ତି । ଭାଜପାର ବିଚାର ଓ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ଯେଉଁମାନେ ଦଳରେ ମିଶିବାକୁ ଆଗ୍ରହ ପ୍ରକାଶ କରିଛନ୍ତି, ସମସ୍ତଙ୍କୁ ସ୍ବାଗତ କରିବା ସହ ରାଷ୍ଟ୍ର ବିକାଶରେ ସାମିଲ ହେବା ପାଇଁ ଆହ୍ବାନ ଜଣାଇଥିଲେ ଜିଲା ଭାଜପା ସଭାପତି। ୧୫ ବର୍ଷ ସକ୍ରିୟ ରାଜନୀତିରେ ରହିବା ସହ ଦୁଇ ଥର ସରପଞ୍ଚ, ଗୋଟିଏ ଥର ସମିତି ସଭ୍ୟା ଏବଂ ପୂର୍ବରୁ ବିଜେଡିର ବ୍ଳକ ସଭାନେତ୍ରୀ ଦାୟିତ୍ୱ ତୁଲାଇଥିବା ବର୍ତ୍ତମାନର ରାଇକିଆ ସରପଞ୍ଚ ଗୀତାଞ୍ଜଳୀ ନାୟକ ନିଜ ସମର୍ଥକଙ୍କ ସହ ଭାଜପାରେ ଯୋଗଦାନ କରିଥିବା ବେଳେ ନିକଟରେ ବ୍ଳକ ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କରିଥିବା ରିନା ପ୍ରଧାନ ମଧ୍ୟ ବିଜେଡି ଛାଡ଼ି ଭାଜପାରେ ଯୋଗଦାନ କରିଛନ୍ତି । ସେ ପୂର୍ବରୁ ଗୁମାମାହା ସରପଞ୍ଚ ମଧ୍ୟ ରହିଛନ୍ତି । ଅନ୍ୟ ପକ୍ଷରେ କ୍ରମାଗତ ତିନିଥର ସଭାପତି ଭାବେ ମନୋନୀତ ହୋଇ ବ୍ଲକ ବିଜେଡ଼ିର ନେତୃତ୍ୱ ନେଇ ଆସୁଥିବା ରାଜ ମୋହନ ଦିଗାଲ ମଧ୍ୟ ଭାଜପାାର ଯୋଗ ଦେବା ରାଇକିଆ ରାଜନୀତି କୁ ନୁଆ ମୋଡ଼ ଦେଇଛି । ଏଥି ସହ ପୂର୍ବତନ ଏମପି ପ୍ରତିନିଧି ଓ ଯୁବ ବିଜେଡ଼ି ସଭାପତି ସୁଧାଂଶୁ ପାଣିଗ୍ରାହୀ, ହୃଷୀକେଶ ପାଢ଼ୀ, କରଡା ସମିତି ସଭ୍ୟା ସୁମିତ୍ରା ପାଣିଗ୍ରାହୀ, ସୁଗଡବାଡି ସମିତି ସଭ୍ୟ ଜିକୁନ ସାହୁ, ଇନ୍ଦ୍ରଗଡ଼ ସମିତିସଭ୍ୟା ଶାନ୍ତି ଲତା ମଲ୍ଲିକଙ୍କ ସମେତ ବିଭିନ୍ନ ଦଳରୁ ଆସିଥିବା ୨୦୦ରୁ ଉଦ୍ଧର୍‌ବ କର୍ମୀ ଭାଜପାରେ ଯୋଗ ଦେଇଥିଲେ ।

Dharitri – The Largest & Most Trusted Odia Daily

Share
Tags: odisha