ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲ୍‌ କରି କରୁଥିଲେ ବ୍ଲାକମେଲ୍‌: ଜଣାପଡ଼ିବା ପରେ ଘଟିଲା…

କଟକ,୨୧ା୧(କାର୍ତ୍ତିକ ସାହୁ):ଜଣେ ୭୨ ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲେ। ପରେ ଉକ୍ତ ଭିଡିଓ କଲିଂର ରେକର୍ଡିଂ କରି ତାହା ପ୍ରଘଟ କରିଦେବା ଭୟ ଦେଖାଇ ସମ୍ପୃକ୍ତ ବୃଦ୍ଧଙ୍କୁ ବ୍ଲାକମେଲ୍‌ କଲେ। ବ୍ଲାକ୍‌ମେଲ କରି କଟକ ବିଡ଼ାନାସୀର ସମ୍ପୃକ୍ତ ବୃଦ୍ଧଙ୍କଠାରୁ ସାଇବର ଅପରାଧୀ ୮୮ ଲକ୍ଷ ଠକେଇ କରି ନେଇଯିବା ମାମଲାରେ କଟକ ସାଇବର ଥାନା ପୋଲିସ ୫ଜଣଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ପୋବଲା ଗ୍ରାମର ମନୋଜ କୁମାର ଜେନା (୨୭), ପ୍ରଫୁଲ୍ଲ କୁମାର ବିଶ୍ୱାଳ (୬୫), ସଂଗ୍ରାମ ଜେନା (୨୨), ବରୀ ଥାନା ଅନ୍ତର୍ଗତ ଉପୁଳ ଗ୍ରାମର ବାସୁଦେବ ରାଉତ (୨୫) ଏବଂ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ କପିଳ ପ୍ରସାଦ ମହତାବ ରୋଡ୍‌ର ମନୋରଞ୍ଜନ ରାଉତରାୟ (୬୦)। ତେବେ ମାମଲାର ମୁଖ୍ୟ ଅଭିଯୁକ୍ତ ସରୋଜ କୁମାର ଜେନା ଫେରାର ଥିବା ପୋଲିସ କହିଛି। ସେମାନଙ୍କ ନିକଟରୁ ନଗଦ ୧୪ ଲକ୍ଷ ୪୬୦ ଟଙ୍କା, ୧୬ଟି ରୁପା ମୁଦ୍ରା, ୨ ହଳ ସୁନା କାନଫୁଲ, ୧ଟି ସୁନାମୁଦି, ଗୋଟିଏ ସୁନା ମଙ୍ଗଳସୂତ୍ର, ଗୋଟିଏ ସୁନା ଚେନ୍‌, ଗୋଟିଏ ରୁପା ଆର୍ମଲେଟ, ୨ଟି ବାଇକ୍‌ ପୋଲିସ ଜବତ କରିଛି। ଏଥିସହ ସେମାନଙ୍କ ୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟାଙ୍କ ଜମା ଅଚଳ କରାଯାଇଛି। ଏହି ଅପରାଧ ସହ ଜଡ଼ିତ ଅନ୍ୟ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ଯାଞ୍ଚ କରାଯାଉଛି। ପରବର୍ତ୍ତୀ ସମୟରେ ଆଇନଗତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି। ଏ ନେଇ କଟକ ସାଇବର ଥାନାରେ ଏକ ମାମଲା (ନଂ. ୦୯/୨୦୨୬) ରୁଜୁ ହୋଇଛି।
ମୁଖ୍ୟ ଅଭିଯୁକ୍ତ ସରୋଜ ଦୁଇ ସହଯୋଗୀଙ୍କ ସହିତ ପ୍ରାଥମିକ ଅବସ୍ଥାରେ ୨୦୨୫ ଜାନୁଆରୀରେ ଫେସ୍‌ବୁକ୍‌ ଜରିଆରେ ପୀଡ଼ିତ ବୃଦ୍ଧଙ୍କୁ ଯୋଗାଯୋଗ କରିଥିଲେ। ଚତୁରତାର ସହ ସମ୍ପର୍କ ବଢ଼ାଇ କଟକର ବିଭିନ୍ନ ହୋଟେଲରେ ବ୍ୟକ୍ତିଗତ ଭାବେ ତାଙ୍କୁ ବାରମ୍ବାର ଭେଟିଥିଲେ। ଅଭିଯୁକ୍ତ ସରୋଜ ମେଡିକାଲ ଚିକିତ୍ସା କଥା କହି ୨୦୨୫ ମେ’ରେ ୧.୪୮ ଲକ୍ଷ ଟଙ୍କା ପୀଡ଼ିତଙ୍କଠାରୁ ଅନ୍‌ଲାଇନରେ ନେଇଥିଲେ। ବୃଦ୍ଧଙ୍କ ବିଶ୍ୱାସ ବୃଦ୍ଧି କରିବା ପାଇଁ ୨ ମାସରେ ସେ ଉକ୍ତ ଟଙ୍କା ଫେରସ୍ତ ଦେଇଥିଲେ। ପୁଣି ସରୋଜ ନିଜ ଝିଅ ଚିକିତ୍ସା ପାଇଁ ଟଙ୍କା ମାଗିଥିଲେ। ମାତ୍ର ବୃଦ୍ଧ ମନା କରିଦେଇଥିଲେ। ଏହାପରେ ସେ ଜଣେ ମହିଳାଙ୍କ ଦ୍ୱାରା ହ୍ବାଟ୍ସଆପ୍‌ରେ ନ୍ୟୁଡ୍‌ କଲ୍‌ କରିଥିଲେ। ବୃଦ୍ଧ ଜଣଙ୍କ କଲ୍‌ ଉଠାଇବାରୁ ଅଭିଯୁକ୍ତ ସରୋଜ ତାହାକୁ ଗୁପ୍ତରେ ରେକର୍ଡିଂ କରିଥିଲେ। ପରବର୍ତ୍ତୀ ସମୟରେ ସେହି ରେକର୍ଡିଂ ସୋସିଆଲ ମିଡିଆରେ ପ୍ରଘଟ କରିଦେବାର ଭୟ ଦେଖାଇ ବିଭିନ୍ନ ସମୟରେ ୮୮ଲକ୍ଷ ଟଙ୍କା ତାଙ୍କଠାରୁ ନେଇଯାଇଥିଲେ। ଅନ୍ୟ ଅଭିଯୁକ୍ତମାନେ ସରୋଜଙ୍କୁ ଏଥିରେ ସହଯୋଗ କରିଥିଲେ। ଏନେଇ ବୃଦ୍ଧ ସାଇବର ଥାନାରେ ଏତଲା ଦେବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚାଲୁ ରଖିଛି।

 

Dharitri – Odisha’s No.1 Odia Daily