ବିଧାୟକଙ୍କ ଗାଡ଼ିକୁ ଅଣ୍ଡାମାଡ଼

ପଟ୍ଟାମୁଣ୍ଡାଇ, ୧୬ା୩ (ସ୍ବ.ପ୍ର.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଭାବ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡିରେ ଝଡ ସୃଷ୍ଟି କରିଛି। ବିଜେଡିର ଦୁଇଗୋଷ୍ଠୀ ଏହି ବ୍ଲକ ଓ ଚଉଦକୁଲାଟ ଫାଣ୍ଡି ଅନ୍ତର୍ଗତ ଦାଣ୍ଡିସାହିଠାରେ ମଙ୍ଗଳବାର ମୁହଁାମୁହିଁ ହୋଇଛନ୍ତି। କଳାପତାକା ପ୍ରଦର୍ଶନ, ଗାଳିଗୁଲଜ ସହ ଅଣ୍ଡାମାଡ ହୋଇଛି।
ନବନିର୍ବାଚିତ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ସାମନ୍ତରାୟ ଚଉଦକୁଲାଟ ଫାଣ୍ଡିରେ ଗତ ୧୨ ତାରିଖରେ ଅଧ୍ୟକ୍ଷ ପଦ ପ୍ରାର୍ଥୀ ଅନ୍ନପୂର୍ଣ୍ଣା ମଲ୍ଲିକଙ୍କ ଦୁଇପୁଅ ନାମରେ ବିଭିନ୍ନ ଆପରାଧିକ କାର୍ଯ୍ୟ କରିଥିବା ଦର୍ଶାଇ ଅଭିଯୋଗ କରିଥିଲେ। ଅପରପକ୍ଷରେ ଅମୃତମଣୋହି ପଞ୍ଚାୟତର ନବନିର୍ବାଚିତ ସଦସ୍ୟ ତଥା ଅଧ୍ୟକ୍ଷ ପଦର ପ୍ରାର୍ଥୀ ମଲ୍ଲିକ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି, ଅଧ୍ୟକ୍ଷ ସାମନ୍ତରାୟ ଓ ତାଙ୍କ ସମର୍ଥକମାନେ ଦୁଇପୁଅଙ୍କୁ ଅପହରଣ କରି ନେଇଛନ୍ତି। ଅପରପକ୍ଷେ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଅଧ୍ୟକ୍ଷ ସାମନ୍ତରାୟ ନ୍ୟାୟ ଦାବିରେ ଚଉଦକୁଲାଟ ଫାଣ୍ଡି ସମ୍ମୁଖରେ ସମର୍ଥକଙ୍କ ସହ ଗଣଧାରଣାରେ ବସିଛନ୍ତି। ଉତ୍ତେଜନାକୁ ଭିତ୍ତିକରି ପଟ୍ଟାମୁଣ୍ଡାଇ ପୋଲିସ ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି। ଏ ସମ୍ପର୍କରେ ଅଧ୍ୟକ୍ଷ ସାମନ୍ତରାୟଙ୍କୁ ପଚାରିବାରେ, ଗତ ୧୨ ତାରିଖରେ ପଟ୍ଟାମୁଣ୍ଡାଇ ବ୍ଲକର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଥିଲା। ଏଥିରେ ଅନ୍ନପୂର୍ଣ୍ଣା ପ୍ରତିଦ୍ୱନ୍ଦ୍ୱୀ ଥିଲେ। ଅନ୍ନପୂର୍ଣ୍ଣାଙ୍କୁ ୧୨ ଖଣ୍ଡ ଭୋଟ ମିଳିଥିବା ବେଳେ ୧୯ ଜଣ ସମିତିସଭ୍ୟଙ୍କ ଭୋଟ ମୋ ସପକ୍ଷରେ ଯାଇଥିଲା। ନିର୍ବାଚନରେ ବିଜୟୀ ପରେ ବ୍ଲକ ଅଞ୍ଚଳରେ ଥିବା ଅଳପୁଆ ପଞ୍ଚାୟତର ବିଲ୍ବମଙ୍ଗଳ ପୀଠକୁ ପୂଜା ପାଇଁ ଯାଇଥିଲି। ସେଠାରୁ ଫେରିବା ବେଳେ ଅନ୍ନପୂର୍ଣ୍ଣାଙ୍କ ଦୁଇପୁଅ ଦାଣ୍ଡିସାହି ବଜାରରେ ଗାଡି ଅଟକାଇବା ସହ ପ୍ରଥମେ କଳାପତାକା ଦେଖାଇବା ପରେ ଗାଳିଗୁଲଜ କରିଥିଲେ। ସାଙ୍ଗରେ ଥିବା ବିଧାୟକ ଧ୍ରୁବ ସାହୁଙ୍କୁ ମଧ୍ୟ ଗାଳିଗୁଲଜରୁ ବାଦ ପଡିନାହାନ୍ତି। ବିଧାୟକ ସାହୁ ଯିବା ପରେ ତାଙ୍କ ଗାଡିକୁ ଅଣ୍ଡାମାଡ କରିଥିଲେ। ଏଥିସହ ଅନ୍ନପୂର୍ଣ୍ଣାଙ୍କ ଦୁଇପୁଅ ପ୍ରଦ୍ୟୁମ୍ନଙ୍କୁ ମାରିବା ସହ ବନ୍ଧୁକ ମୁଣ୍ଡରେ ଲଗାଇ ମାରି ଦେବାକୁ ଚେଷ୍ଟା କରିଥିଲେ। ଏଥିସହ ବେକରେ ଥିବା ସୁନାଚେନକୁ ଛିଡାଇ ନେଇଯାଇଥିଲେ। ଅପରପକ୍ଷରେ ଅନ୍ନପୂର୍ଣ୍ଣାଙ୍କ କହିବା ଅନୁଯାୟୀ, ଅଧ୍ୟକ୍ଷ ସାମନ୍ତରାୟ ଏଠାରେ ବିଜୟ ଶୋଭାଯାତ୍ରା କରିଥିଲେ। ଶୋଭାଯାତ୍ରାରେ ସାମିଲ ହେବା ପାଇଁ ଦାଣ୍ଡିସାହି ଛକରେ ଥିବା ଦୁଇପୁଅଙ୍କୁ ଡାକିଥିଲେ। ସେମାନେ ମନା କରିବାରୁ ସମର୍ଥକମାନେ ଦୁଇପୁଅଙ୍କୁ ଅପହରଣ କରିନେଇଛନ୍ତି। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ ସନ୍ଧ୍ୟାରାଣୀ ବେହୁରିଆଙ୍କୁ ପଚାରିବାରେ ଘଟଣାର ଅନୁଧ୍ୟାନ ଚାଲିଛି। ସେହିପରି ଏହି ଘଟଣା ସମ୍ପର୍କରେ ମତ ରଖିବାକୁ ବିଧାୟକ ସାହୁଙ୍କୁ ମୋବାଇଲ ଫୋନ ନଂ.୯୪୩୭୧୭୨୯୫୨ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଉଠାଇ ନ ଥିଲେ।