ଭୁବନେଶ୍ୱର, ୩୧ା୭(ସୁନିତ୍ ମିଶ୍ର): ଭାଜପାର ରାଜ୍ୟ ମହିଳା ଶାଖା ଦ୍ୱାରା ମଙ୍ଗଳବାର ରାଜରାସ୍ତାରେ କରାଯାଇଥିବା ପ୍ରତିବାଦ କାର୍ଯ୍ୟକ୍ରମ ଉପରେ ବୁଧବାର ବିଜେଡି କଡ଼ା ପ୍ରତିକ୍ରିୟା ଦେଇଛି। ଶଙ୍ଖ ଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳର ମୁଖପାତ୍ର ଈପ୍ସିତା ସାହୁ କହିଛନ୍ତି, ଭାଜପା ଯୁବ ଓ ମହିଳା ଶାଖାକୁ ରାଜରାସ୍ତାରେ ଦେଖି ସ୍ବାଭାବିକ ଭାବେ ରାଜ୍ୟବାସୀଙ୍କ ମନରେ ପ୍ରଶ୍ନ ଆସିଛି, ସେମାନେ ରାଜ୍ୟ ସରକାରଙ୍କ ଉପରେ ଆସ୍ଥା ହରାଇଲେଣି ବୋଧହୁଏ। ରାଜ୍ୟରେ ଗତ ୧୩ ମାସର ଭାଜପା ଶାସନରେ ମହିଳା ଓ ଛାତ୍ରୀଙ୍କ ବିରୋଧରେ ଅପରାଧ ବୃଦ୍ଧି ଘଟିବା ଯୋଗୁ ରାଜ୍ୟବାସୀ ଅତିଷ୍ଠ ହୋଇପଡିଛନ୍ତି। ଭାଜପା ଯୁବ ଓ ମହିଳା ମୋର୍ଚ୍ଚା ଏହି ପ୍ରତିବାଦ କାର୍ଯ୍ୟକ୍ରମ ମାଧ୍ୟମରେ ବିରୋଧୀ ଦଳକୁ ଟାର୍ଗେଟ କରିବାକୁ ଅପଚେଷ୍ଟା କରୁଛନ୍ତି, କିନ୍ତୁ ଯେତେବେଳେ ଶାସକ ଦଳର କର୍ମକର୍ତ୍ତାମାନେ ବଳାତ୍କାର ଅଭିଯୋଗରେ ଜେଲ ଯାଉଛନ୍ତି, ସେତେବେଳେ ସେମାନେ ମୁହଁ ଚୁପ୍ ରଖୁଛନ୍ତି କାହିଁକି ବୋଲି ସାହୁ ପ୍ରଶ୍ନ କରିଛନ୍ତି। ସାଢ଼େ ୪କୋଟି ଓଡ଼ିଆଙ୍କ ନେତା ନବୀନ ପଟ୍ଟନାୟକଙ୍କ ବୟସକୁ ନେଇ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାକୁ ଆମେ ଦୃଢ଼ ନିନ୍ଦାକରୁଛୁ। ଯେଉଁ ଦଳର ସଭାପତିଙ୍କୁ ୨୦୦୮ରେ ଓଡ଼ିଶା ନିବାସରେ ଗୋଟିଏ ରୁମ୍ରେ ତାଲା ପକାଇ ଅଟକାଯାଇଥିଲା, ସେହି ଦଳର ଯୁବ ସଭାପତି ନବୀନବାବୁଙ୍କୁ ପ୍ରଶ୍ନ ପଚାରିବା କେତେଦୂର ଯୁକ୍ତିଯୁକ୍ତ। ଭାଜପା ଯୁବମୋର୍ଚ୍ଚାର ସଭାପତି ଶିଷ୍ଟାଚାର ଓ ଶାଳୀନତା ଭୁଲି ମନ୍ତବ୍ୟ ଦେଇ ଅନ୍ୟ ଛାତ୍ର ସଙ୍ଗଠନକୁ କ୍ୟାମ୍ପସ ଯିବାରେ ବାରଣ କରିବା ବେଳେ ଭୁଲି ଯାଉଛନ୍ତି ରାଜ୍ୟର ସର୍ବାଧିକ କଲେଜ କ୍ୟାମ୍ପସର ନିର୍ବାଚିତ କର୍ମକର୍ତ୍ତା ବିଜୁ ଛାତ୍ର ଜନତା ଦଳ ସହ ସଂପୃକ୍ତ। ଭାଜପା ସରକାର ଛାତ୍ରୀ ଓ ମହିଳାଙ୍କୁ ସୁରକ୍ଷା ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ଏହି ବିଫଳତାକୁ ଲୁଚାଇବାକୁ ମଙ୍ଗଳବାର ଭାଜପା ମହିଳା ଓ ଯୁବମୋର୍ଚ୍ଚା ନେତା ରାଜରାସ୍ତାକୁ ଓହ୍ଲାଇବା ଦୁର୍ଭାଗ୍ୟଜନକ ବୋଲି ଈପ୍ସିତା କହିଛନ୍ତି।