ଭାଜପା କର୍ମୀଙ୍କୁ ସଂଘବଦ୍ଧ ଆକ୍ରମଣ: ୧୦ରୁ ଊର୍ଦ୍ଧ୍ୱ ଆହତ, ପୋଲିସ ପହଞ୍ଚିବାରୁ…

ହାଟଡିହୀ,୧୧ା୧(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ଏବେ ରାଜନୈତିକ ଅଶାନ୍ତ ଆରମ୍ଭ ହେଲାଣି। ଫଳରେ ଛକାପଞ୍ଝା ବଢ଼ିବାରେ ଲାଗିଛି l ଖବରରୁ ଜଣାଯାଇଛି, ରବିବାର ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀଙ୍କ ନିଜ ଇଞ୍ଚୋଳ ପଞ୍ଚାୟତ ଅଧୀନ ଭୂତପଦା ଗ୍ରାମରେ ଭାଜପା କର୍ମୀମାନେ ଏକ ରାସ୍ତା କାର୍ଯ୍ୟ କରୁଥିଲେ। ଏହାକୁ ବିଜେଡି କର୍ମୀମାନେ ବିରୋଧ କରିଥିଲେ। ଉଭୟ ଦଳର କର୍ମୀଙ୍କ ମଧ୍ୟରେ ଯୁକ୍ତିତର୍କ ଶେଷରେ ଉଗ୍ରରୂପ ଧାରଣ କରିଥିଲା। ଫଳରେ ଭାଜପା ଏବଂ ବିଜେଡି ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ୧୦ରୁ ଊଦ୍ଧର୍‌ବ ଭାଜପା କର୍ମୀ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ଥିବା ସୂଚନା ମିଳିଛି l ଆହତମାନେ ଶାଳନିଆଁ ମେଡିକାଲ ଏବଂ ହାଟଡିହୀ ମେଡିକାଲକୁ ଚିକିତ୍ସା ପାଇଁ ଯାଇଥିବା ଜଣାପଡ଼ିଛି l ଖବର ପାଇ ନନ୍ଦିପଦା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି ଏବଂ ଅନ୍ୟ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି l ଅପରପକ୍ଷେ ବିଧାୟକଙ୍କ ଇଞ୍ଚୋଳ ଗ୍ରାମରେ ବିଜେଡି କର୍ମୀମାନେ ଏକଜୁଟ ହେଉଥିବା ଏବଂ ପୁଣି ଏକ ଗଣ୍ଡଗୋଳ ଦାନା ବାନ୍ଧୁଥିବା ପରିସ୍ଥିତିକୁ ଏଡ଼ାଇ ଦିଆଯାଇ ନ ପାରେ। ତେବେ ଏହି ଗଣ୍ଡଗୋଳରେ ଆହତ ବିଜେଡି କର୍ମୀଙ୍କ ସମ୍ପର୍କରେ ସୂଚନା ମିଳିପାରିନି।

Dharitri – Odisha’s No.1 Odia Daily